ଜିଲ୍ଲାରେ ଆରମ୍ଭ ହେଲା ପଛୁଆ ବର୍ଗର ସର୍ଭେ କାର୍ଯ୍ୟ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାରେ ସୋମବାର ଠାରୁ ପଛୁଆ ବର୍ଗର ଲୋକ ମାନଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଉ ସର୍ଭେ କାର୍ଯ୍ୟକୁ ସଠିକ୍ ଭାବେ କରାଯିବା ନିମନ୍ତେ ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲାର ପଛୁଆ ବର୍ଗ ଲୋକ ମାନଙ୍କ ବୃତ୍ତି, ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବଦ୍ଧରେ ସଠିକ୍ ତଥ୍ୟ ସଂଗ୍ରହ କରିବା ସକାଶେ ଜିଲ୍ଲାପାଳ ସମସ୍ତ ନିୟୋଜିତ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ସୋମବାର ଛତ୍ରପୁର ଅନସ୍ଲୋ ହାଇସ୍କୁଲରେ ଚାଲିଥିବା ସର୍ଭେ କାର୍ଯ୍ୟକୁ ପରିଦର୍ଶନ କରି ସ୍ଥିତି ଯାଂଚ କରିଛନ୍ତି । ସର୍ଭେ କାର୍ଯ୍ୟ ସମୟ ମଧ୍ୟରେ ନିୟୋଜିତ ଥିବା ଅଧିକାରୀ କିମ୍ବା କର୍ମଚାରୀ ଛୁଟିରେ ରହିପାରିବେ ନାହିଁ । ମଇ ୧ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଖୋଲାଯାଇଥିବା ସେଣ୍ଟର ଗୁଡିକ ପ୍ରତ୍ୟେହ ସକାଳ ୧୦ ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ଏବଂ ଅପରାହ୍ନ ୩ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଖୋଲା ରହିବ । ୨୧ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ନିୟୋଜିତ କର୍ମଚାରୀଗଣ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ସମସ୍ତ ସରକାରୀ ଛୁଟି ଦିନ ଏବଂ ରବିବାର ଦିନ ମଧ୍ୟ ସର୍ଭେ କାର୍ଯ୍ୟ ଚାଲୁ ରହିବ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ ଗଞ୍ଜାମ ଏସପି ଜଗମୋହନ ମିନା, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଛତ୍ରପୁର ଏନଏସି ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉକି, ଛତ୍ରପୁର ଏନଏସିର ୧୪ ଟି ୱାର୍ଡ ନିମନ୍ତେ ୭ ଟି ସେଣ୍ଟର ଖୋଲାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲାର ୨୪୦ ୱାର୍ଡ ଏବଂ ୫୦୩ ଗ୍ରାମ ପଂଚାୟତ ଏଭଳି ସମୁଦାୟ ୭୪୩ ଟି ସର୍ଭେ ସେଣ୍ଟର ରେ ସର୍ଭେ କାର୍ଯ୍ୟ ଜାରି ରହିବ । ଏଥି ସକାଶେ ସମୁଦାୟ ୧୮୩୮ ଗୋଟି ସର୍ଭେ ସେଣ୍ଟର ବ୍ୟବସ୍ଥା ହୋଇଛି ।