ଗଡିଲା କ୍ଷମତା ଏକ୍ସପ୍ରେସ ଅଭିଯାନରେ ସାମିଲ ହେବେ ଭିନ୍ନକ୍ଷମ, କିନ୍ନର ଓ ଭିକ୍ଷୁକ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ କ୍ଷମତା ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଛି । ନୂତନ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲାର ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ନିଶାଗ୍ରସ୍ତ ବ୍ୟକ୍ତି, କିନ୍ନର ଏବଂ ଭିକ୍ଷୁକମାନଙ୍କୁ ବହୁବିଧ ସେବା ପ୍ରଦାନ ନିମନ୍ତେ ଏହା ଅଭିପ୍ରେତ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଅଧିନରେ ଏହା ଏକ ଅଭିନବ ପଦକ୍ଷେପ । ଏହା ପ୍ରଥମ ଦଫାରେ ୧୦ ଦିନ ମଧ୍ୟରେ ଜିଲ୍ଲାର ୬ଗୋଟି ବ୍ଲକର ୧୦ଟି ଗ୍ରାମ ପଂଚାୟତର ସର୍ବମୋଟ ୧୨୪ଟି ଗ୍ରାମର ୫୫୫ଜଣ ହିତାଧିକାରୀଙ୍କୁ ସେବା ଯୋଗାଇବ ବୋଲି ନିର୍ଦ୍ଧାରଣ କରାଯାଇଛି । ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଭଦ୍ରକ ଜିଲ୍ଲାର ଚରମ୍ପା ସ୍ଥିତ ସେଂଟର ଫର ରିହାବିଲିଟେସନ ସର୍ଭିସେସ୍ ଏଣ୍ଡ ରିସର୍ଚ୍ଚ(ସିଆରଏସ୍ଆର)କୁ ନିଯୁକ୍ତ କରାଯାଇଛି । ଏଥି ନିମନ୍ତେ ଏକ ସୁସଜ୍ଜିତ ବସ୍କୁ ଭଡା ସୂତ୍ରରେ ଅଣାଯାଇ କାର୍ଯ୍ୟରେ ମୁତୟନ କରାଯାଇଛି । ଏକ୍ସପ୍ରେସରେ ଅଭିଜ୍ଞ ଡାକ୍ତରୀ ଦଳ ସହିତ ଫିଜିଓଥେରାପିଷ୍ଟ, ମନୋବିଜ୍ଞାନୀ ପରାମର୍ଶଦାତା, ଚକ୍ଷୁ ଓ ଶ୍ରବଣ ସମସ୍ୟା ଚିକିତ୍ସକମାନେ ସାମିଲ ଅଛନ୍ତି । ଅଭିଯାନରେ କିନ୍ନର, ଭିକ୍ଷୁ ଓ ନିସ୍ୱ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ଆତ୍ମ ନିଯୁକ୍ତି ପାଇଁ ତାଲିମ ପ୍ରଦାନ କରାଯିବ । ବରିଷ୍ଠ ନାଗରିକମାନଙ୍କ ଆପତି, ଅଭିଯୋଗ ଶୁଣାଣୀ, ଭିନ୍ନକ୍ଷମ ଚିହ୍ନଟୀକରଣ, ଚକ୍ଷୁ, କର୍ଣ୍ଣ ପ୍ରଭୃତିର ପ୍ରାଥମିକ ପରୀକ୍ଷା କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁବାଷ ନିଆଲ, ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  ସନ୍ଧ୍ୟାରାଣୀ ସିଂଙ୍କ ସମେତ ସିଆରଏସ୍ଆର ଅନୁଷ୍ଠାନର ସମ୍ପାଦକ ଡ. ଭଗବାନ ପରିଡା, ଡ. ଦେବରାଜ ପାଣିଗ୍ରାହୀ, ରୂପାଲୀ ସେନ୍, ଶଙ୍କର୍ଷଣ ପୃଷ୍ଟି, କମଳାକାନ୍ତ ବାରିକ, ସୁମନ ମଞ୍ଜରୀ ଧଳ, ଶେଖାୱତ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଏକ୍ସପ୍ରେସ୍ ପ୍ରଥମ ଦିନରେ ସଦର ବ୍ଲକ୍ , ୧୭-୧୮ ଜୁଲାଇରେ ସିମୁଳିଆ, ୧୯-୨୦ ଜୁଲାଇରେ ଖଇରା, ୨୩ ଏବଂ ୨୫ ଜୁଲାଇରେ ସୋର, ୨୭ ଜୁଲାଇରେ ବାହାନଗା ୨୬ ଏବଂ ୩୦ଜୁଲାଇରେ ନୀଳଗିରି ବ୍ଲକ ପରିଭ୍ରମଣ କରିବ ବୋଲି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ