ଜିଲ୍ଲାରେ ଦଳିତବର୍ଗର ଲୋକମାନଙ୍କ ଉପରେ ବଢିଚାଲିଥିବା ଅତ୍ୟାଚାର ଘଟଣାକୁ ନେଇ ରାଷ୍ଟ୍ରୀୟ ଦଳିତ ମହାସଙ୍ଘର ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାରେ ଦଳିତବର୍ଗର ଲୋକଙ୍କ ଉପରେ ଦିନକୁ ଦିନ ବଢିଚାଲିଥିବା ନିର୍ଯ୍ୟାତନା ଓ ଅତ୍ୟାଚାର ଘଟଣାକୁ ନେଇ ରାଷ୍ଟ୍ରୀୟ ଦଳିତ ମହାସଙ୍ଘ ପକ୍ଷରୁ ଗରାପୁରସ୍ଥିତ ଆମ୍ବେଦକର ଭବନରେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ଦଳିତ ମହାସଙ୍ଘ ରାଜ୍ୟ ସଭାପତି ଅଶୋକ କୁମାର ମଲ୍ଲିକ ଯୋଗଦେଇ କହିଥିଲେ ଯେ କେନ୍ଦ୍ରାପଡା ଜିଲ୍ଲାରେ ଦଳିତବର୍ଗ ଉପରେ ନିର୍ଯ୍ୟାତନା ଓ ଅତ୍ୟାଚାର ବଢି ବଢି ଚାଲିଛି । ପୋଲିସ ସେମାନଙ୍କୁ ନ୍ୟାୟ ଦେବା ବଦଳରେ ଅଭିଯୁକ୍ତମାନଙ୍କୁ ସହଯୋଗ କରୁଛି ବୋଲି ଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି । ଥାନାକୁ ଦୈାଡି ଦୈାଡି ନିର୍ଯ୍ୟାତିତମାନେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ବୋଲି ସେ କହିଛନ୍ତି । ଏହାର ସଦ୍ୟ ଉଦାହରଣ ହେଉଛି ରାଜକନିକା ଥାନା ଅନ୍ତର୍ଗତ ସପ୍ଲାଙ୍ଗ ଗ୍ରାମର ଜନୈକ ଦଳିତ ବର୍ଗର ମହିଳା ଉଚ୍ଚଜାତିର ଲୋକଙ୍କ ଦ୍ୱାରା ଅତ୍ୟାଚାରିତ ଓ ନିର୍ଯ୍ୟାତିତ ହୋଇ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେବି ଥାନା ଅଧିକାରୀ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ । ପରେ ପିଡିତାର ପରିବାର ଜଣଙ୍କ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ କରିବା ପରେ ଅଭିଯୁକ୍ତ ଗିରଫ ହେଲେ । କିନ୍ତୁ ଥାନା ଅଧିକାରୀଙ୍କ ଅପାରଗତା ଏବଂ ଅସାମାଜିକ ଲୋକଙ୍କ ସହିତ ଭିତିରି ସମ୍ପର୍କ ଥିବାରୁ ଅଭିଯୁକ୍ତ ଗିରଫର ୭ଦିନ ମଧ୍ୟରେ ଜାମିନ ପାଇ ଆସି ମାମଲା ଉଠାଇ ନେବାକୁ ପିଡିତାଙ୍କ ପରିବାରକୁ ଧମକ ଦେବା ସହ ମହିଳାଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋଗୁଡିକୁ ଭାଇରାଲ କରିବାରେ ଲାଗିଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ବାରମ୍ବାର ଥାନା ଅଧିକାରୀ ଓ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କୁ ଅଭିଯୋଗ କରାଯାଇଥିଲେବି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ପଟ୍ଟାମୁଣ୍ଡାଇ ଏସଡିପିଓ ଏହି ମାମଲା ଉଠାଇନେବାକୁ ପିଡିତା ମହିଳାଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କୁଳସାହି ଗ୍ରାମର ୪ଜଣ ଦଳିତ ଯୁବକଙ୍କୁ ମିଥ୍ୟା ମାମଲାରେ ଫସାଇ ପଟ୍ଟାମୁଣ୍ଡାଇ ଥାନା ପୋଲିସ ଓ ସ୍ୱତନ୍ତ୍ର ପୋଲିସ ସ୍କ୍ୱାର୍ଡ ଦ୍ୱାରା ଗିରଫ କରାଯାଇଥିବା ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରୁଆକଦଳିବଣର ଜନୈକ ଦଳିତ ଅଙ୍ଗନୱାଡିକର୍ମୀଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିନଥିବା ଅଭିଯୋଗ ହୋଇଛି । ସେହିପରି ରାଜନଗର ଥାନା ଅନ୍ତର୍ଗତ ଦିଘି ଗ୍ରାମର ଦଳିତ ନାବାଳିକା ହତ୍ୟା ଘଟଣାର ୩ମାସ ପରେବି ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ସେହି ଦଳିତ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଗତ ସେପ୍ଟେମ୍ବରମାସ ୨୨ତାରିଖରେ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ପହଁଚି ଧାରଣାକାରୀମାନଙ୍କୁ ଅତ୍ୟନ୍ତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୋରଜବରଦସ୍ତ ଧାରଣାରୁ ଉଠାଇ ଦେବା ଘଟଣା ପୋଲିସର ନିରପେକ୍ଷତା ପ୍ରତି ପ୍ରଶ୍ନବାଚି ସୃଷ୍ଟି କରିଛି । ଗତ ୧୫ତାରିଖରେ ପୋଲିସ ମହାନିର୍ଦେଶକଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ଧାରଣା ଦିଆଯିବା ପରେ ରାଜନଗର ଥାନାରେ ଏକ ମାମଲା ରୁଜୁ ହୋଇଥିଲେବି ପୋଲିସ ଘଟଣାର କୈାଣସି ତଦନ୍ତ କରିନଥିବା ଅଭିଯୋଗ ହୋଇଛି । ବରଂ ପିଡିତାଙ୍କ ପରିବାରକୁ ଅଭିଯୁକ୍ତ କେଶ ଉଠାଇ ନେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଦଳିତମାନୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଥିବା ଦଳିତନେତା ଦିଲ୍ଲିପ କୁମାର ମଲ୍ଲିକ ଓ କଳ୍ପତରୁ ମଲ୍ଲିକଙ୍କ ନାମରେ ପୋଲିସ ମିଥ୍ୟା ମାମଲା ଦାୟର କରିଥିବା ଅଭିଯୋଗ ହୋଇଛି । ଏସବୁ ଘଟଣାକୁ ନେଇ ଦଳିତଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଜିଲ୍ଲାରୁ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ଓ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କୁ ତୁରନ୍ତ ବଦଳି କରାଯିବା ସହ ସେମାନଙ୍କ ବିରୋଧରେ ଦଳିତଙ୍କ ଉପରେ ଅତ୍ୟାଚାର କରିଥିବା ମାମଲା ଦାୟର କରାଯିବାକୁ ରାଷ୍ଟ୍ରୀୟ ଦଳିତ ମହାସଙ୍ଘ ଦାବୀ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହାସଙ୍ଘର ରାଜ୍ୟ ସ୍ତରୀୟ ନେତୃମଣ୍ଡଳୀ ଅମୀୟ କୁମାର ସେଠୀ,ରବିନ୍ଦ୍ର ବେହେରାଙ୍କ ସମେତ କଳ୍ପତରୁ ମଲ୍ଲିକ,ଦିଲ୍ଲିପ କୁମାର ମଲ୍ଲିକ ନଗେନ୍ଦ୍ର କୁମାର ଜେନା ଓ ପିଡିତମାନଙ୍କ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ