ଜିଲ୍ଲାରେ ଦୂର୍ଗାପୂଜା ଜନ ସମାଗମ ବିହୀନ ପାଳନ କରାଯାଉ:ଜିଲ୍ଲାପାଳ

ଛତ୍ରପୁର,(ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଦୂର୍ଗାପୂଜା ଜନସମାଗମ ବିହୀନ ପାଳନ କରିବାପାଇଁ ପ୍ରଶାସନ ପକ୍ଷରୁ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି  । ଜିଲ୍ଲାରେ ଏଯାବତ୍ କୋଭିଡ୍ ବିପଦମୁକ୍ତ ହୋଇ ନାହିଁ  । କୋଭିଡ୍ ସଂକ୍ରମଣ ସଂଖ୍ୟା କମିଛି ସତ, କିନ୍ତୁ କେତେକ ସ୍ଥାନରେ ବର୍ତ୍ତମାନ ମଧ୍ୟ କୋଭିଡ୍ ସଂକ୍ରମଣ ରହିଛି  । ଜନ ସାଧାରଣ ଗହଳିପୂର୍ଣ୍ଣ ସ୍ଥାନକୁ ଯାଇ କୋଭିଡ୍ ସଂକ୍ରମିତ ହୋଇ ନିଜ ଜୀବନକୁ ତଥା ପରିବାର ବର୍ଗଙ୍କ ଜୀବନକୁ ବିପଦ ଆଡକୁ ଟାଣି ନିଅନ୍ତୁ ନାହିଁ ବୋଲି ଆଜି ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଛନ୍ତି  । ତହସିଲଦାର ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀଗଣ ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର ଓ ପଞ୍ଚସୂତ୍ରୀ ନିୟମ ଦିଗରେ ଚଢାଉ କାର୍ଯ୍ୟକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ଯଦି ଦୋକାନୀ ମାନେ ପଞ୍ଚସୂତ୍ରୀ ନିୟମ ର କଡାପାଳନ କରୁ ନାହାନ୍ତି ତେବେ ସଂପୃକ୍ତ ଦୋକାନକୁ ବନ୍ଦ କରାଯାଉ  । ବସ୍ ଏବଂ ଅଟୋ ଗୁଡିକରେ ଯାତାୟାତ କରୁଥିବା ଯାତ୍ରୀଗଣଙ୍କ ସୁରକ୍ଷା ଦିଗରେ କିଭଳି ପଦକ୍ଷେପ ଗ୍ରହଣ କରାଯାଉଛି ତାହା ତଦାରଖ କରି ଚଢାଉ ପ୍ରକ୍ରିୟାକୁ ଜାରି ରଖିବାକୁ କୁହାଯାଇଛି  । ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯାଉ, ଯେଉଁଠି ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ସବୁ ଅଞ୍ଚଳ ପୂର୍ବପରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉ  । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟରେ କଣ୍ଟ୍ରୋଲରୁମ୍ ଚାଲୁ ରଖିବା ଓ ସଂକ୍ରମିତ ବ୍ୟକ୍ତିଙ୍କ ସହ ଜୁମ୍ ଭିଡିଓ ଦ୍ବାରା ତାଙ୍କ ହାଲଚାଲ ବୁଝିବାକୁ ଜଣାଇଥିଲେ  । ଗ୍ରାମାଞ୍ଚଳରେ ସଫେଇ କାର୍ଯ୍ୟକୁ ଗୁରୁତ୍ବ ଦିଆଯାଉ  । ସହରାଞ୍ଚଳ ମଇଳା ଉଠାଇବା କାର୍ଯ୍ୟ ରାତିରେ କରାନ୍ତୁ ଏବଂ ସମସ୍ତ ସଫେଇ କର୍ମଚାରୀଙ୍କ ସଂକ୍ରମଣ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଜଣାଇଥିଲେ  । ଚଳିତ ବର୍ଷ ଦୂର୍ଗାପୂଜା ଛୁଟିରେ ଜିଲ୍ଲାର କୌଣସି ଅଧିକାରୀ କିମ୍ବା କର୍ମଚାରୀ ହେଡକ୍ବାର୍ଟର ଛାଡିବେ ନାହିଁ  । ସେ ଦିଗରେ ସତର୍କ କରାଇ ଦିଆଯାଇଛି  । ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଚାଲୁ ରହିଛି  । ଏଥି ସକାଶେ ମେଟ୍ରୋଲୋଜିକାଲ୍ ସେଣ୍ଟର ଭୁବନେଶ୍ବର ଦ୍ବାରା ଜାରି କରାଯାଇଥିବା ପାଣିପାଗ ସୂଚନା ଅନୁଯାୟୀ ଓ୍ବେଲୋଓ୍ବାର୍ଣ୍ଣିଂ ଦିଆଯାଇଛି  । ଘଣ୍ଟାପ୍ରତି ୬୫କିଲୋମିଟର ବେଗରେ ପବନ ବହିବା ଓ  ପ୍ରବଳ ବର୍ଷା ହେବାର  ସମ୍ଭାବନା ରହିଛି  । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସଜାଗ ରହିବାକୁ ସମସ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଜଣାଇଥିଲେ  । ମାଟି କାନ୍ଥ ଘରେ ରହୁଥିବା ପରିବାର ବର୍ଗଙ୍କୁ କୋଠାକୁ ସ୍ଥାନାନ୍ତର କରି ରଖିବାକୁ ଜଣାଇଥିଲେ  । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜ କାର୍ଯ୍ୟାଳୟରେ କଣ୍ଟ୍ରୋଲରୁମ୍ ଖୋଲିବାକୁ କୁହାଯାଇଛି  । ତିତିଲି ସମୟରେ ଯେଉଁ ଭଳି ପ୍ରସ୍ତୁତ ରହିଥିଲେ ସେହିଭଳି ପ୍ରସ୍ତୁତ ରହିବାକୁ କୁହାଯାଇଛି  । କୌଣସି ଠାରେ ଅପ୍ରିତିକର ପରିସ୍ଥିତି ଦେଖାଗଲେ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟିକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି  । ବୈଠକରେ    ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ,   ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲପାଳ କିର୍ତ୍ତୀ ଭାସନ୍ ଭି, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟଲୋଚନ ମହାନ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ  ମନୋରମା ରେଡ୍ଡୀ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର୍ ଶ୍ୟାମ ସୁନ୍ଦର ତ୍ରିପାଠୀ  ପ୍ରମୁଖ ଉପସ୍ଥିତ ଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ