ଜିଲ୍ଲାରେ ପ୍ରଥମ ଥର ପାଇଁ ଜିଲ୍ଲାପାଳପରିଚୟପତ୍ର ପ୍ରଦାନ କଲେ ୪ଜଣ କିନ୍ନରଙ୍କୁ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ କିନ୍ନର ସୁରକ୍ଷା ଆଇନ – ୨୦୧୯ର କାର୍ଯ୍ୟକାରୀତା ଓଡିଶାରେ ଆରମ୍ଭ ହେବା ପରେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଥର ପାଇଁ ୪ଜଣ କିନ୍ନରଙ୍କୁ ପରିଚୟପତ୍ର ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ । ଏହି ଉପଲକ୍ଷେ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଳି ବ୍ଲକର ମହୁ ଗ୍ରାମର ମିନତୀ ତ୍ରିପାଠୀ ପିତା- ମେଘନାଦ ତ୍ରିପାଠୀ ଓ ଏରଡାଙ୍ଗ ଗ୍ରାମର ଲିପ୍ସା ପରିଡା ପିତା – ବିଜୟ ପରିଡା, ରାଜକନିକା ବ୍ଲକର ବଡତଇଲା ଗ୍ରାମର ସାବେରା ବେଗମ ପିତା – ମିର୍ଜା କରିମ ଓ ସେହି ଗ୍ରାମର ଖାନମ ବେଗମ ପିତା- ମିର୍ଜା କରିମଙ୍କୁ ଏହି ପରିଚୟପତ୍ର ପ୍ରଦାନ କରାଯାଇ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଅଦ୍ୟାବଧି ଜିଲ୍ଲାରେ ୯ଜଣ କିନ୍ନର ଚିହ୍ନଟ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆଇନ ଅନୁଯାଇ ଅନଲାଇନ କିମ୍ବା ଅଫଲାଇନରେ ପ୍ରଥମେ ଦରଖାସ୍ତ କରୁଥିବା କିନ୍ନରମାନଙ୍କୁ ଜିଲ୍ଲାପାଳଙ୍କ ସ୍ୱାକ୍ଷରରେ ପରିଚୟପତ୍ର ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହି ପରିଚୟପତ୍ର ଆଧାରରେ ସେମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ “ସ୍ୱୀକୃତି”ଯୋଜନାରେ ମଧୁବାବୁ ଭତ୍ତା, ଶିକ୍ଷାବୃତ୍ତି, ୧୮ବର୍ଷରୁ କମ କିନ୍ନରଙ୍କ ପିତାମାତାଙ୍କୁ ପରିପାଳନ ଭତ୍ତା, ସେମାନଙ୍କ ଦ୍ୱାରା ଗଠିତ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ସହାୟତା, ଦକ୍ଷତା ବିକାଶ ପାଇଁ ତାଲିମ, ଆତ୍ମନିଯୁକ୍ତି ପାଇଁ ସହାୟତା, ସର୍ବୋପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ପ୍ରବର୍ତ୍ତାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଜିଲ୍ଲା ପ୍ରଶାସନ ଦ୍ୱାରା ଜଣେ କିନ୍ନରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱେଛାସେବୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପୈାରସଂସ୍ଥା, ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗରେ ଥଇଥାନ କରାଯିବାକୁ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି । ଗ୍ରାମାଚଂଳ ଓ ସହରାଚଂଳରେ ଲୁକାଇତ ଭାବେ ରହୁଥିବା ଏହି ବର୍ଗର ପିଲା ବା ଲୋକମାନେ ଆଗକୁ ଆସି ସରକାରଙ୍କ ଯୋଜନା ଗ୍ରହଣ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି । ଜିଲ୍ଲା କାର୍ଯ୍ୟାଳୟର ସଞ୍ଜୟ କୁମାର ବାରିକ, ସର୍ବେଶ୍ୱର ବାରିକ, ଦେବିପାଦ ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


