ଜିଲ୍ଲାରେ ବୁଲିଲା ସଚେତନତା ରଥ
ଛତ୍ରପୁର,,(ଦେବଦତ୍ତ ମହାରଣା ): କନ୍ୟା ଶିଶୁ ବଞ୍ଚିରହିବା ଏବଂ ସେମାନଙ୍କର ବିକାଶ ନିମନ୍ତେ ସକ୍ଷମକାରୀ ପରିବେଶ ସୃଷ୍ଟି କରିବା ଓ ସେମାନଙ୍କ ସମ୍ମାନ ବଜାୟ ରଖିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି । ‘ଆମ କନ୍ୟା ଆମ ରତ୍ନ’ ଜିଲ୍ଲାବାସୀଙ୍କୁ ସଚେତନତା ଲାଗି ଏକ ସଚେତନତା ରଥ ସମଗ୍ର ଜିଲ୍ଲାରେ ଆଜିଠୁ ପରିକ୍ରମା କରିବ । ଏହି ସଚେତନତା ରଥକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସପ୍ତାହ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଏହି ସଚେତନତା ରଥ ପରିକ୍ରମା କରି ଜନସାଧାରଣଙ୍କୁ କନ୍ୟାରତ୍ନ ସମ୍ବନ୍ଧରେ ବ୍ୟାପକ ସଚେତନତା କରିବା ନିମନ୍ତେ ପଦକ୍ଷେପ ରହିଛି । କନ୍ୟାରତ୍ନ ପାଇଁ ପୂର୍ବରୁ ଜିଲ୍ଲାରେ ବେଟି ବଚାଓ ବେଟି ପଢାଓ, ବିଜୁ କନ୍ୟା ରତ୍ନ ଯୋଜନା, ମୋ ଗେହ୍ଲାଝିଅ ଓ ନିର୍ଭୟକଢି ଭଳି ଅନେକ ଯୋଜନା ହାତକୁ ନିଆଯାଇଛି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ବିଜୁ କନ୍ୟାରତ୍ନ ଯୋଜନାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶରତ ଚନ୍ଦ୍ର ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସୁଦାମ ପାଣିଗ୍ରାହୀ ଓ ଶିବ ପ୍ରସାଦ ରଥ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ କାର୍ଯ୍ୟାଳୟର ଡିପିଏମ୍ ଅରୁଣ କୁମାର ନାୟକ, ସାମାଜିକ କର୍ମୀ ଅରୁଣ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।