ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରି
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ବାଲେଶ୍ୱର ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଛିି । ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ନିଜ ଭୋଟର ପରିଚୟ ପତ୍ରରେ ରହିଥିବା ତ୍ରୁଟିକୁ ସୁଧାରିନେବା ପାଇଁ ଜଣାଇ ଦିଆଯାଇଛି । ଚଳିତ ମାସ ୧୬ ତାରିଖରୁ ଜିଲ୍ଲାର ସମସ୍ତ ଭୋଟଗ୍ରହଣ କେନ୍ଦ୍ର, ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ, ସମସ୍ତ ତହସିଲ ଓ ବ୍ଲକ କାର୍ଯ୍ୟାଳୟରେ ଭୋଟର ତାଲିକା ପ୍ରକାଶ ପାଇଛି । ଭୋଟରମାନେ ଏହାକୁ ଅନୁଧ୍ୟାନ କରିପାରିବା ସହ ନିଜର ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ,ଆଧାର କାର୍ଡ, ରେସନ କାର୍ଡ ସରକାରୀ/ଅର୍ଦ୍ଧସରକାରୀ ଚାକିରୀରେ ଥିବା ପରିଚୟ ପତ୍ର, ବ୍ୟାଙ୍କ ପାସବୁକ ଓ କୃଷକ ପରିଚୟ ପତ୍ର ଇତ୍ୟାଦି ଦେଖାଇ ଭୋଟର କାର୍ଡରେ ରହିଥିବା ତ୍ରୁଟିର ସଂଶୋଧନ ପାଇଁ ଡିସେମ୍ବର ୧୫ତାରିଖ ସୁଦ୍ଧା ଆବେଦନ କରିବାକୁ ଭାରତର ନିର୍ବାଚନ କମିଶନଙ୍କ ତରଫରୁ ସୂଚୀତ କରାଯାଇଛି । ଏଥି ପାଇଁ ନିଜ ଅଂଚଳରେ ଥିବା ଭୋଟର ହେଲପ ଲାଇନ, ଆପ୍, ଏନଭିଏସପି ୱେବସାଇଟ, ଜନସେବା କେନ୍ଦ୍ର କିମ୍ବା ସ୍ଥାନୀୟ ବୁଥସ୍ତରୀୟ ଅଧିକାରୀ ମାଧ୍ୟମରେ କୌଣସି ଭୋଟରଙ୍କ ଭୋଟର କାର୍ଡରେ ଥିବା ଫଟୋ ଯଦି ଝାପସା ହୋଇଥାଏ କିମ୍ବା ନାମ, ଠିକଣା ଆଦି ଭୁଲ୍ ଥାଏ ତା ହେଲେ ଉପରେ ଦର୍ଶିତ ଯେ କୌଣସି ଦସ୍ତାବିଜ୍ ଦେଇ ପରିଚୟ ପତ୍ର ସଂଶୋଧନ କରାଯାଇପାରିବ । ଯଦି ପରିବାରର କୌଣସି ବ୍ୟକ୍ତି ମୃତ ବା ସ୍ଥାନାନ୍ତରିତ ହୋଇଥାନ୍ତି ତେବେ ପରିବାରର ଯେ କୌଣସି ବ୍ୟକ୍ତି ନିଜ ନାମରେ ଆବେଦନ କରି ମୃତ କିମ୍ବା ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ କାଟି ପାରିବେ । ଯେଉଁମାନଙ୍କର ବୟସ ୦୧ ଜାନୁଆରୀ ୨୦୨୧ ସୁଦ୍ଧା ୧୮ ବର୍ଷ ବୟସ ହୋଇଛି ଅଥଚ ସେମାନଙ୍କ ନାମ ଭୋଟର ତାଲିକାରେ ଦରଜ ହୋଇ ନାହିଁ, ସେମାନେ ୬ ନମ୍ବର ଫର୍ମ ମାଧ୍ୟମରେ ବୁଥସ୍ତରୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ । ଭୋଟର ତାଲିକାରେ ଗୋଟିଏ ଭୋଟ୍ ଗ୍ରହଣ କେନ୍ଦ୍ରରୁ ଅନ୍ୟ ଏକ ଭୋଟ୍ କେନ୍ଦ୍ରକୁ ନିଜର ନାମ ସ୍ଥାନାନ୍ତର ନିମନ୍ତେ ଫର୍ମ ନମ୍ବର ୮(କ) ଏବଂ ଯେଉଁ ବ୍ୟକ୍ତିମାନଙ୍କର ଭୋଟର ଲିଷ୍ଟରେ ଫଟୋ ନାହିଁ କିମ୍ବା ଭୁଲ୍ ଫଟୋ ଅଛି ସେମାନେ ସଂଶୋଧନ ପାଇଁ ଫର୍ମ ନମ୍ବର ୮ରେ ଆବେଦନ କରିପାରିବେ । ଦିବ୍ୟାଙ୍ଗ ବ୍ୟକ୍ତିମାନେ ଭୋଟର ସହାୟତା ନମ୍ବର ୧୯୫୦ ମାଧ୍ୟମରେ ନିଜ ଭୋଟର ପରିଚୟ ପତ୍ରର ବିବରଣୀ ପାଇପାରିବେ । ଯଦି ଆବେଦନ ପତ୍ରର ୬,୭,୮, ୮(କ) ମିଳିବାରେ ଅସୁବିଧା ହେଉଥାଏ ତେବେ ceo.gov.in ୱେବସାଇଟରୁ ଆବେଦନ ପତ୍ର ପାଇପାରିବେ ବୋଲି କୁହାଯାଇଛି । ନୂତନ ଭୋଟରମାନଙ୍କ ନାମ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ ଜନସାଧାରଣଙ୍କୁ ବ୍ୟାପକ ଭାବେ ସଚେତନ କରାଯିବ । ଏଥିପାଇଁ ଚଳିତମାସ ୨୮ ଓ ୨୯ ତାରିଖ ଏବଂ ଡିସେମ୍ବର ୫ ଓ ୬ତାରିଖକୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ପାଳନ କରାଯିବ । ଏହି ଦିନମାନଙ୍କରେ ବୁଥସ୍ତରୀୟ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ନୂତନ ଭୋଟରମାନଙ୍କ ଭୋଟର ତାଲିକାରେ ନାମ ସଂଯୋଗ ଓ ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ । ଆସନ୍ତା ଜାନୁଆରୀ ୫ତାରିଖ ସୁଦ୍ଧା ଆପତି ଅଭିଯୋଗ ଗ୍ରହଣ କରାଯାଇ ସମାଧାନ କରାଯିବାକୁ ଥିବା ବେଳେ ଚୂଡାନ୍ତ ସଂଶୋଧିତ ଭୋଟର ତାଲିକା ୨୦୨୧ ଜାନୁଆରୀ ୧୫ତାରିଖରେ ସମସ୍ତ ଭୋଟଗ୍ରହଣ କେନ୍ଦ୍ର, ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାରା ବ୍ୟାପକ ଭାବେ ସଂଚାଳନ କରିବା ଉଦ୍ଦେଶ୍ୟରେ ସମସ୍ତ ରାଜନୈତିକ ଦଳ ଓ ଜନସାଧାରଣଙ୍କ ସହଯୋଗ ଲୋଡାଯାଇଛି । ଭୋଟର ପରିଚୟ ପତ୍ର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ହୋଇଥିବାରୁ ନୂତନ ଯୁବ ଭୋଟରମାନେ ନିଶ୍ଚିତ ଭାବେ ସେମାନଙ୍କ ନାମ ଏହି ସମୟ ମଧ୍ୟରେ ପଞ୍ଜୀକରଣ କରାଇନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।