ଜିଲ୍ଲାରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ
ପୁରୀ (ଜୁଗାବ୍ଦ ନ୍ୟୁଜ୍): ଜିଲ୍ଲାରେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ତୋଦୟ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ପ୍ରତି କାର୍ଡ ପିଛା ଦୁଇ ହଜାର ଟଙ୍କା ବଣ୍ଟନ କରାଯାଇଛି । ଏପର୍ଯ୍ୟନ୍ତ ଦୁଇ ଲକ୍ଷ ୯୭ ହଜାର ୨୪୭ଟି ପରିବାରକୁ ଅର୍ଥାତ୍ ଶତକଡା ୮୪ ଭାଗ ପରିବାରକୁ ଟଙ୍କା ବଣ୍ଟନ କରାଯାଇଛି । ଅଣ ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ ପାଇଁ ପ୍ରାକ୍ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି । ପ୍ରତ୍ୟେକ ଅଞ୍ଚଳର ଗୃହ ବିବରଣଈ ତାଲିକ (ହାଉସ୍ ହୋଲ୍ଡ ରେଜିଷ୍ଟରଽ ପ୍ରଦାନ କରିବାକୁ ସମ୍ପୃକ୍ତ ଅଙ୍ଗନବାଡି କର୍ମୀମାନଙ୍କୁ ଜିିଲ୍ଲାପାଳ ବଲୱନ୍ତ ସିଂ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଗତକାଲି ବାତ୍ୟା ବିପନ୍ନଙ୍କୁ ୨୮୪୬ କୁଇଣ୍ଟାଲ ଚୁଡ଼ା ଓ ୩୭୭ କୁଇଣ୍ଟାଲ ଗୁଡ଼ ପ୍ରଦାନ କରାଯାଇଥିଲା । ଏପର୍ଯ୍ୟନ୍ତ ଏକ ଲକ୍ଷ ୭୦ ହଜାର ପରିବାରକୁ ପଲିଥିନ ବଣ୍ଟନ କରାଯାଇଛି । ଜିଲ୍ଲାରେ ୮ଟି ଭ୍ରାମ୍ୟମାଣ ଜଳ ବିଶୋଧନ ୟୁନିଯ୍ କାର୍ଯ୍ୟକ୍ଷମ ହେଉଥିବାବେଳେ ୩୪୪ଟି ନଳକୂପ ମରାମତି ଏବଂ ୭ହଜାର ୪୮୧ଟିକୁ ବିଶୋଧନ କରାଯାଇଛି । ୯୩୧୯୬ ଚାଷୀଙ୍କ ୩୧୪୭୦ ହେକ୍ଟର ଜମିର ଫସଲ ହାନି, ୧୫୨୧ଟି ଡଙ୍ଗା ଓ ୨୦୩୬ ମାଛଧରା ଜାଲ ବାତ୍ୟାରେ ନଷ୍ଟ ହୋଇଥିବା ଜଣାପଡ଼ିଛି । ଆସନ୍ତା ୫ ଦିନ ମଧ୍ୟରେ ମୃତ ଜୀବଜନ୍ତୁଙ୍କ ସ୍ଥାନ ବିଶୋଧନ କରାଯିବ ଏବଂ ଜରୁରୀ ପାଇଁ ୧୧ଶହ ମେଟ୍ରିକ୍ ଟନ୍ ପଶୁଖାଦ୍ୟ ବଣ୍ଟନ କରାଯାଇଛି । ଜିଲ୍ଲାରେ ବିଦ୍ୟୁତ୍ ଓ ଟେଲି ଯୋଗାଯୋଗ ପୁନଃ କାର୍ଯ୍ୟକ୍ଷମ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବାସହ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ।