ଜିଲ୍ଲାରେ ୭ମ ଅର୍ଥନୈତିକ ଗଣନା କାର୍ଯ୍ୟ ଆରମ୍ଭ

ବାଲେଶ୍ୱର : ସଦଭାବନା ସଭାଗୃହଠାରେ ଜିଲ୍ଲାର ୭ମ ଅର୍ଥନୈତିକ ଗଣନା କାର୍ଯ୍ୟର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଏହାର ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଏହି ଗଣନା କାର୍ଯ୍ୟ ୩ରୁ ୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅର୍ଥନୈତିକ ଗଣନାରେ ନିୟୋଜିତ ସୁପରଭାଇଜର ଓ ଗଣନାକାରୀଙ୍କ ସଠିକ ତଥ୍ୟ ସଂଗ୍ରହ ଉପରେ ଜିଲ୍ଲାପାଳ ଗୁରୁୁତ୍ୱାରୋପ କରିଥିଲେ । ସରକାରଙ୍କ ଯୋଜନା ପ୍ରଣୟନ ଏବଂ ତାହାର କାର୍ଯ୍ୟାନ୍ୱୟନ ଏହା ଉପରେ ନିର୍ଭର କରୁଥିବାରୁ ଧୈର୍ଯ୍ୟର ସହ ସଠିକ ତଥ୍ୟ ସଂଗ୍ରହ ନିମନ୍ତେ ଜିଲ୍ଲାପାଳ ଚକ୍ରବର୍ତୀ ପରାମର୍ଶ ଦେଇଥିଲେ । ଏଥିସହିତ ଏହାର ନିୟମିତ ସମୀକ୍ଷା ନିମନ୍ତେ ପ୍ରତି ମାସରେ ଅନ୍ତତଃ ଗୋଟିଏ ବୈଠକର ଆୟୋଜନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ପ୍ରତି ସହରାଂଚଳ, ବ୍ଲକ ଏବଂ ପଂଚାୟତକୁ ଏଥିରେ ସାମିଲ କରାଯାଇଛି । ଭାରତ ସରକାରଙ୍କ ପରିସଂଖ୍ୟାନ ଓ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ ଦ୍ୱାରା ହେଉଥିବା ଏହି କାର୍ଯ୍ୟକ୍ରମକୁ ଜିଲ୍ଲାରେ କମନ ସର୍ଭିସ୍ ସେଂଟର (ଇ ଗଭର୍ଣ୍ଣାନ୍ସ ସର୍ଭିସେସ) ଇଣ୍ଡିଆ ଲିମିଟେଡ୍ର ଶାଖାଗୁଡିକ ମାଧ୍ୟମରେ ସଂପାଦନ କରାଯିବ । ୭ମ ଅର୍ଥନୈତିକ ଗଣନା ନିମନ୍ତେ ବାଲେଶ୍ୱର ଜିଲ୍ଲାରେ ୫୪୦ଜଣ ସୁପରଭାଇଜର ଓ ୨୪୩୬ଜଣ ଗଣନାକାରୀଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ ପରେ ନିୟୋଜିତ କରାଯାଇଛି । ପ୍ରଥମ ଥର ପାଇଁ ୭ମ ଅର୍ଥନୈତିକ ଗଣନା କାର୍ଯ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମାଧ୍ୟମରେ ପରିଚାଳନା କରାଯାଉଥିବା ବେଳେ ଗଣନାକାରୀମାନେ ମୋବାଇଲ ଆପ ମାଧ୍ୟମରେ ସୂଚନା ସଂଗ୍ରହ ଏବଂ ଅପଡେଟ୍ କରିବେ । ଏଥିଲାଗି ସେମାନେ ଜିଲ୍ଲାର ସମସ୍ତ ଗ୍ରାମାଂଚଳ ଓ ସହରାଂଚଳରେ ଥିବା ପ୍ରତ୍ୟେକ ଘର, ପରିବାର ଓ ବ୍ୟବସାୟିକ ଅନୁଷ୍ଠାନମାନଙ୍କୁ ଯାଇ ତଥ୍ୟ ସଂଗ୍ରହ କରିବେ । ବୈଠକରେ ଯୋଜନା ଓ ପରିସଂଖ୍ୟାନ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ସବ୍ୟସାଚୀ ଦତ ଅର୍ଥନୈତିକ ଗଣନାର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଦେଶର ଭୌଗୋଳିକ ସୀମାରେଖା ମଧ୍ୟରେ ଥିବା ସମସ୍ତ ଉଦ୍ୟୋଗ ଗୁଡିକର ସଂପୂର୍ଣ୍ଣ ଗଣନାକୁ ଅର୍ଥନୈତିକ ଗଣନା କୁହାଯାଏ । ଅର୍ଥନୈତିକ ଗଣନା ଦ୍ୱାରା ସଂଗ୍ରହ କରାଯାଉଥିବା ତଥ୍ୟ ଦେଶର ଯୋଜନା ପ୍ରଣୟନ ଓ ଉଦ୍ୟୋଗ ଗୁଡିକର ବିଭିନ୍ନ ଅର୍ଥନୈତିକ ଅବଦାନକୁ ଆକଳନ କରିବା ପାଇଁ ଆବଶ୍ୟକ ହୋଇଥାଏ । ପ୍ରଥମ ଥର ପାଇଁ ୧୯୭୭ ମସିହାରେ ଭାରତ ସରକାରଙ୍କ ଅଧିନସ୍ଥ କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥା ଏବଂ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ସଂସ୍ଥା ଦ୍ୱାରା ଅର୍ଥନୈତିକ ଗଣନା କାର୍ଯ୍ୟ କରାଯାଇଥିଲା । ଏହି ବୈଠକରେ ଜିଏମ, ଡିଆଇସି ହରିହର ଜେନା ଉପସ୍ଥିତ ରହି ପ୍ରତିଦିନ ସୂଚନା ସଂଗ୍ରହର ଅଗ୍ରଗତି ଉପରେ ନଜର ରଖିବା ଏବଂ ପରବର୍ତୀ ପ୍ରସ୍ତୁତି କରିବା ଉପରେ ଜୋର୍ ଦେଇଥିଲେ । ସିଏସସି ଜିଲ୍ଲା ମ୍ୟାନେଜର ଅରୂପ କୁମାର ମହାପାତ୍ର ଏଥିରେ ଯୋଗ ଦେଇ ଅର୍ଥନୈତିକ ଗଣନାର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ସିଏସସିର ପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ