ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସ୍ୱାଭିମାନୀ କେନ୍ଦ୍ରାପଡା ପକ୍ଷରୁ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲାର ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ସାଧାରଣ ଜନତା ସରକାରୀ ଡାକ୍ତରଖାନାରେ ଆବଶ୍ୟକୀୟ ସୁବିଧା ସୁଯୋଗ ପାଉନଥିବାରୁ ବେସରକାରୀ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଛି । ସେହିପରି ଡାକ୍ତଖାନାର ବହୁ ସହାୟକ ପଦବୀ ମଧ୍ୟ ଦୀର୍ଘବର୍ଷ ଧରି ଖାଲିପଡିଛି । ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ମଧ୍ୟ ସମାନ ଅବସ୍ଥା ପରିଲିଖିତ ହୋଇଛି । ଜିଲ୍ଲାର ସମସ୍ତ ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକସନ ଉପଲବ୍ଧ ହେଉନାହିଁ । ଜିଲ୍ଲା ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା ଉପକରଣ ଓ ଅତ୍ୟାଧୁନିକ ଭିତ୍ତିଭୂମୀର ଅଭାବ ଥିବାରୁ ଏହା ରୋଗୀମାନଙ୍କୁ ନିରାଶ କରୁଛି । ସେହିପରି ପୈାରାଞ୍ଚଳ ସମେତ ଜିଲ୍ଲାର ସମଗ୍ର ଗ୍ରାମାଞ୍ଚଳ ଗୁଡିକରେ ରାସ୍ତାଘାଟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । କେନ୍ଦ୍ରାପଡା ସହରର ମୁଖ୍ୟ ରାସ୍ତାଟି ବର୍ଷ ବର୍ଷ ଧରି ମରାମତି ହେଉନଥିବାରୁ ସାଧାରଣ ଯାତ୍ରୀଟି ନାନା ଅସୁବିଧାର ସମ୍ମୁଖୀନ ହେଉଛି । ପୈାରାଞ୍ଚଳରେ କଠିନ ବର୍ଯ୍ୟବସ୍ତୁର ସୁପରିଚାଳନା ହେଉନଥିବାରୁ ସହର ସାରା କୁଢ କୁଢ ଆବର୍ଜ୍ଜନା ଜମି ରହି ପରିବେଶ ଦୁଷିତ କରୁଛି । ଜିଲ୍ଲାରେ ସବୁଜ ବଳୟ ସୃଷ୍ଟି ଓ ପରିବେଶ ସୁରକ୍ଷା ଦିଗରେ ଜିଲ୍ଲା ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଏବଂ କରୋନା ମହାମାରୀ ସମୟରେ ସରକାରୀ ଅର୍ଥରେ ପ୍ରବାସୀ ଶ୍ରମିକଙ୍କ ଦ୍ୱାରା ରୋପଣ କରାଯାଇଥିବା ଚାରା ତାର ଅସ୍ତିତ୍ୱ ହରାଇବସିଥିବା ଅଭିଯୋଗ ହୋଇଛି । ତେଣୁ ଏହିସବୁ ମୈାଳିକ ସମସ୍ୟାର ସମାଧାନ ସହ ଏକ ସମୃଦ୍ଧ କେନ୍ଦ୍ରାପଡା ଗଠନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ପ୍ରଦାନ କରାଯିବାକୁ ରାଜ୍ୟପାଳଙ୍କୁ ନିବେଦନ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଡଃ. କଳ୍ପନା ମଲ୍ଲିକଙ୍କ ସମେତ ଦିଲ୍ଲିପ ବିଶ୍ୱାଳ, ଗୋଲଖ ବିହାରୀ ପାତ୍ର, ମାଧବ ମଳିକ, ବୀକ୍ରମ ଖଣ୍ଡେଇ, ଜିଲ୍ଲା ପରିଷଦ ସଦସ୍ୟ ଦେବାଶିଷ ଦାସ, ଅମର ବିଶ୍ୱାଳ ପ୍ରମୁଖ ଶତାଧିକ ଲୋକ ଉପସ୍ଥିତ ଥିଲେ ।


