ଜିଲ୍ଲାର ବିଭିନ୍ନ ସ୍ଥାନରେ ନାଏବ ସରପଞ୍ଚ ସକାଶେ ନିର୍ବାଚନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ଓ ଫଳାଫଳ ଘୋଷଣା ହୋଇଯାଇଛି । ଏହି ପ୍ରକ୍ରିୟାନୁଯାୟୀ ଶୁକ୍ରବାର ଦିନ ଗଜପତି ଜିଲ୍ଲାର ସମସ୍ତ ନାଏବ ସରପଞ୍ଚ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମିଳିଥିବା ସୂଚନାନୁ ଯାୟୀ ଜିଲ୍ଲାର କେବଳ ଦୁଇଗୋଟି ପଞ୍ଚାୟତ ଯଥା ରାୟଗଡ ବ୍ଲକର ଗଣ୍ଡାହାତୀ ପଞ୍ଚାୟତ ଓ ଆର୍‌.ଉଦୟଗିରି ବ୍ଲକର ପରିସଲ ପଞ୍ଚାୟତରେ ଆବଶ୍ୟକୀୟ ସଭ୍ୟସଭ୍ୟାଙ୍କ ଅନୁପସ୍ଥିତି ଯୋଗୁଁ ନାଏବ ସରପଞ୍ଚ ନିର୍ବାଚନ ହୋଇପାରିନି । ଅବଶିଷ୍ଟ ଜିଲ୍ଲାର ୧୪୭ ପଞ୍ଚାୟତରେ ଆଜି ସମସ୍ତ ନବ ନିର୍ବାଚିତ ୱାର୍ଡ ସଭ୍ୟ/ସଭ୍ୟା ଓ ସରପଞ୍ଚଙ୍କ ଉପସ୍ଥିତିରେ ନାଏବ ପ୍ରାର୍ଥୀ/ପ୍ରାର୍ଥିନୀ ମାନେ ସକାଳ ୧୦ ଘଣ୍ଟା ଠାରୁ ୧୧ ଘଣ୍ଟା ମଧ୍ୟରେ ନାମାଙ୍କନ ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରତ୍ୟାହାର ପାଇଁ ୧୧ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ଘଣ୍ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । ଏହାପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁ ଯେଉଁ ସ୍ଥାନରେ ପ୍ରତିଦ୍ୱନ୍ଦି ନଥିଲେ ସେଠାରେ ନିଦ୍ୱନ୍ଦରେ ନାଏବ ସରପଞ୍ଚମାନେ ନିର୍ବାଚିତ ହୋଇଥିବା ବେଳେ ପ୍ରତିଦ୍ୱନ୍ଦି ଥିବା ସ୍ଥାନମାନଙ୍କରେ ନିର୍ବାଚିନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗୋଷାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ନାଏବ ସରପଞ୍ଚ ସକାଶେ ଜଣେ ମାତ୍ର ପ୍ରାର୍ଥିନୀ ଆମିଟି ମହାଲକ୍ଷ୍ମୀ ନାମାଙ୍କନ ଭରିଥିଲେ । ଯାଞ୍ଚ ପରେ ସମସ୍ତ ଦସ୍ତାବିଜ ସଠିକ ଥିବାର ଘୋଷଣା କରିଥିଲେ ପ୍ରିସାଇଡିଙ୍ଗ ଅଫିସର ଚେଲି ତ୍ରିପତି ରାଓ । ମୋହନା ବ୍ଲକର ୧୫ ଟି ପଞ୍ଚାୟତର ନାଏବ ସରପଞ୍ଚ ପ୍ରାର୍ଥୀ ବିଜୟ ହୋଇଥିବାର ସୂଚନା ମିଳିଛି । ସେମାନେ ହେଲେ ଅଡବା ପଞ୍ଚାୟତ ପାଇଁ ସୁରଥି ରଇତ, ବିରିକୋଟ ପଞ୍ଚାୟତରେ ପାଉଲ ଦଳବେହେରା, ଖାରିଗୁଡା ପଞ୍ଚାୟତରେ ସବିତା ବେହେର୍ଦ୍ଦଳାଇ, ମାଣ୍ଡିମେରା ପଞ୍ଚାୟତରେ ଯୋହନ ମାଝୀ, ରାଇପଙ୍କା ପଞ୍ଚାୟତରେ କାଇଲ ମାଝୀ, ଗୁଲୁବା ପଞ୍ଚାୟତରେ ଇଶାକ ମାଝୀ, ଡେଙ୍ଗେସଖାଲ ପଞ୍ଚାୟତରେ ସୁକାନ୍ତ ମାଝୀ, ଗୁରୁଝୁଲି ପଞ୍ଚାୟତରେ ଆରତୀ ମାଝୀ, ଡମ୍ବଗୁଡା ପଞ୍ଚାୟତରେ ଫୁସ୍ତି ମଲ୍ଲିକ, ବାଡେଗୁଡା ପଞ୍ଚାୟତରେ ରାମଚରଣ ମଲ୍ଲିକ, ଆଲିଗଣ୍ଡା ପଞ୍ଚାୟତରେ ତୁମୁଲୁ ଶବର, ଦମାଦୁଆ ପଞ୍ଚାୟତରେ ରାଜକୁମାର ମଲ୍ଲିକ, କଟାମା ପଞ୍ଚାୟତରେ ଫକୀର ମାଝୀ, ଗରଡମା ପଞ୍ଚାୟତରେ ଯୁଗଲ ମଲ ବିଷୟୀ ବୋଲି ଜଣାପଡିଛି । ସେହିପରି ରାୟଗଡ ବ୍ଲକ ଅନ୍ତର୍ଗତ କୁମୁଳସିଙ୍ଗି ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାର ସହ ନାଏବ ସରପଞ୍ଚ ନିର୍ବାଚନ ହୋଇଯାଇଛି । ଏଠାରେ ଜଣେମାତ୍ର ନାଏବ ସରପଞ୍ଚ ପାଇଁ ନାମାଙ୍କନ ଭରିଥିଲେ । ଯାଞ୍ଚ ପରେ ସମସ୍ତ ଦସ୍ତାବିଜ ସଠିକ୍ ଥିବା ଏବଂ ପ୍ରତିଦ୍ୱନ୍ଦି ନଥିବାରୁ ଜଣେମାତ୍ର ନାମାଙ୍କନ ଭରିଥିବା ବିନ ଦେବୀଙ୍କୁ ନାଏବ ସରପଞ୍ଚ ଭାବେ ଘୋଷଣା କରିଥିଲେ ପ୍ରିଜାଇଡିଂ ଅଫିସର । ଏହି ନିର୍ବାଚନ ପ୍ରକ୍ରିୟାରେ ନବ ନିର୍ବାଚିତ ବ ୱାର୍ଡ ସଭ୍ୟସଭ୍ୟା, ସରପଞ୍ଚଙ୍କ ଉପସ୍ଥିତିରେ ନିର୍ବାଚନ ପ୍ରକ୍ରିୟା ସମାପନ ହୋଇଥିଲା । ଏହି ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସକାଶେ ସମ୍ପୃକ୍ତ ଥାନା ଅଞ୍ଚଳର ପୋଲିସ ମୁତୟନ ହୋଇଥିବାର ଦେଖିବାକୁ ମିଳିଥିଲା । ନବ ନିର୍ବାଚିତ ନାଏବ ସରପଞ୍ଚମାନଙ୍କୁ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ , ସମିତି ଓ ୱାର୍ଡ ସଭ୍ୟସଭ୍ୟାମାନେ ସମ୍ବର୍ଦ୍ଧନା ଦେଇଥିବାର ମଧ୍ୟ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ