ଜିଲ୍ଲାର ସ୍ୱାସ୍ଥ୍ୟବସ୍ଥା ସଜାଡିବା ପାଇଁ ଡାକ୍ତର ନିଯୁକ୍ତି
ଅନୁଗୋଳ,- ଅନୁଗୋଳ ଜିଲ୍ଲାରେ ସ୍ୱାସ୍ଥାବ୍ୟସ୍ଥା ସୁଧାରିବାକୁ ୪୦ ଜଣ ନୂଆ ଡ଼ାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି ।ନିର୍ବାଚନକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଧାରିବାକୁ ଓଡ଼ିଶା ସରକାର ଚଳିତ ସପ୍ତାହରେ ୧୫୫୯ଜଣ ଡ଼ାକ୍ତରଙ୍କୁ ନିଯୁକ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪୦ଜଣ ଡ଼ାକ୍ତରଙ୍କୁ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଆଦେଶ ରହିଛି । ଅନୁଗୋଳ ଜିଲ୍ଲାର ୧୨ଲକ୍ଷ ଲୋକଙ୍କ ପାଇଁ ମୋଟ ୪୭ଟି ଡ଼ାକ୍ତରଖାନାରେ ୧୯୭ ଡ଼ାକ୍ତର ମଧ୍ୟରୁ ୧୦୧ଟି ପଦବି ଖାଲି ପଡ଼ିଥିଲା । ଉକ୍ତ ୪ହଜଣଙ୍କ ନିଯୁକ୍ତି ପରେ ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆସିପାରେ ବୋଲି ଜିଲ୍ଲାବାସୀ ଆଶାବାଦୀ ଅଛନ୍ତି । ଏହି ନିଯୁକ୍ତି ରାଜ୍ୟ ସରକାରଙ୍କ ତରଫରୁ ଦୁଇଟି ପର୍ଯ୍ୟାୟରେ କରାଯାଇଛି । ଓପିଏସ୍ସି ଆଧାରରେ ଜିଲ୍ଲାକୁ ୨୧ ଡ଼ାକ୍ତର ନିଯୁକ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାଧପୁର, କିଶୋରନଗର ଡ଼ାକ୍ତରଖାନାକୁ ୩ଜଣ ଲେଖାଏଁ, କୋଶଳା, ଗୋଡ଼ିବନ୍ଧ, ବନ୍ତଳା, ବଅଁରପାଳ ଓ ଖମାର ଡ଼ାକ୍ତରଖାନାକୁ ୨ଜଣ ଲେଖାଁଏ ଡ଼ାକ୍ତର ଓ ଠାକୁରଗଡ଼, ଗୋପାଳପ୍ରସାଦ, ହଣ୍ଡପା, ଛେଣ୍ଡିପଦା, କଣିହାଁ ମେଡ଼ିକାଲ୍କୁ ଜଣେ ଲେଖାଁଏ ଓପିଏସ୍ସି ଡ଼ାକ୍ତର ପଠାଯାଇଛି । ସେହିପରି ଅନୁଗୋଳ ଜିଲ୍ଲାରେ ୧୯ଜଣ ଡ଼ାକ୍ତରଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଛି । ପୁରୁଣାଗଡ଼, ବଣାମିରା, ପାତ୍ରପଡ଼ା, ବାଗେଡ଼ିଆ, ଚଷାଗୁରୁଜାଙ୍ଗ, ଜମରଡ଼ିହ, ଝାରବେଡ଼ା, ପୁରୁଣାକୋଟ, ଜଗନ୍ନାଥପୁର, ଟାଇଁସି, ବଡ଼କେରେଜାଙ୍ଗ, ମରାତିରାହାଟ, ବିରୁ, ବଅଁରପାଳ, ବଜ୍ରକୋଟ, ପାଇକ ସାହି, କଙ୍କିଳ ସହର ଗୁରୁଜାଙ୍ଗ, ବଇଣ୍ଡା ପ୍ରଭୃତି ଡ଼ାକ୍ତରଖାନାକୁ ଜଣେ ଲେଖାଁଏ ଡ଼ାକ୍ତର ଯାଇ ସେବା କରିବାକୁ ନିର୍ଦ୍ଧେଶ କରାଯାଇଛି ।


