ଜିଲ୍ଲାସ୍ତରୀୟ ଅଂଶୁଘାତ ପ୍ରସ୍ତୁତି ବୈଠକ ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ

ବାଲେଶ୍ୱର : ପୂର୍ବାହ୍ନରେ ସଦଭାବନା ସଭାଗୃହରେ ଆଗାମୀ ଗ୍ରୀଷ୍ମପ୍ରବାହ ଏବଂ ଅଂଶୁଘାତ ଜନିତ ସମସ୍ୟାର ମୁକାବିଲା ନିମନ୍ତେ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା  ନିବେଦିତା ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ପିଡି ଡିଆରଡିଏ ରାମଚନ୍ଦ୍ର ଜେନା, ବାଲେଶ୍ୱର ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ  ତୁଷାର କାନ୍ତ ଜେନା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବଙ୍କ ସମେତ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ଗ୍ରୀଷ୍ମପ୍ରବାହ ଏବଂ ଅଶୁଘାତର ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ । ଗ୍ରୀଷ୍ମପ୍ରବାହରେ ଯେପରି ଧନଜୀବନ ବିପର୍ଯ୍ୟସ୍ତ ନ ହୁଏ ଏବଂ ଜନସାଧାରଣ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହା ଉପରେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାପାଳ ଗ୍ରାମ୍ୟ ଜଳଯୋଗାଣ, ଜନସ୍ୱାସ୍ଥ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପରିବହନ ବିଭାଗ, ରାଜସ୍ୱ ବିଭାଗ, ଜରୁରୀକାଳୀନ ବିଭାଗ, ନେସ୍କୋ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ ବ୍ୟତୀତ ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାରମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଜିଲ୍ଲା, ସବଡିଭିଜନ ଓ ତହସିଲ ସ୍ତରରେ ୨୪ ଘଂଟିଆ କଂଟ୍ରୋଲ ରୁମ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମ୍ୟ ଜଳଯୋଗାଣ, ନେସ୍କୋ ଓ ଜନସ୍ୱାସ୍ଥ୍ୟ ଭଳି ବିଭାଗମାନଙ୍କୁ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲିବା ଏବଂ ନିୟନ୍ତ୍ରଣ କକ୍ଷଗୁଡିକର ନମ୍ବର ସମସ୍ତ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଉପଯୁକ୍ତ ଭାବେ ଦର୍ଶାଇବା ନିମନ୍ତେ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ କୁହାଯାଇଛି । ପ୍ରଚଣ୍ଡ ରୌଦ୍ରରେ ଯେପରି ଯାନବାହାନରେ ଯାତ୍ରା କରୁଥିବା ଯାତ୍ରୀମାନେ ଅଂଶୁଘାତର ଶିକାର ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଆଂଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବସଗୁଡିକରେ ପିଇବା ପାଣି ଏବଂ ଓଆରଏସ ପ୍ୟାକେଟ ରଖିବା ସହ ଓଭରଲୋଡିଂ ଯେପରି ନ ହୁଏ ତାହା ସୁନିଶ୍ଚିତ କରିବାକୁ ଆରଟିଓ ପଦକ୍ଷେପ ନେବେ । ଅଂଶୁଘାତ ସୂଚନା ନିମନ୍ତେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ, ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲଦାର କାର୍ଯ୍ୟାଳୟର ଟେଲିେ‘ାନ ୨୪ ଘଂଟିଆ ଭାବେ ଖୋଲା ରହିବ । ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଂଶୁଘାତ ଚିକିତ୍ସା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଔଷଧ, ଓଆରଏସ,ବରଫ ଇତ୍ୟାଦି ମହଜୁଦ ରଖାଯିବ । ଅଙ୍ଗନୱାଡି ଓ ଆଶାକର୍ମୀମାନଙ୍କୁ ଆଗୁଆ ଭାବେ ଓଆରଏସ ପ୍ୟାକେଟ ବିତରଣ କରାଯିବ । ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ସାପକାମୁଡା ଔଷଧ ରଖିବା ଲାଗି ମଧ୍ୟ ବୈଠକରେ ମତପ୍ରକାଶ ପାଇଥିଲା । ଖରାଦିନେ ଜଳକ୍ଲିଷ୍ଟ ସ୍ଥାନଗୁଡିକରେ ବାଟୋଇ, ଯାତ୍ରୀ ତଥା ସାଧାରଣ ଜନତାଙ୍କ ତୃଷା ନିବାରଣ ନିମନ୍ତେ ଆବଶ୍ୟକ ଅନୁଯାୟୀ ଜଳଛତ୍ର ସ୍ଥାପନ କରିବାକୁ ଜିଲ୍ଲାପାଳ କହିଛନ୍ତି । ଅନାବଶ୍ୟକ ଭାବେ ବହୁ ପରିମାଣରେ ଜଳଚ୍ଛତ୍ର ନ ଖୋଲିବାକୁ ସେ ପରାମର୍ଶ ଦେଇଛନ୍ତି । ବିଡିଓମାନେ ନିଜ ନିଜ ବ୍ଲକ ଅଂଚଳର ଜନଗହଳି ସ୍ଥାନ ଚିହ୍ନଟ କରି ଏ ଦିଗରେ ପଦକ୍ଷେପ ନେବେ । ସେହିପରି ସହରାଂଚଳଗୁଡିକ ପାଇଁ ନିର୍ବାହୀ ଅଧିକାରୀମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ବିଜୁଳି ଯୋଗାଣ ଯେପରି ସ୍ୱାଭାବିକ ଭାବେ ଜାରି ରହିବ ତାହା ସୁନିଶ୍ଚିତ କରିବା ଏବଂ ଲୋ ଭୋଲଟେଜ ସମସ୍ୟାକୁ ହ୍ରାସ କରିବା ଦିଗରେ ପଦକ୍ଷେପ ନେବାକୁ ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ବୈଠକରେ କୁହାଯାଇଥିଲା । ଗାଈ, ଗୋରୁ ତଥା ଅନ୍ୟାନ୍ୟ ପାଳିତ ପଶୁପକ୍ଷୀମାନଙ୍କ ପାଇଁ ନଳକୂପଗୁଡିକ ନିକଟରେ ଜଳ ସଂରକ୍ଷଣ ବନ୍ଦୋବସ୍ତ କରିବାକୁ କୁହାଯାଇଛି । ସଂରକ୍ଷିତ ଜଙ୍ଗଲ ଅଂଚଳରେ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ କ୍ଷୁଦ୍ର ଜଳାଶୟ ସୃଷ୍ଟି କରିବାକୁ ବନଖଣ୍ଡ ଅଧିକାରୀଙ୍କୁ କୁହାଯାଇଛି । ଜଳାଭାବ ଦେଖା ଦେଉଥିବା ସ୍ଥାନଗୁଡିକୁ ଆଗୁଆ ଚିହ୍ନଟ କରି ତାହାର ପ୍ରତିକାର ଲାଗି ବନ୍ଦୋବସ୍ତ କରିବା ସହ ଅଚଳ ନଳକୂପ ଗୁଡିକର ତୁରନ୍ତ ମରାମତି କରିବା ଲାଗି ଗ୍ରାମ୍ୟ ଜଳଯୋଗାଣ ବିଭାଗକୁ କୁହାଯାଇଛି । ସହରାଂଚଳରେ ପାଇପ ଜଳଯୋଗାଣରେ ରହିଥିବା ସମସ୍ୟାର ସମାଧାନ ମାର୍ଚ୍ଚ ୧୫ ସୁଦ୍ଧା କରିବାକୁ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକସ୍ଥଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ସହାୟତା ନେବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ପୂର୍ବରୁ ରହିଥିବା ସରକାରୀ ନିର୍ଦ୍ଦେଶ ପ୍ରକାରେ ସ୍କୁଲ, କଲେଜ ସକାଳ ୬.୩୦ମିନିଟରୁ ୧୦.୩୦ମିନିଟ୍ ମଧ୍ୟରେ ଖୋଲିବାକୁ ଏବଂ କଳକାରଖାନାର ଶ୍ରମିକଙ୍କ କାର୍ଯ୍ୟ ସମୟ ପରିବର୍ତନ ପାଇଁ ପଦକ୍ଷେପ ନେବାକୁ ଡି.ଏଲ.ଓ.ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ କାର୍ଯ୍ୟସ୍ଥଳୀରେ ପାନୀୟ ଜଳର ସୁବିଧା, ବିଶ୍ରାମସ୍ଥଳୀ ଓ ଫ୍ୟାନର ବ୍ୟବସ୍ଥା କରିବାକୁ କୁହାଯାଇଛି । ଅଂଶୁଘାତ ମୃତ୍ୟୁ ଘଟଣାର ତଦନ୍ତ ଯୁଗ୍ମ ଭାବେ ତହସିଲଦାର ଓ ମେଡିକାଲ ଅଫିସରଙ୍କ ଦ୍ୱାରା କରାଯାଇ ତାହାର ଅନୁସନ୍ଧାନ ରିପୋର୍ଟ ଜିଲ୍ଲାପାଳଙ୍କୁ ୨୪ ଘଂଟା ମଧ୍ୟରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଂଶୁଘାତରୁ ରକ୍ଷା ପାଇଁ କଣ କରିବା ଏବଂ ନ କରିବା ଉଚିତ ସେ ସମ୍ପର୍କରେ ସ୍ୱାସ୍ଥ୍ୟ କାନ୍ଥ ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ବୈଠକରେ ବିଭିନ୍ନ ସ୍ଥାନୀୟ ଶିଳ୍ପାନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ