ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏବଂ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ବାଲେଶ୍ୱର ଲୋକସଭା ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ମାନ୍ୟବର ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା, ମାନନୀୟ ଜିଲ୍ଲା ପରିଷଦ ସଭାପତି ଶ୍ରୀ ନାରାୟଣ ପ୍ରଧାନ, ଏଆଇଟିୟୁସି ରାଜ୍ୟ ଉପସଭାପତି ଶ୍ରୀ ଗୌରାଙ୍ଗ ପାଣିଗ୍ରାହୀ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ଅଜୟ କୁମାର ପ୍ରଧାନ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମିକ ଦିବସ ପାଳନର ଆଭିମୁଖ୍ୟ, ଶ୍ରମ ଆନ୍ଦୋଳନର ଇତିହାସ, ଶ୍ରମିକମାନଙ୍କ ସମସ୍ୟା, ଅଧିକାର, କର୍ତବ୍ୟ, ସେମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା, ଦେଶର ପ୍ରଗତିରେ ଶ୍ରମିକମାନଙ୍କ ଅବଦାନ, ସେମାନଙ୍କ ତ୍ୟାଗ, ଉତ୍ସର୍ଗୀକୃତ ସେବା ପ୍ରଭୃତି ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ମାନ୍ୟବର ବାଲେଶ୍ୱର ଲୋକସଭା ସାଂସଦ ଶ୍ରୀ ଷଡଙ୍ଗୀ ଶ୍ରମିକମାନଙ୍କ ସମସ୍ୟା ଓ ସାମ୍ପ୍ରତିକ ସ୍ଥିତି ଉପରେ ଅଭିଭାଷଣ ପ୍ରଦାନ କରି ସେମାନଙ୍କୁ ଆଧୁନିକ ଯୁଗର ବିଶ୍ୱକର୍ମା ଭାବେ ଅଭିହିତ କରିଥିଲେ । ଶ୍ରମିକମାନଙ୍କ ପାଇଁ ରହିଥିବା ଯୋଜନା ସମ୍ପର୍କରେ ଯଥେଷ୍ଟ ସଚେତନତା ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ । ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ ଶ୍ରମିକ ମାନଙ୍କ କଲ୍ୟାଣ ଓ ଅଧିକାର ଉପରେ ବକ୍ତବ୍ୟ ରଖି ଶିଶୁଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ଉପରେ ଗୁରୁତ୍ୱାରୋପ କରିଥିଲେ । ମାନ୍ୟବର ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା, ମାନନୀୟ ଜିଲ୍ଲା ପରିଷଦ ସଭାପତି ଶ୍ରୀ ନାରାୟଣ ପ୍ରଧାନ ଶ୍ରମିକମାନଙ୍କ ପାଇଁ ପ୍ରଣୀତ ଯୋଜନାର କାର୍ଯ୍ୟାନ୍ୱୟନ ଓ ଜିଲ୍ଲାର ଗ୍ରାମାଂଚଳରେ ଏହାର ବ୍ୟାପକ ପ୍ରଚାରପ୍ରସାର ଉପରେ ଜୋର୍ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ଶ୍ରମିକ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ଜିଲ୍ଲାରେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ଶ୍ରମିକମାନଙ୍କୁ ନିଜ ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ ହେବା ଏବଂ ଶ୍ରମ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଅଧିକ ତତ୍ପର ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଏଆଇଟିୟୁସି ରାଜ୍ୟ ଉପସଭାପତି ଶ୍ରୀ ଗୌରାଙ୍ଗ ପାଣିଗ୍ରାହୀ ଶ୍ରମିକମାନଙ୍କ ସଂଘର୍ଷ, ତ୍ୟାଗ ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ବେଳେ ବାଲେଶ୍ୱର ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ଅଜୟ କୁମାର ପ୍ରଧାନ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ଅବସରରେ ଜିଲ୍ଲାର ୫୯୭ଜଣ ହିତାଧିକାରୀଙ୍କୁ ମୋଟ ୩୯ଲକ୍ଷ ୫୮ହଜାର ୬ଶହ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏଥିମଧ୍ୟରେ ୫୮୪ଜଣ ହିତାଧିକାରୀଙ୍କୁ ମୋଟ ୨୯ଲକ୍ଷ ୬୮ହଜାର ୬ଶହ ଟଙ୍କାର ଶିକ୍ଷା ସହାୟତା ପ୍ରଦାନ କରାଯାଇ ଥିବା ବେଳେ, ୪ଜଣ ହିତାଧିକାରୀଙ୍କୁ ମୋଟ ୮ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା, ୪ଜଣ ହିତାଧିକାରୀଙ୍କୁ ମୋଟ ୨୦ହଜାର ଟଙ୍କାର ଅନ୍ତ୍ୟେଷ୍ଟିକ୍ରିୟା ସହାୟତା, ୨ଜଣ ହିତାଧିକାରୀଙ୍କୁ ମୋଟ ୨୦ହଜାର ଟଙ୍କାର ପ୍ରସୂତୀକାଳୀନ ସହାୟତା ଏବଂ ୩ଜଣ ହିତାଧିକାରୀଙ୍କୁ ମୋଟ ୧ଲକ୍ଷ ୫୦ହଜାର ଟଙ୍କାର ବିବାହ ସହାୟତା ପ୍ରଦାନ କରାଯାଇଛି । ସେହିପରି ୨୬୩ଜଣ ନିର୍ମାଣ ଶ୍ରମିକ ଏବଂ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ୨୫ଜଣଙ୍କୁ ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଂଚଳରେ କାର୍ଯ୍ୟରତ ଶ୍ରମିକମାନଙ୍କ ସମେତ ବିଭିନ୍ନ ଶ୍ରମ ସଙ୍ଗଠନର କର୍ମକର୍ତା, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବୃନ୍ଦାବନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ