ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ କୋଭିଡ୍‌-୧୯ ନିୟମ ମଧ୍ୟରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଜିଲ୍ଲାସ୍ତରୀୟ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ନବଜାତ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିବା ମା’ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରଶଂସା ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏହି ଅବସରରେ ଖୋଦ୍ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜର କନ୍ୟାଙ୍କ ସହ ଉପସ୍ଥିତ ସମସ୍ତ ନବଜାତ ଶିଶୁ କନ୍ୟାଙ୍କ ପରିବାର ବର୍ଗଙ୍କୁ ସଚେତନତା ହେବା ପାଇଁ ଆହ୍ୱାନ ଦେଇଥିଲେ । ମୋର ଗୋଟିଏ ଝିଅ ଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିବା ସହ ଶିଶୁ କନ୍ୟାମାନଙ୍କୁ ଉଚିତ୍ ଶିକ୍ଷା, ମୌଳିକ ସୁବିଧା ଯୋଗାଇ ସମ୍ମାନର ସହ ବଞ୍ଚିବା ପାଇଁ ସଚେତନତା ହେବାକୁ ପରାମର୍ଶ ଦେଇଥିଲେ । କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଶିକ୍ଷିତ କରି ସମାଜରେ ପରିଚୟ ସୃଷ୍ଟି କରାଇବାରେ ସମସ୍ତ ସୁଯୋଗ ଯୋଗାଇ ଦେବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଅଭିନବ ପଦକ୍ଷେପ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ଏକ ବର୍ଷ ପୁରିବାକୁ ଯାଉଛି । ଏହା ମଧ୍ୟରେ ଜିଲ୍ଲାରେ ପୂର୍ବରୁ ଥିବା ପୁଅ ଅନୁସାରେ ଝିଅ ଅନୁପାତରେ ବୃଦ୍ଧି ପାଇଛି । ଏକ ହଜାର ପୁଅ ତୁଳନାରେ ଝିଅ ସଂଖ୍ୟା ୯୩୦ ଅନୁପାତ ଆସିଛି । ଆଜିର ଦିନରେ ଝିଅ ଓ ପୁଅ ମଧ୍ୟରେ କୌଣସି ଅସମାନତା ନାହିଁ । ସମସ୍ତ କ୍ଷେତ୍ରରେ ଏବେ ପୁଅଙ୍କ ଠାରୁ ଝିଅମାନେ ଆଗୁଆ ହୋଇ ପାରିଛନ୍ତି । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପରୀକ୍ଷାରେ ଅଧିକାଂଶ ଝିଅମାନେ ହିଁ ଟପର ହୋଇଛନ୍ତି । ଏଥିସହ କରୋନା ମହାମାରୀ ସମୟରେ ଗ୍ରାମାଞ୍ଚଳ ସ୍ତରରେ ହିଁ ମହିଳା ଶିକ୍ଷକ, ଅଙ୍ଗନବାଡି, ଆଶା କର୍ମୀଙ୍କ ଭଳି ମହିଳା ବର୍ଗର କର୍ମଚାରୀମାନେ ହିଁ ଯୋଦ୍ଧା ଭଳି କାମ କରିପାରିଛନ୍ତି । ଏଣୁ ସବୁକ୍ଷେତ୍ରରେ ପୁଅଙ୍କ ସହ ଝିଅମାନେ ତାଳକୁ ତାଳ ମିଶାଇ ଆଗକୁ ଆସିଲେଣି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମାଶଙ୍କର ମିଶ୍ର, ଜିଲ୍ଲା ସମାଜ ଓ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ପ୍ରମୁଖ ଆଜିର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ମତବ୍ୟକ୍ତ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ମିଳିତ ଭାବେ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ଓ ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଅରୁଣ କୁମାର ନାୟକ ଓ ଦେବବ୍ରତ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ