ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) :-ଆଜି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିବା ସହିତ ନିଶା ଦ୍ରବ୍ୟ ସେବନର ଅପକାରିତା, ଏହାର ଅପବ୍ୟବହାର ଏବଂ ନିରାକରଣ ସମ୍ପର୍କରେ ସଚେତନତା ବାର୍ତା ପ୍ରଚାର କରିଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହା-ପାତ୍ର ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ । ଏଥିରେ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନଙ୍କ ସମେତ ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠନ ସାଧନା, ମିଳିତ ନିଶା ନିବାରଣ ଅଭିଯାନ, ରୋଟାରୀ କ୍ଲବ, ଲାୟନ୍ସ କ୍ଲବ, ମେଡିକାଲ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ-ସଦସ୍ୟାମାନେ ଭାଗ ନେଇ ଜନସାଧାରଣଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ପାଇଁ ସଚେତନ କରିଥିଲେ । “ନିଶାଦ୍ରବ୍ୟକୁ ନାଁ, ସୁସ୍ଥ ଜୀବନକୁ ହଁ”ର ନାରା ଦେଇ ସେମାନେ ଏ ସମ୍ପର୍କିତ ପ୍ରଚାରପତ୍ର ସ୍ଥାନୀୟ ଜନ ସାଧାରଣଙ୍କୁ ବାଂଟି ଥିଲେ । ଏହା ପରେ ପରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର ଏଥିରେ ଯୋଗ ଦେଇ ମାଦକଦ୍ରବ୍ୟ, ନିଶା ଓ ଡ୍ରଗ୍ସ ସେବନଠାରୁ ଦୂରେଇ ରହିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ନିଶା ସେବନ ଦ୍ୱାରା ବ୍ୟକ୍ତିର ପରିବାର, ସମାଜ କ୍ଷତିଗ୍ରସ୍ତ ହୋଇଥାଏ । ତେଣୁ ଏଥି ପ୍ରତି ସମସ୍ତେ ବିଶେଷ କରି ଯୁବ ସମାଜ ସଚେତନ ହେବାକୁ ସେ କହିିଥିଲେ । ମିଳିତ ନିଶା ନିବାରଣ ଅଭିଯାନର ପ୍ରଭାକର ସାହୁ, ମମତା ମହା-ପାତ୍ର, ଗୌରାଙ୍ଗ ପାଣିଗ୍ରାହୀ, ଅର୍ଚ୍ଚନା ନନ୍ଦୀ,ସାଧନା ସଂଗଠନର ସୁଜାତା ପଣ୍ଡାଙ୍କ ସମେତ ସ୍କୁଲ,କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଅବସରରେ ସେମାନଙ୍କ ବକ୍ତବ୍ୟ ରଖି ଥିଲେ । ଅବକାରୀ ଅଧୀକ୍ଷକ ଶ୍ରୀ ଅଶୋକ କୁମାର ଶତପଥୀ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦୀପକ ସାହୁଙ୍କ ସମେତ ଅବକାରୀ ବିଭାଗ ଓ ଅନ୍ୟ ବିଭାଗର ଅଧିକାରୀ, କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ