ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ
କଟକ, (ଓ୍ବାଇଏନଏସ): ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଆଜି ନେତାଜୀ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ପ୍ରୟାସରେ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଆଶା କର୍ମୀ, ଗାଁ କଲ୍ୟାଣ ସମିତି ସଦସ୍ୟ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇ ତାଙ୍କ ଉଦବୋଧନରେ କହିଥିଲେ ଯେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଆଶା କର୍ମୀମାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ । ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା, ଟିକାକରଣ, ପୌଷ୍ଟିକ ଆହାର ବୃଦ୍ଧି ଓ ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବାରେ ଆଶା କର୍ମୀମାନଙ୍କ ସହଭାଗିତା ଗୁରୁତ୍ୱପୂର୍ଣ୍ଣ । ସେହିପରି ଗାଁ କଲ୍ୟାଣ ସମିତି ମାଧ୍ୟମରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ସହ ୧ ମାସ ପୂର୍ବରୁ ଗର୍ଭବତୀ ମହିଳା ମାନଙ୍କୁ ଦାୟିତ୍ଵପୂର୍ଣ୍ଣ ଭାବେ ଡାକ୍ତରଙ୍କ ନିକଟକୁ ନେଇ ରିପୋର୍ଟ ସଂଗ୍ରହ କରିବାକୁ ଉପସ୍ଥିତ ଆଶା କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାଦ୍ୱାରା ପ୍ରସୂତିକାଳୀନ ଉଚ୍ଚରକ୍ତଚାପ ଜନିତ ମାତୃ ମୃତ୍ୟୁହାର କୁ ରୋକିହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏହି ଅବସରରେ ଜିଲ୍ଲାର ସ୍ୱାସ୍ଥ୍ୟ କେନ୍ଦ୍ର, ଆଶା କର୍ମୀଙ୍କ ସମେତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ନିମନ୍ତେ କାର୍ଯ୍ୟକର୍ତ୍ତା ମାନଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ. ପ୍ରଶାନ୍ତ କୁମାର ହୋତା ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ସରକାରୀ ସ୍ୱାସ୍ଥ୍ୟ ଯୋଜନାଗୁଡିକର ସଫଳ କାର୍ଯ୍ୟନ୍ୱୟନ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ସମ୍ମିଳନୀରେ ଜିଲ୍ଲା ସଂଯୋଜକ କମ୍ୟୁନିଟିପ୍ରୋସେସ ଶ୍ରୀ ନୃସିହ ଚରଣ ଭୂୟାଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ ଆଶାକର୍ମୀ ମାନଙ୍କ ନିମନ୍ତେ ଥିବା ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ଚିନ୍ତାମଣି ମିଶ୍ର, କନସଲଟାନ୍ଟ କମ୍ୟୁନିଟିପ୍ରୋସେସ ଡ. ବସନ୍ତ କୁମାର ସାହୁ , ଜିଲ୍ଲା କାର୍ଯ୍ୟ ପରିଚାଳକ ଟି. ନାରାୟଣ ରାଓ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ, ଶ୍ରୀମତୀ ମନ୍ଦାକିନୀ ବେହେରା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।


