ଜିଲ୍ଲାସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ- ୨୦୨୪ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ସଚେତନତା ହିଁ ସତର୍କତାର ଚାବିକାଠି I ଏହି ଦୃଢୋକ୍ତିର ପାଳନ ସ୍ୱରୂପ ଆଜି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ- ୨୦୨୪ ସ୍ଥାନୀୟ ଗାନ୍ଧୀ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଯାଇଛି। ଏହି ସଭାରେ ମୁଖ୍ଯ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ୧୯୯୯ ମହାବାତ୍ୟାର ବିଭୀଷିକା ବର୍ଣ୍ଣନା କରି ଉପସ୍ଥିତ ଜନତାଙ୍କୁ ଆଗାମୀ ଯେ କୌଣସି ବିପର୍ଯ୍ୟୟ ପାଇଁ ସଜାଗ ରହିବାକୁ ଆହ୍ଵାନ ଦେଇଥିଲେ। ସତର୍କତା, ସଜାଗତା ଓ ସାହାସିକତା ହିଁ ସମସ୍ତ ବିପର୍ଯ୍ୟୟର ସମାଧନ ବୋଲି କହିଥିଲେ। ଜିଲ୍ଲାସ୍ତରରୁ ତୃଣମୂଳସ୍ତର ପର୍ଯ୍ୟନ୍ତ ସମସ୍ତେ ସଜାଗ ଓ ସଚେତନ ରହିଲେ ବିପର୍ଯ୍ୟୟକୁ ପ୍ରତିହତ କରିହେବ ବୋଲି ଶ୍ରୀ ବିକାଶ କହିଥିଲେ । ବାତ୍ୟା ଦାନା ସମୟରେ ଗ୍ରାମ ପଞ୍ଚାୟତଠାରୁ ଆରମ୍ଭ କରି ସମସ୍ତେ ଏ ନେଇ ସଚେତନ ଓ ସଜାଗ ରହିବା ଫଳରେ ଏହି ଦୁର୍ବିପାକକୁ ସଫଳତାର ସହ ମୁକାବିଲା କରାଯାଇପାରିଛି । ଏଥି ସହିତ ବାତ୍ୟା ଦାନାର ସଫଳ ମୁକାବିଲା ପାଇଁ ସେ ଓଡ୍ରାଫ୍, ଆପଦ ମିତ୍ର, ଅଗ୍ନିଶମ, ସ୍ବେଚ୍ଛାସେବୀ ସ°ଗଠନର ସଦସ୍ୟମାନଙ୍କୁ ସେମାନଙ୍କର ସାହସିକତା ପାଇଁ ଧନ୍ୟବାଦ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ବର୍ତ୍ତମାନ ବିପର୍ଯ୍ୟୟ ପ୍ରସ୍ତୁତିରେ ରୂପାନ୍ତରଣ ହୋଇଛି ବୋଲି କହିଥିଲେ। ଓଡିଶା ଆଜି ସାରା ବିଶ୍ବରେ ବିପର୍ଯ୍ୟୟ ମୁକାବିଲାରେ ରୋଲମଡେଲ ହୋଇପାରିଛି ବୋଲି ଶ୍ରୀ ନାୟକ ମତ ପ୍ରକାଶ କରିଥିଲେ I ବାଲେଶ୍ୱର ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ହୋଇଥିବାରୁ ପ୍ରଶାସନ ସବୁବେଳେ ଦୃଢତାର ସହ ଏହାର ସାମନା କରିବାକୁ ପ୍ରସ୍ତୁତ ଅଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ସୂଚନା ଦେଇଥିଲେ । ସକାଳ ୭.୩୦ ମି ରେ ଏହି ଅବସରରେ ଏକ ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଗାନ୍ଧୀ ସ୍ମୃତି ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସେଠାରେ ଓଡ୍ରାଫ୍ ଟିମ୍ ର ସଦସ୍ୟ ମାନେ ଆପଦ କାଳୀନ ଜରୁରୀ ସେବା ସମ୍ବନ୍ଧରେ ଲାଇଭ ଡେମୋ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କୃତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ (ଦୁର୍ନୀତି ନିବାରଣ) ଶ୍ରୀ ମହେଶ୍ୱର ସେଠି, ଡେପୁଟି କଲେକ୍ଟର ଶ୍ରୀମତୀ ରାଇମତ ଟୁଡୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ । ଅପରାହ୍ନ ରେ ରାଜ୍ୟସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ-୨୦୨୪ ପାଳନ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମ ରେ ଯୋଡ଼ିହୋଇ ‘ଆଗୁଆ ପଦକ୍ଷେପ ପାଇଁ ପ୍ରାକ୍ ସତର୍କ ସୂଚନା’ ଏବର୍ଷ ର ଥିମ୍ ବୋଲି କହିଥିଲେ। ମହାବାତ୍ୟାର ୨୫ ବର୍ଷ ପୂର୍ତ୍ତି ପରେ ଓଡ଼ିଶା ଆଜି ବିପର୍ଯ୍ୟୟ ପ୍ରସ୍ତୁତି ରେ ଆଗୁଆ ବୋଲି ସେ କହିଥିଲେ।ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାର ସୁନାମୀ ମୁକ୍ତ ୪ଟି ଗ୍ରାମ ଯଥା ଜଗନ୍ନାଥପୁର, ଜୟଦେବକସବାପାହି, କନ୍ୟାନଗରୀ ଓ ସାହାପୁରଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ।