ଜିଲ୍ଲାସ୍ତରୀୟ ଓଡିଶା ଦିବସ ସମାରୋହ-୨୦୨୧ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ଓ୍ବାଇଏନ୍ଏସ୍):ଆଜି ଅପରାହ୍ନ ୩ ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦଭାବନା ସଭାଗୃହରେ ୮୬ତମ ଜିଲ୍ଲାସ୍ତରୀୟ ଓଡିଶା ଦିବସ ସମାରୋହ-୨୦୨୧ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା୍ଲପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ଦିବସ ଦିନ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଥିଲା । ଗୃହରେ ପ୍ରସ୍ତାବ ଅନୁଯାୟୀ ଆସନ୍ତା ଏପ୍ରିଲ ୧ତାରିଖ ଓଡିଶା ଦିବସରେ ପ୍ରତ୍ୟୁଷ ଘ୪.୩୦ ମି ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ, ଭାଷା ବନ୍ଦନା ସଙ୍ଗୀତ ସମେତ ଅନ୍ୟାନ୍ୟ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରାଯିବ । ସକାଳ ଘ୮.୩୦ମି ସମୟରେ ସହରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ସାମୂହିକ ମାଲ୍ୟାର୍ପଣ କରାଯିବ । ମାଲ୍ୟାର୍ପଣ ପରେ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟଠାରେ ଜିଲ୍ଲା ରେଡକ୍ରସ ସଂସ୍ଥା, ନେହେରୁ ଯୁବକେନ୍ଦ୍ର, ବିଭିନ୍ନ ମହାବିଦ୍ୟାଳୟର ଏନ.ଏସ.ଏସ. ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା ଫଳ ବଂଟନ କରାଯିବ । ପରେ ପରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ସାଧାରଣ ସଭା, ବିଭନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ଏବଂ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ ସହ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବ । ଏହି ବୈଠକରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମଫଳକ ଲେଖିବା ନିମନ୍ତେ ସବୁ ସ୍ତରରେ ଉଦ୍ୟମ କରିବାକୁ ସହମତି ପ୍ରକାଶ ପାଇଥିଲା । ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବାଣିଜ୍ୟିକ ପ୍ରତିଷ୍ଠାନ ଓ ଗୃହକୁ ପବିତ୍ର ଦିବସ ପାଳନ ଅବସରରେ ଆଲୋକିତ କରିବାକୁ ଅନୁରୋଧ କରାଯାଇଥିଲା ।ଏହି ବୈଠକରେ ମାନ୍ୟବର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦଙ୍କ ପ୍ରତିନିଧି ଶ୍ରୀ ଉମାକାନ୍ତ ମହାପାତ୍ର, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ ପ୍ରମୁଖ ମଂଚାସୀନ ଥିବା ବେଳେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତା, ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ, ଶିକ୍ଷାବିତ, ସମାଜସେବୀ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ତଥା ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦୀପକ କୁମାର ସାହୁ ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।


