ଜିଲ୍ଲାସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) ; ସମସ୍ତ ପ୍ରକୃତିକ ବିପର୍ଯ୍ୟୟକୁ ସଫଳତାର ସହିତ ମୁକାବିଲା କରିବା ପାଇଁ ପ୍ରସ୍ତୁତିକୁ ଅଧିକ ସୁଦୃଢ କରାଯିବ । ଜିଲ୍ଲା ସ୍ତରରେ ଅଧିକରୁ ଅଧିକ ବୂକ୍ତିଙ୍କୁ ତାଲିମ୍ ପ୍ରଦାନ କରାଯିବ । ମହିଳାମାନଙ୍କୁ ବିପର୍ଯ୍ୟୟ ମୁକାବିଲା ଆଗ ଧାଡିରେ ରଖିବା ପାଇଁ ଜିଲ୍ଲାର ୫ ହଜାର ସ୍ୱୟଂ ସହାୟିକା ମହିଳାଙ୍କୁ ତାଲିମ୍ ପ୍ରଦାନ କରାଯିବ । ପ୍ରାତମିକ ପର୍ଯ୍ୟାୟରେ ପ୍ରତ୍ୟକ ବ୍ଲକର ର ୫୦ ଜଣ ମହିଳାଙ୍କୁ ସ୍ୱୟଂ ସିଦ୍ଧା କାର୍ଯ୍ୟକ୍ରମରେ ତାଲିମ୍ ପ୍ରଦାନ କରାଯାଇଛି । ସେମାନଙ୍କ ପ୍ରେରଣାରେ ଅନ୍ୟ ମହିଳାମାନେ ସ୍ୱୟଂ ସିଦ୍ଧାର ସଦସ୍ୟ ହେବାକୁ ଆଗଭର ହେବେ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଥିଲେ । ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦାନ କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରାକୃତିକ ଓ ମନୁଷ୍ୟ କୃତ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଉପଯୁକ୍ତ ତାଲିମ୍ ପ୍ରଦାନ ଉପରେ ଗୁରୁତ୍ୱଆରୋପ କରିଥିଲେ । ପୂର୍ବାହ୍ନରେ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଏକ ସଚେତନତା ରାଲି ଛତ୍ରପୁର ଷ୍ଟାଡିୟମ ଠାରେ ଜିଲ୍ଲାପାଳ ଉଦଘାଟନ କରିଥିଲେ । ରାଲି ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଭାର ଆୟୋଜନ ହୋଇଥିଲା । ସଭାରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଓ ଲକ୍ଷ୍ମୀକାନ୍ତ ସେଠି,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି,ଡୁଡା ପିଡି ସୁଦାମ ଚରଣ ମଣ୍ଡଳ ଯୋଗ ଦାନ କରିଥିଲେ । ବିପର୍ଯ୍ୟୟ ପ୍ରଶମନ ଦିବସ ଉପଲକ୍ଷେ ଅନୁଷ୍ଠିତ ପ୍ରବନ୍ଧ ଚିତ୍ରାଙ୍କନ ବକ୍ତୁତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୨୭ ଜଣ ବିଦ୍ୟାର୍ଥିଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଛତ୍ରପୁର ବ୍ଲକର ସ୍ୱୟଂ ସିଦ୍ଧା କାର୍ଯ୍ୟଜ୍ରମରେ ପାରଦର୍ଶିତା ହାସଲ କରିଥିବା ୧୧ ଜଣ ମହିଳାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପରେ ପରେ ସ୍ୱୟଂ ସିଦ୍ଧାର ସଦସ୍ୟା ମାନେ ନିଆଁକୁ ଅ।।ୟତ୍ତ କରିବା ,ଆତ୍ମରକ୍ଷା,ରାସ୍ତା ଦୁର୍ଘଟଣାରେ ସହାୟତା,ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର,ଭଗ୍ନ ଗୃହରୁ ଅସହାୟ ଲୋକଙ୍କୁ ଉଦ୍ଧାର ଏବଂ ଉଚ୍ଚ ଅଟ୍ଟାଳିକାରୁ ଉଦ୍ଧାର ପ୍ରଭୃତି କୌଶଳ ପ୍ରଦର୍ଶନ କରିଥିଲେ । ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପ୍ରଜ୍ଞା ପରମିତା ଛାଟୋୟୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


