ଜିଲ୍ଲାସ୍ତରୀୟ ଖରିଫ କୃଷି କାର୍ଯ୍ୟ ଯୋଜନା ବୈଠକ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଗାମୀ ଖରିଫ ଋତୁରେ ହେବାକୁ ଥିବା କୃଷିକାର୍ଯ୍ୟର ସଠିକ ପରିଚାଳନା ପାଇଁ ଆଜି ପୂର୍ବାହ୍ନ ଘ. ୧୧.୩୦ ମି ସମୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ତୁଷାର କାନ୍ତି ଟୁଙ୍ଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କୃଷି କାର୍ଯ୍ୟ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନାନୁସାରେ, ଜିଲ୍ଲାରେ ୩୦୪୯ଟି ଗ୍ରାମ ମଧ୍ୟରୁ ସମୁଦାୟ ଚାଷ ହୋଇଥିବା କ୍ଷେତ୍ର ୨୨୬୩୪୦ ହେକ୍ଟର ହୋଇଥିବା ବେଳେ ସେଥି ମଧ୍ୟରୁ ୧୪୮୭୪୯ ହେକ୍ଟର ସମ୍ପୂର୍ଣ୍ଣ ଜଳସେଚିତ ଅଂଶର ଅନ୍ତର୍ଭୁକ୍ତ। ଏହି ବୈଠକରେ ଚଳିତ ରବି ଋତୁରେ ହୋଇଥିବା ଚାଷର ବିବରଣୀ ଶ୍ରୀ ଟୁଙ୍ଗ ପ୍ରଦାନ କରିଥିଲେ ଏବଂ କହିଥିଲେ ଯେ ରବି ଫସଲ ମୁଖ୍ୟତଃ ତୈଳ ଉତ୍ପାଦନ ଜାତୀୟ ଫସଲ ଯଥା ସୋରିଷ, ବାଦାମ, ରାଶି, ସୂର୍ଯ୍ୟମୁଖୀ ଇତ୍ୟାଦି ହାରାହାରି ୧୧୧୩୯୩ କ୍ୱିଣ୍ଟାଲ ମଞ୍ଜି ଉତ୍ପାଦନକ୍ଷମ ହେବାପାଇଁ ପ୍ରସ୍ତୁତ ହୋଇଛି । ଏହି ପରିପ୍ରେକ୍ଷୀରେ କୃଷି ଯାନ୍ତ୍ରିକରଣ ମାଧ୍ୟମରେ ଜଳନିଧି ଏବଂ ସୌର ଜଳନିଧି ଯୋଜନା ମାଧ୍ୟମରେ ଚାଷଜମି ମାନଙ୍କୁ ଜଳସେଚିତ କରାଯାଉଛି । ଏଥର ଖରିଫ ଋତୁ ଚାଷ ପାଇଁ ନୂତନ ଯୋଜନା ଏବଂ ନୂତନ ଖସଡ଼ା ବିଷୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉପସ୍ଥିତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। ପ୍ରଦର୍ଶନ, ସଚେତନତା ତାଲିମ ଏବଂ ଅନ୍ୟାନ୍ୟ ଯୋଜନାବଦ୍ଧ ହସ୍ତକ୍ଷେପ ମାଧ୍ୟମରେ ଚାଷ ବିଷୟରେ ତାଲିମ, ଏକୀକୃତ କୃଷି ପ୍ରଣାଳୀ ମାଧ୍ୟମରେ ବ୍ୟକ୍ତିଗତ ଏବଂ ସମ୍ପ୍ରଦାୟ ମାଧ୍ୟମରେ ଆୟକୁ ସଶକ୍ତ କରିବା, ବୈଷୟିକ ଜୀବିକା ବିବିଧତା ଶିକ୍ଷଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ କୃଷି କ୍ଷେତ୍ରରେ କୃଷି କ୍ଷେତ୍ରରେ ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବା, ପୋକ ଏବଂ ରୋଗ ପରିଚାଳନା ମାଧ୍ୟମରେ ପରିଚାଳନା ଇତ୍ୟାଦି ନୂତନ ପଦ୍ଧତ୍ତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଅଧିକରୁ ଅଧିକ ସୋଲାର ବୋରୱେଲ ଯୋଗେ ସମସ୍ତ ଚାଷଜମିକୁ ଜଳସେଚିତ କରାଯିବ ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମତପ୍ରକାଶ କରିଥିଲେ I ଉକ୍ତ ବୈଠକରେ ଡି.ଡି.ଏମ ନାବାର୍ଡ ଶ୍ରୀ ତାପସ ରଞ୍ଜନ ପ୍ରଧାନ, ଏଲ.ଡି.ଏମ ଶ୍ରୀ ବିଶ୍ୱଜିତ ଶତପଥି, ଜଳବିଭାଜିକା ବିଭାଗର ପିଡି ଶ୍ରୀ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଡ଼ିଡ଼ିଏଚ ବାଲେଶ୍ୱର ଶ୍ରୀ ତପନ କୁମାର ମହାନ୍ତି, ବରିଷ୍ଠ ବୈଜ୍ଞାନିକ, କେଭିକେ ବାଲେଶ୍ୱର ଡ଼. ସ୍ଵାଗତିକା ସାହୁ ଏବଂ କୃଷି ବିଭାଗ ଉପନିର୍ଦ୍ଦେଶକ ତଥା ଜିଲ୍ଲା ନୋଡାଲ ଅଧିକାରୀ ଡ଼ ସଂଗ୍ରାମ କେଶରୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବ୍ଲକସ୍ତରୀୟ ସମସ୍ତ କୃଷି ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ I


