ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ
ବରଗଡ, (ଯୁଗାବ୍ଦ ନ୍ୟୁଜ):ଗାନ୍ଧୀ ଜୟନ୍ତୀ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶୁଭାରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଏବଂ ଆକାଂକ୍ଷୀ ଜିଲ୍ଲାରେ ଆଦିବାସୀ ପରିବାରମାନଙ୍କ ପୂର୍ଣ୍ଣାଙ୍ଗ ବିକାଶକୁ ଆଖିଆଗରେ ରଖି ସେମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଦେଶର ସମୁଦାୟ ୫୪୯ ଜିଲ୍ଲାର ୨୭୪୦ ଗୋଟି ବ୍ଲକକୁ ଅନ୍ତର୍ଭୁକ୍ତ କରିଛନ୍ତି । ସମୁଦାୟ ୭୯,୧୫୬ କୋଟି ଟଙ୍କା ବ୍ୟୟ ବରାଦରେ ଦେଶର ପ୍ରାୟ ୬୩,୦୦୦ ଗ୍ରାମ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୫ କୋଟିରୁ ଅଧିକ ଆଦିବାସୀ ଲୋକ ଏହି ଅଭିଯାନରୁ ଉପକୃତ ହେବେ । କେନ୍ଦ୍ର ସରକାରଙ୍କ ଏହି ଅଭିଯାନର ସଫଳ ରୂପାୟନ ପାଇଁ ଓଡିଶା ସରକାର ନିଜ ରାଜ୍ୟର ୨୭ ଗୋଟି ଜିଲ୍ଲାର ୨୩୪ ଗୋଟି ଜନଜାତୀ ପ୍ରବଣ ବ୍ଲକରୁ ସମୁଦାୟ ୭,୬୬୭ ଗୋଟି ଗ୍ରାମରେ ବସବାସ କରୁଥିବା ୧୦,୮୩,୬୬୧ ଜନଜାତୀ ପରିବାରର ୪୮,୧୫,୬୭୦ ଜଣ ଜନଜାତୀ ଲାଭାର୍ଥୀଙ୍କ ସଶକ୍ତିକରଣ ତଥା ସମ୍ପୂର୍ଣ ବିକାଶ ପାଇଁ ଆରମ୍ଭ କରିଛନ୍ତି “ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ” । ଏହି ଯୋଜନା ମାଧ୍ୟମରେ ସାମାଜିକ ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକାରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ସମନ୍ୱୟ ଏବଂ ପ୍ରସାର ମାଧ୍ୟମରେ ଦୂର କରିବା ସହ ଜନଜାତୀଙ୍କ ପାଇଁ ନିରାପଦ ବାସସ୍ଥାନ, ବିଶୁଦ୍ଧ ପାନୀୟଜଳ ଏବଂ ପରିମଳ, ଶିକ୍ଷା ଗ୍ରହଣ, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିରେ ଉନ୍ନତି ଆଣି ରାସ୍ତା ଓ ଦୁରାସଞ୍ଚାର ଯୋଜଯୋଗ, ବିଦ୍ୟୁତୀକରଣ, ସ୍ଵଚ୍ଛ ଏବଂ ନବୀକରଣଯୋଗ୍ୟ ଶକ୍ତିର ପ୍ରୋତ୍ସାହନ ସହ ଜନଜାତୀକୁ ଏକ ଦୀର୍ଘସ୍ଥାୟୀ ଜୀବିକାର ସୁଯୋଗ ଦେବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ୧୭ଟି ମନ୍ତ୍ରଣାଳୟ/ବିଭାଗର ୨୫ ଗୋଟି କାର୍ଯ୍ୟକ୍ରମକୁ ତ୍ଵରାନୀତ କରାଯିବ । ଏହି ପରିପ୍ରେକ୍ଷୀରେ ବରଗଡ ଜିଲ୍ଲାର ଅନନ୍ୟ ବିପ୍ଳବୀ ତଥା ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ସହିଦ୍ ମାଧୋ ସିଂଙ୍କ ଜନ୍ମ ମାଟିର ଘେସ୍ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଅନ୍ୟତମ ବିଶିଷ୍ଠ ଆଦିବାସୀ ନେତା ତଥା ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ସହିଦ୍ ବୀର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ତଥା ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ “ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ”ର ଶୁଭାରମ୍ଭ ହୋଇଛି । ସମାରୋହର ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭଟଲି ବିଧାୟକ ଶ୍ରୀ ଇରଶିଷ ଆଚାର୍ଯ୍ୟଙ୍କ ସମେତ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ପଦମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୃଣାଲ ମୋତିରାମ ଚୌହାନ ଉପସ୍ଥିତ ରହି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଦୃଢ ପରିଶ୍ରମ କରିବାକୁ ଉତ୍ସାହିତ କରିଥିଲେ ।ଏହାପରେ ମଞ୍ଚାସୀନ ଅତିଥିଙ୍କ ସମେତ ଜିଲ୍ଲାର ୧୨ ଗୋଟି ବ୍ଲକରୁ ଆସିଥିବା ତିନି ହଜାରରୁ ଅଧିକ ଜନଜାତୀ ହିତାଧିକାରୀ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବିହାରର ଜାମୁଇ ଠାରେ ଆୟୋଜିତ ହେଉଥିବା ରାଷ୍ଟ୍ରୀୟ ଜନଜାତୀୟ ଗୌରବ ଦିବସ ସମାରୋହକୁ ଆଭାସୀ ମଧ୍ୟମରେ ଯୋଡିତ ଥିଲେ । ଜିଲ୍ଲାର ସମସ୍ତ ବିଭାଗ ପ୍ରଦର୍ଶନୀ ମେଢ/ ଷ୍ଟଲ ଠାରେ ଆଇ ଇ ସି ସାମଗ୍ରୀ ପ୍ରଦର୍ଶିତ କରି ବିଭିନ୍ନ ସରକାରୀ ସୁବିଧା ତଥା ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିଥିଲେ । ଏତଦବ୍ୟତୀତ ସମାରୋହରେ ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତ କାର୍ଯ୍ୟ ହୋଇଥିବା ଭଟଲି ବାସିନ୍ଦା ଶ୍ରୀ ନିରଞ୍ଜନ ବେହେରା, ଓଡିଶା ଶିକ୍ଷା ସେବାରେ କୃତକାର୍ଯ୍ୟ ହୋଇ ବର୍ତ୍ତମାନ ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଶ୍ରୀ ସରୋଜ କୁମାର ଭୋଇ, ମୁଣ୍ଡାପଡାର ଫୁଟବଲ ଖେଳାଳି ପ୍ରଭାତ କୁମାର ଦାନସନ, ସୁଭଦ୍ରା ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରୁଥିବା କୁଚିପାଲି ଗ୍ରାମର ଶ୍ରୀମତୀ ପାର୍ବତୀ ବରିହା ଏବଂ ବଡମାଲର ସନ୍ତୋଶିନୀ ବାରିହାଙ୍କ ସମେତ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ସାହେଲା ବ୍ଲକ ଅନ୍ତର୍ଗତ ବମ୍ବ୍ରିତ ବନ ସୁରକ୍ଷା ସମିତି ଏବଂ ପାଇକମାଲ ବ୍ଲକର ପୋସ୍ତାମୁଣ୍ଡା ବନ ସୁରକ୍ଷା ସମିତିକୁ ଜିଲ୍ଲା ପ୍ରସାଶନ ତରଫରୁ ମଞ୍ଚରେ ସମ୍ମାନିତ କରଯାଇଥିଲା ।ସୂଚନା ଯୋଗ୍ୟକି, ଏହି ଅଭିଯାନରେ ବରଗଡ ଜିଲ୍ଲାର ମୋଟ ୧୫୭ ଗୋଟି ଆକାଂକ୍ଷୀ ଜନଜାତି ବହୁଳ ଗ୍ରାମର ସମୁଦାୟ ୧୬,୯୪୪ ଗୋଟି ଜନଜାତୀ ପରିବାରୁ ୬୯,୦୦୯ ଜଣ ଉପକୃତ ହେବେ । ସେଥିମଧ୍ୟରୁ ପାଇକମାଲ ବ୍ଲକରୁ ସର୍ବାଧିକ ୧୧୦ଟି ଗ୍ରାମ ଏହି ଅଭିଯାନରେ ସାମିଲ ହୋଇଥିବା ବେଳେ ଝରବନ୍ଧ ବ୍ଲକରୁ ୧୩ଟି, ସୋହେଲା ବ୍ଲକରୁ ୫ଟି, ଭଟଲି ଏବଂ ଅତାବିରା ବ୍ଲକରୁ ୭ଟି, ପଦମପୁର ଏବଂ ଅମ୍ବଭୋନା ବ୍ଲକରୁ ୪ଟି, ବରଗଡ ଏବଂ ବିଜେପୁର ବ୍ଲକର ୨ଟି ଏବଂ ଗଇସିଲେଟ୍, ବରପାଲି ଓ ଭେଡେନ୍ ବ୍ଲକର ଗୋଟିଏ ଲେଖାଏଁ ଅନୁସୂଚିତ ଜନଜାତି ବହୁଳ ଗ୍ରାମ ଏହି ଅଭିଯାନରେ ସାମିଲ ହୋଇଛି । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅଭିଯାନର ଲକ୍ଷ୍ୟ ପୂରଣ କରିବା ପାଇଁ ସମସ୍ତ ବିଭାଗ ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ତୃଣାମୂଳ ସ୍ତରର ସ୍ଥିତି ଆକଳନ କରିବା ସହ ଗ୍ରାମର ଉନ୍ନତି ଓ ଲୋକଙ୍କ ଜୀବନ ଜୀବିକାର ଅଭିବୃଦ୍ଧି ନିମନ୍ତେ ଯୋଜନା ପ୍ରସ୍ତୁତ କରି ସେଗୁଡିକୁ କାର୍ଯ୍ୟକାରି କରିବେ ଏବଂ ଏହି ଅଭିଯାନ ଅଧୀନରେ ଅନ୍ତର୍ଭୁକ୍ତ ସମସ୍ତ ଆଦିବାସୀ ଗ୍ରାମଗୁଡ଼ିକୁ ପିଏମ୍ ଗତିଶକ୍ତି ପୋର୍ଟାଲରେ ମ୍ୟାପିଂ କରିବା ପରେ ସମ୍ପୃକ୍ତ ବିଭାଗ ଦ୍ଵାରା ନିଜ ଯୋଜନାର ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ଚିହ୍ନଟ କରିଥିବା ବ୍ୟବଧାନକୁ ମ୍ୟାପିଂ କରିବା ପରେ ବ୍ୟକ୍ତିଗତ ଏବଂ ଆର୍ଥିକ ଅଗ୍ରଗତି କୁ ପ୍ରଧାନମନ୍ତ୍ରୀ ଗତି ଶକ୍ତି ପ୍ଲାଟଫର୍ମର ତଦାରଖ କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ପୁରସ୍କୃତ କରାଯିବ ।