ଜିଲ୍ଲାସ୍ତରୀୟ ଜାତୀୟ ପୋଷଣ ମାସ କର୍ମଶାଳା
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ “ସଦଭାବନା ସଭାଗୃହ”ରେ ଜିଲ୍ଲାସ୍ତରୀୟ ଜାତୀୟ ପୋଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ କାର୍ୟ୍ୟାଳୟ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ରେମୁଣା, ସଦର, ସଦର ଗ୍ରାମାଂଚଳ ଓ ବାଲେଶ୍ୱର ପୌରାଂଚଳର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିଲେ । ଅଙ୍ଗନୱାଡି କେନ୍ଦ୍ରଗୁଡିକର ଖାଦ୍ୟ ପରିବେଷଣ ଓ ପରିଚାଳନା ସ୍ୱାସ୍ଥ୍ୟକର ପରିବେଶରେ ହେବା ତଥା ଅତ୍ୟନ୍ତ ପୁଷ୍ଟିହୀନ ଶିଶୁଙ୍କୁ ପୁଷ୍ଟି ସାଧନ କେନ୍ଦ୍ର (ଏନଆରସି)କୁ ପଠାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏହି କର୍ମଶାଳାରେ ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରମୋଦ କୁମାର ଷଡଙ୍ଗୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମବାଳା ମିଶ୍ର, ସିଡିପିଓ,ସୁପରଭାଇଜର, ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା, ଗ୍ରାମର ମା’ମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ପୋଷଣ ମାସ ଆୟୋଜନର ଉଦ୍ଦେଶ୍ୟ ଓ ଜିଲ୍ଲାରେ ଏହାର କାର୍ୟ୍ୟକାରିତା ଉପରେ ଆଲୋକପାତ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର ଜିଲ୍ଲାର କେତେକ ସ୍ଥାନରେ ପାଣିରେ ଅଧିକ ଫ୍ଲୋରାଇଡ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କିପରି କ୍ଷତି ସାଧନ କରୁଛି ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ହାତଧୁଆ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ବୋଲି ମତପ୍ରକାଶ କରିଥିଲେ । ପୋଷଣ ମାସ ଦ୍ୱାରା ସରକାର ଲୋକଙ୍କ ମଧ୍ୟରେ ସନ୍ତୁଳିତ ଖାଦ୍ୟ ପ୍ରତି ବ୍ୟବହାରିକ ପରିବର୍ତନ ଆଣିବା ଉପରେ ଜନ ସଚେତନତା ବୃଦ୍ଧି ପାଇଁ ଉଦ୍ୟମ କରିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ତାଙ୍କ ବକ୍ତବ୍ୟରେ ଉତଥାପନ କରିଥିଲେ । ସିଡିପିଓ, ସୋର ମାତୃକ୍ଷୀରର ଆବଶ୍ୟକତା ଓ ଉପକାରିତା ଉପରେ ଗଭୀର ବିଶ୍ଲେଷଣ କରିଥିଲେ । କର୍ମଶାଳାରେ ଜିଲ୍ଲାପାଳ ଓ ଅତିଥିମାନଙ୍କ ଦ୍ୱାରା ପ୍ରତ୍ୟେକ ପ୍ରକଳ୍ପର ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା । କିଶୋରୀ ବାଳିକାମାନଙ୍କ ମଧ୍ୟରେ ଆୟୋଜିତ କୁଇଜ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ୬ ମାସ ପୂର୍ଣ୍ଣ କରିଥିବା ପିଲାମାନଙ୍କର ସମୂହ ଅନ୍ନପ୍ରାଶନ୍ନ କାର୍ୟ୍ୟକ୍ରମ କରାଯାଇଥିଲା । ଅଙ୍ଗନୱାଡି କର୍ମୀ ତଥା ଗ୍ରାମର ମହିଳାମାନେ ପୁଷ୍ଟିକର ଶିଶୁଖାଦ୍ୟ ପ୍ରଦର୍ଶନୀ କରିଥିଲେ ।