ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ବାଲେଶ୍ୱର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ-୨୦୨୦ ପାଳିତ ହୋଇଯାଇଛି । କୋଭିଡ୍‌-୧୯ କଟକଣା ଏବଂ ପ୍ରେସ କାଉନସିଲ ଅଫ ଇଣ୍ଡିଆର ମାର୍ଗଦର୍ଶିକା ଅନୁଯାୟୀ “ୱେବିନାର” ଆୟୋଜନ ମାଧ୍ୟମରେ ଏହି ଦିବସ ପାଳନ କରାଯାଇଥିଲା । ଭର୍ଚୁଆଲ ମୋଡରେ ଗଣମାଧ୍ୟମ ପ୍ରତିନିଧିମାନେ ଏହି ୱେବିନାରରେ ଅଂଶଗ୍ରହଣ କରିିଥିବା ବେଳେ ସ୍ଥାନୀୟ ଓସୱାନ ହଲରେ ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ଏପିଡି, ଡିଆରଡିଏ ଶ୍ରୀ ନୀଲୁ ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ ପ୍ରମୁଖ ଉପସ୍ଥିତ ରହି ଜାତୀୟ ପ୍ରେସ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ଚଳିତ ବର୍ଷର ବିଷୟ “କୋଭିଡ୍‌-୧୯ ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଏବଂ ଗଣମାଧ୍ୟମ ଉପରେ ଏହାର ପ୍ରଭାବ” ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ପରେ ବାଲେଶ୍ୱର ଜିଲ୍ଲାରେ ସାମ୍ବାଦିକତା ବୃତି ସହ ଜଡିତ ଥାଇ ପ୍ରାଣ ହରାଇଥିବା ବିଜୟଲକ୍ଷ୍‌ମୀ ମହାନ୍ତି, ସୋଲମୋନ ସାହୁ, ରତ୍ନାକର ବେହେରା, ତାରିଣୀ ପାଢୀ ଓ ରାଧେଶ୍ୟାମ ଶର୍ମାଙ୍କ ସମେତ ରାଜ୍ୟ ତଥା ଦେଶର ଅନ୍ୟାନ୍ୟ ଦିବଙ୍ଗତ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ନିଜ ବକ୍ତବ୍ୟ ରଖି ଜିଲ୍ଲାରେ କୋଭିଡ ମୁକାବିଲା କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧିମାନେ ଯେଉଁଭଳି ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିଛନ୍ତି ତାହାର ଭୂୟସୀ ପ୍ରଶଂସା କରିଥିଲେ । ସେହିଭଳି ଯେଉଁ କର୍ତବ୍ୟରତ ସାମ୍ବାଦିକମାନେ ଏହି ମହାମାରୀ ସମୟରେ ପ୍ରାଣବଳି ଦେଇଛନ୍ତି, ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସେମାନେ ଆମ ପାଇଁ ପ୍ରେରଣା ହୋଇ ରହିବେ ବୋଲି ମତବ୍ୟବକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଏବଂ ଏପିଡି ଶ୍ରୀ ନୀଲୁ ମହାପାତ୍ର କୋଭିଡ୍‌-୧୯ ମହାମାରୀ ସମୟରେ ଗଣମାଧ୍ୟମ ଯେଉଁଭଳି ଭାବେ ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି ଏବଂ ଜିଲ୍ଲା ପ୍ରଶାସନକୁ ସବୁ କ୍ଷେତ୍ରରେ ସହଯୋଗ କରି କୋଭିଡର ସଫଳ ମୁକାବିଲା ପାଇଁ ରାସ୍ତା ଦେଖାଇଛନ୍ତି ସେଥିନିମନ୍ତେ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ । କୋଭିଡ-୧୯ ମହାମାରୀ ବିପଦ ଏବେ ଟଳି ନ ଥିବା ବେଳେ ଆଗକୁ ମଧ୍ୟ ଏଭଳି ସହଯୋଗ ଜାରି ରହିବ ବୋଲି ସେମାନେ ଆଶାପ୍ରକଟ କରିଥିଲେ । ଆଜିର ଏହି ୱେବିନାରରେ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ଶିବଦାସ କୁଣ୍ଡୁ, ଶ୍ରୀ ବ୍ରହ୍ମାନନ୍ଦ ସ୍ୱାଇଁ, ଶ୍ରୀ ଉବାଚକ ମହାନ୍ତି, ଶ୍ରୀ ଅଭୟ ଦାସ, ଶ୍ରୀ ରାଜକିଶୋର ବେହେରା, ଶ୍ରୀ ଲୋକନାଥ ପିରି, ଶ୍ରୀ ମନୋଜ ରାଉଳ, ଶ୍ରୀ ସତ୍ୟବ୍ରତ ପ୍ରଧାନ ପ୍ରମୁଖ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିବା ସହିତ କୋଭିଡ-୧୯ ମହାମାରୀ ସମୟରେ ଗଣମାଧ୍ୟମ କିଭଳି ନିଜ ଦାୟିତ୍ୱ ନିର୍ବାହ କରିଛି, ଗଣମାଧ୍ୟମ ଉପରେ ଏହାର କଣ ପ୍ରଭାବ ପଡିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ଗଣମାଧ୍ୟମ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ଉପସ୍ଥାପନ କରିଥିଲେ । ସିଏମଜିଆଇ କୋ-ଅର୍ଡିନେଟର ଶ୍ରୀ ଅପୂର୍ବ ରାୟ ୱେବିନାର ଆୟୋଜନ ପାଇଁ ବୈଷୟିକ ସହାୟତା ଯୋଗାଇ ଦେଇଥିବା ବେଳେ ସୂଚନା ଓ ଲୋକସଂପର୍କ ଅଧିକାରୀ ଦୀପକ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ