ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା) : ଆଜି ପୂର୍ବାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୧ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକର ଦିବଂଗତ ସାମ୍ବାଦିକ ସ୍ୱର୍ଗତ ହରିଶ ଚନ୍ଦ୍ର ସ’ଙ୍କ ସମେତ ରାଜ୍ୟ ତଥା ଦେଶର ପ୍ରାଣ ହରାଇଥିବା ଅନ୍ୟାନ୍ୟ କର୍ତବ୍ୟରତ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ଚଳିତ ବର୍ଷର ବିଷୟ “ମହାମାରୀ ସମୟରେ ଗଣମାଧ୍ୟମ:ଏକ ନୂତନ ଆହ୍ୱାନ” ସହିତ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ସଭାରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ କରୋନା ମହାମାରୀ ସମୟରେ ଗଣମାଧ୍ୟମର ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଗଣମାଧ୍ୟମ ଯେଉଁଭଳି ଭାବେ ନିଜ ଦାୟିତ୍ୱ ନିର୍ବାହ କରିଛି ଏବଂ ପ୍ରତି କ୍ଷେତ୍ରରେ ସହଯୋଗର ହାତ ବଢାଇଛି ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର ବୋଲି ସେ କହିଥିଲେ । ଗଣମାଧ୍ୟମର ଖବର ପ୍ରସାରଣ ଓ ସମାଲୋଚନାକୁ ସବୁବେଳେ ସକରାତ୍ମକ ଭାବେ ଗ୍ରହଣ କରି ଆବଶ୍ୟକତା ଅନୁଯାୟୀ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥିବା ସେ ପ୍ରକାଶ କରିଥିଲେ । ବିଭିନ୍ନ ସମୟରେ ସ୍ଥିତିର ମୁକାବିଲା ପାଇଁ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ଆଗୁଆ ପଦକ୍ଷେପ ନିଆଯାଉଥିବା ସେ ସୂଚନା ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସଙ୍ଗୀତା ସାହୁ ଯୋଗ ଦେଇ ମହାମାରୀ ସମୟରେ ଗଣମାଧ୍ୟମ ଆଗରେ ଯେଉଁ ସବୁ ନୂତନ ଆହ୍ୱାନ ଦେଖାଦେଇଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଗଣମାଧ୍ୟମ ପ୍ରତିନିଧିମାନେ ଯେଉଁଭଳି ଭାବେ ଜନସାଧାରଣଙ୍କୁ ସୂଚନା ପ୍ରଦାନ ସହ ସଚେତନ କରିଥିଲେ ସେଥି ପାଇଁ ଅନେକ ଜୀବନ ରକ୍ଷା ହୋଇପାରିଥିବା ସେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ୍ ଗଣମାଧ୍ୟମର ଉଚିତ ସହଯୋଗ ଯୋଗୁଁ ଜିଲ୍ଲା ପ୍ରଶାସନ ବହୁ କ୍ଷେତ୍ରରେ ସଠିକ୍ ପଦକ୍ଷେପ ନେଇ ପାରିଥିବା ପ୍ରକାଶ କରିଥିଲେ । ସଭାପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଦିବସ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସଭାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ବିପ୍ଳବ ମହାନ୍ତି, ଶ୍ରୀ ଦେବବ୍ରତ ପାଣିଗ୍ରାହୀ, ଶ୍ରୀ ବ୍ରହ୍ମାନନ୍ଦ ସ୍ୱାଇଁ, ଶ୍ରୀ ଅଭୟ ଦାସ, ଶ୍ରୀ ଶିବାଦସ କୁଣ୍ଡୁ, ଶ୍ରୀ ସତ୍ୟପ୍ରିୟ ମହାନ୍ତି, ଶ୍ରୀ ବ୍ରହ୍ନନାଥ ରଥ ପ୍ରମୁଖ ମହାମାରୀ ସମୟରେ ଖବର ପରିବେଷଣ ସମୟରେ ଦେଖାଦେଉଥିବା ବିଭିନ୍ନ ଆହ୍ୱାନ, ଗଣମାଧ୍ୟମ ପ୍ରତିନିଧିମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା, ସାମ୍ବାଦିକମାନଙ୍କର ପେସାଦାର କାର୍ଯ୍ୟଶୈଳୀ, ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକମ୍ପର୍କ ଅଧିକାରୀ ଦୀପକ ସାହୁ ଜାତୀୟ ପ୍ରେସ ଦିବସ ଏବଂ ବିଷୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ବିଭାଗୀୟ ପଦାଧିକାରୀ ତଥା ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ