ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ
କେନ୍ଦୁଝର,(ପୂର୍ଣ୍ଣ ଚନ୍ଦ୍ର ମହାନ୍ତ):କେନ୍ଦୁଝର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଦରବାର ହଲଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସମାରୋହରେ ଜିଲ୍ଲା ପରିଷଦ କେନ୍ଦୁଝରର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୁଷଣ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିବା ସହ ନିଜ ଅଭିଭାଷଣରେ ଗଣମାଧ୍ୟମ ସମାଜର ଦର୍ପଣ ତେଣୁ ସତ୍ୟନିଷ୍ଠା ଓ ନିରପେକ୍ଷ ଭାବେ ନିଜ ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇ ଜନସମାଜର ବିକାଶ ସହିତ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବାରେ ସହାୟକ ହେବା ପାଇଁ ନିବେଦନ କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ନୂତନ ଡିଜିଟାଲ୍/ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ବିଭିନ୍ନ ଡିଜିଟାଲ ଉପକରଣର ବ୍ୟବହାର କରି ସୂଚନାକୁ ଯଥାଶୀଘ୍ର ଲୋକଙ୍କୁ ପରିବେଷଣ କରିବାକୁ ଗୁରୁତ୍ୱ ଦେବା ସହ ସଠିକ ଓ ସତ୍ୟ ଖବର ପରିବେଷଣକୁ ଗୁରୁତ୍ୱ ଦେବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ହରପ୍ରିୟା ନାୟକ,ଡେ଼ପୁଟି କଲେକ୍ଟର ସୁଶ୍ରୀ ରୁପାଲି ହାଂସଦା, କେନ୍ଦୁଝର ପ୍ରେସ କ୍ଳବ ଉପସଭାପତି ଶ୍ରୀ ଜୟକୃଷ୍ଣ ପଣ୍ଡା, ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ବାଦିକତା ମାଧ୍ୟମରେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସମ୍ପ୍ରଦାୟକୁ ସଂଯୋଗ କରିବା ସହ ସମାଜକୁ ଅବଗତ କରାଇବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଥିବା ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରିଥିଲେ । ସାମ୍ବାଦିକ ସର୍ବଶ୍ରୀ ଶରତ କୁମାର ଜେନା, ସତ୍ୟଜିତ ମିଶ୍ର ଓ ସୁଦାମ ପତି ଏହି ଅବସରରେ ନିଜର ସୁଚିନ୍ତିତ ମତାମତ ପୋଷଣ କରି ଏହି ଦିବସ ପାଳନକୁ ଆହୁରି ଜୀବନ୍ତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସାର୍ଥକ ରାୟ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରି ପରିବର୍ତ୍ତନଶୀଳ ଗଣାମଧ୍ୟମର ସ୍ୱରୂପ ବିଷୟରେ ଆଲୋଚନା କରିଥିଲେ । ମୁଦ୍ରିତରୁ ବୈଦ୍ୟୁତିକ ଓ ଏବେ ଡ଼ିଜିଟାଲ ଗଣମାଧ୍ୟମର ଯୁଗ ଚାଲିଛି । ଲୋକଙ୍କ ନିକଟରେ ପହଂଚିବାର ମାଧ୍ୟମ ଭିନ୍ନ ହେଇଥାଇ ପାରେ କିନ୍ତୁ ଖବର ପ୍ରସାରଣ ନିମନ୍ତେ ସାମ୍ବାଦିକତାର ସେହି ମୌଳିକ ନୀତି ଓ ଆଦର୍ଶ ସର୍ବ କ୍ଷେତ୍ରରେ ଆପଣାଇବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ମତ ଦେଇଥିଲେ । ଜିଲ୍ଲା ପ୍ରଶାସନକୁ ପୂର୍ବ ପରି ଆଗାମୀ ଦିନରେ ସହଯୋଗ ଜାରି ରଖି ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରିବା ପାଇଁ ସହଭାଗୀ ହେବା ପାଇଁ ନିବେଦନ କରିଥିଲେ ।