ଜିଲ୍ଲାସ୍ତରୀୟ ତ୍ରୈମାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା) :-ସମ୍ଭାବ୍ୟ ବାତ୍ୟା ଓ ସୁନାମି ଭଳି ବିପର୍ଯ୍ୟୟ ସମୟରେ ଆଗୁଆ ସତର୍କ ସୂଚନା ବିତରଣ ବ୍ୟବସ୍ଥା ସମ୍ପର୍କିତ ଜିଲ୍ଲାସ୍ତରୀୟ ତ୍ରୈମାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବାଲେଶ୍ୱର ଭଳି ବନ୍ୟାବାତ୍ୟାପ୍ରବଣ ଜିଲ୍ଲାରେ ଆଗୁଆ ସତର୍କ ସୂଚନା ପ୍ରଦାନ ଦ୍ୱାରା ବହୁ ଧନଜୀବନ ରକ୍ଷା କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଆନୁକୂଲ୍ୟରେ ଆୟୋଜିତ ଏଭଳି ପ୍ରିଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଆହୁରି ମଜବୁତ୍ ହୋଇପାରିବ ବୋଲି ସେ କହିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ ଏଥିରେ ଉପସ୍ଥିତ ରହି ନିୟମିତ ବ୍ୟବଧାନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବାଲେଶ୍ୱର ସଦର ବିଡିଓ ଶ୍ରୀ ନରେନ୍ଦ୍ର ଖମାରୀ ଏବଂ ଓସଡାମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ନିମାଇଁ ଚରଣ ଦାସ ବିପର୍ଯ୍ୟୟ ମୁକାବିଲା ପାଇଁ ଆଗୁଆ ସତର୍କ ସୂଚନା ବିତରଣ ସହ ଉଚିତ୍ ପ୍ରଶିକ୍ଷଣ ସବୁବେଳେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ବାଲେଶ୍ୱର ଜିଲ୍ଲାର ଜରୁରୀକାଳୀନ କକ୍ଷ ବେତାର ଯନ୍ତ୍ରୀ ଶ୍ରୀ ସତ୍ୟବ୍ରତ ସାହୁ ଓ ଶ୍ରୀ ଗୌରାଙ୍ଗ ଚରଣ ଦାସ ବିପର୍ଯ୍ୟୟ ପୂର୍ବରୁ ପ୍ରାକ ସୂଚନା ବିତରଣ ବ୍ୟବସ୍ଥା ସମ୍ପର୍କରେ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶନ କରିବା ସହିତ ବିସ୍ତୃତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜିଲ୍ଲାର ଉପକୂଳବର୍ତୀ ୫ଟି ବ୍ଲକ କାର୍ଯ୍ୟାଳୟର ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ, କମ୍ପ୍ୟୁଟର ପ୍ରୋଗ୍ରାମର, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଜରୁରୀକାଳୀନ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ବିପର୍ଯ୍ୟୟ ସମ୍ପର୍କିତ ଆଗୁଆ ସତର୍କ ସୂଚନା ବିତରଣ ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପ୍ରାକ୍ ବିପଦ ସୂଚନା ବିତରଣ କେନ୍ଦ୍ରରେ ବ୍ୟବହୃତ ବିଭିନ୍ନ ସରଞ୍ଜାମ ଯଥା ଡିଏମଆର ରେଡିଓ, ସଂକେତଧ୍ୱନି ଯନ୍ତ୍ର, ସଂଚାର ମାଧ୍ୟମ, ବିଭିନ୍ନ ବିକଳ୍ପ ବ୍ୟବସ୍ଥା ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ୟୁନିସେଫ ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ପାତ୍ର ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।


