ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ; ପ୍ରତି ବ୍ଲକରେ ଖୋଲାଯିବ ଅଭିଯୋଗ ପ୍ରକୋଷ୍ଠ

ଛତ୍ରପୁର,(ଦେବଦତ୍ତ ମହାରଣା): ଗଂଜାମ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରୀୟା ଚଳିତ ବର୍ଷ ଡିସେମ୍ବର ୧୫ତାରିଖ ଠାରୁ ଆରମ୍ଭ କରାଯିବ । ସେଥି ନେଇ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଭିଡି କନଭେରନ୍ସିଂ ଜରିଆରରେ ଅନୁଷ୍ଠିତ ହୋଇଯାଇଛି । କମିଟି ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ , ବିଧାୟିକା , ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର , ରାଜ୍ୟ ଜଙ୍ଗଲ ଓ ପରିବେଶ ତଥା ସାଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବୈଠକରେ ଅଂଶ ଗ୍ରହଣ କରି ଧାନ ସଂଗ୍ରହ ପ୍ରକ୍ରୀୟା କୁ କିଭଳି ସରଳୀକରଣ ଓ ବାଧା ବିହୀନ ହୋଇପାରିବ ଏବଂ ବିଗତ ବର୍ଷ ମାନଙ୍କରେ ଯାହା ସବୁ ସମସ୍ୟା ଦେଖା ଯାଇଥିଲା ସେହି ସବୁ ବିଷୟ ନେଇ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ବୈଠକରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଜଣାଇଥିଲେ ଯେ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ କହିଥିଲେ ଚଳିତ ବର୍ଷ ସେହି ଲକ୍ଷ୍ୟଧାର୍ଯ୍ୟ ଠାରୁ ସାମାନ୍ୟ ଅଧିକ ଚାଷୀ ପଂଜିକରଣ କରିଛନ୍ତି । ବିର୍ଗତ ବର୍ଷ ଶତକଡା ୮୮ପ୍ରତିଶତ ପାଖାପାଖି ଧାନ ସଂଗ୍ରହ କରାଯାଇଥିଲା । ଯାହାକି ସମୁଦାୟ ୩୭୪୨୨୩୧.୨୦ କୁଇଣ୍ଟାଲ ହୋଇଥିଲା । ଚଳିତ ବର୍ଷ ଯେଉଁ ଲକ୍ଷ୍ୟଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି ସେହି ଲକ୍ଷ୍ୟ ପୂରଣ ଦିଗରେ ଚେଷ୍ଟା ରହିବ , ତତ୍ ସହିତ ସରକାରଙ୍କ ପକ୍ଷରୁ ଯେଉଁ ନିର୍ଦ୍ଦେଶନାମା ଜାରି ହେବ ସେହି ଲକ୍ଷ୍ୟ ମଧ୍ୟ ପୂରଣ କରାଯିବ । ଯେଉଁ ଚାଷୀ ମାନେ ପଂଜିକରଣ କରିଛନ୍ତି । ଧାନ ସଂଗ୍ରହ ପ୍ରକ୍ରୀୟ ବେଳେ ଚାଷୀଙ୍କର ଯଦି କିଛି ଅସୁବିଧା ଉପୁଜେ ତେବେ ବ୍ଲକସ୍ତରରେ ଗୋଟିଏ ଗୋଟିଏ ଅଭିଯୋଗ ପ୍ରକୋଷ୍ଠ ଖୋଲାଯିବ । ଅତିରିକ୍ତ ତହସିଲଦାର, ବ୍ଲକ ଯୋଗାଣଅଧିକାରୀ ଏବଂ ସମବାୟ ବିଭାଗର ଏଆରସିଏସ ସ୍ତରୀୟ ଅଧିକାରୀଙ୍କୁ ନେଇ ଖୋଲାଯାଇଥିବା ଏହି ଅଭିଯୋଗ ପ୍ରକୋଷ୍ଠ ରେ ଚାଷୀମାନେ ସେମାନଙ୍କର ଆପତ୍ତି ଅଭିଯୋଗ ଜଣାଇବେ । ଏହାଦ୍ୱାରା ସେଗୁଡିକ ଜିଲ୍ଲାପ୍ରଶାସନର ନଜରକୁ ଆସିବ ଏବଂ ସେହି ସମସ୍ୟା ଗୁଡିକ ସମାଧାନ ହେବ । ତତ୍ ସହିତ ସେହି କମିଟି ଦ୍ୱାରା ଦୈନିକ ରିପୋର୍ଟ ମଧ୍ୟ ହାସଲ ହେବ ଏବଂ ଧାନ ସଂଗ୍ରହ ପ୍ରକ୍ରୀୟାରେ ସ୍ୱଚ୍ଛତା ବଜାଇ ରହିବ । ବିର୍ଗତ ବର୍ଷ ୪୪୨ପ୍ୟାକସ୍ ଅଂଶ ଗ୍ରହଣ କରିଥିଲେ । ୫୨ଗୋଟି ସ୍ୱୟଂ ସହାୟିକ ଗୋଷ୍ଠୀ , ୩୭୬ମିଲର , ୭୯୭୫୩ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇଥିଲା । ଚଳିତ ବର୍ଷ ଲକ୍ଷ୍ୟଧାର୍ଯ୍ୟ ପୂରଣ କରିବା ସହିତ ଠିକ୍ ସମୟରେ ଧାନ ଉଠାଇବା ପାଇଁ ଚେଷ୍ଟା କରାଯିବ ବୋଲି ଅବଗତ କରାଇଥିଲେ । ବିଧାନସଭା ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଭିଡିଓ କନଭେରନ୍ସିଂ ଜରିଆରରେ ଜଣାଇଥିଲେ ଯେ ଚଳିତ ବର୍ଷ ଭଲ ବର୍ଷା ହୋଇଛି, ଅନେକ ଚାଷୀଙ୍କ ସହିତ ଆଲୋଚନା ହୋଇଛି । ଚଳିତ ବର୍ଷ ଭଲ ଫସଲ ହୋଇଥିବା ଚାଷୀକୂଳ ପ୍ରକାଶ କରିଛନ୍ତି । ଗଂଜାମ ଜିଲ୍ଲାରେ ଅଧିକାଂଶ ଚାଷୀ, ଜିଲ୍ଲାରେ ଆଖିଦୃଷ୍ଟିଆ ଶିଳ୍ପ ନଥିବା ହେତୁ ଧାନ ଚାଷ କରି ଚାଷୀମାନେ ନିଜର ଜୀବନ ଜିବିକା ନିର୍ବାହ କରନ୍ତି । ପ୍ରତି ସୋସାଇଟି ମାନେ ଧାନ ସଂଗ୍ରହ କରିବା ପାଇଁ ଯଥେଷ୍ଟ ସ୍ଥାନ ପ୍ରସ୍ତୃତ କରିରଖନ୍ତୁ । ଚାଷୀମାନେ ଯେପରି ସିଧାସଳଖ ମିଲରଙ୍କୁ ନଦେଇ ସୋସାଇଟିକୁ ଧାନ ଦେବେ ତାର ବ୍ୟବସ୍ଥା କରିବାକୁ ଜଣାଇବା ସହିତ ଚାଷୀ ଯେପରି ଧାନର ଠିକ୍ ଓଜନ ଦର ପାଇବେ ତାହା ସୁନିଶ୍ଚିତ କରିବାକୁ ଶ୍ରୀପାତ୍ର କହିଥିଲେ । ରାଜ୍ୟ ଜଙ୍ଗଲ ଓ ପରିବେଶ ତଥା ସାଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଜଣାଇଥିଲେ ଯେ ଚାଷୀମାନେ ଯେପରି ସେମାନଙ୍କ ଉପଯୁକ୍ତ ପ୍ରାପ୍ୟ ଚବିଶ ଘଣ୍ଟାରୁ ୪୮ଘଣ୍ଟା ମଧ୍ୟରେ ପାଇବେ ଏବଂ ଧାନ ସଂଗ୍ରହ ପ୍ରକ୍ରୀୟା ବେଳେ କୋଭିଡ ନିୟମ ଯେପରି କଡାକଡି ପାଳନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇ , ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ , ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଆସିକା ବିଧାୟିକା ମଂଜୁଳା ସ୍ୱାଇଁ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ସେମାନଙ୍କର ମତାମତ ଉପସ୍ଥାପନ କରି ବିର୍ଗତ ବର୍ଷ ମାନଙ୍କରେ ଧାନ ସଂଗ୍ରହ ପ୍ରକ୍ରୀୟା ବେଳେ ଯେଉଁ ସବୁ ସମସ୍ୟା ମାନ ଦେଖାଯାଇଥିଲା ତାହା ଜଣାଇ ତାହାର ସମାଧାନ ଦିଗରେ ପଦେକ୍ଷପ ନେବାକୁ ପରାମର୍ଶ ଦେଇଥିଲେ ।ଚଳିତ ବର୍ଷ ୨୦୫୬୭ ଜଣ ନୂତନ ଚାଷୀ ନାମ ପଂଜିକରଣ କରିଥିବା ବେଳେ ୧୧୯୦୮୧ଜଣ ଚାଷୀ ନବୀକରଣ କରିଛନ୍ତି । ଯାହାକି ସମୁଦାୟ ୧୩୯୬୪୯ଜଣ ଚାଷୀ ଧାନ ବିକ୍ରୟ ନିମନ୍ତେ ଜିଲ୍ଲାରେ ପଂଜିକରଣ କରିଛନ୍ତି । ଏଥି ସହିତ ୪୨୪୫ଜଣ ଭାଗଚାଷୀ ମଧ୍ୟ ପଂଜିକରଣ ହୋଇଥିବା ଜଣାପଡିଛି । ୩୮୯ ପ୍ୟାକସ୍ , ୫୧ ଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ଓ ଗୋଟିଏ ପାଣି ପଂଚାୟତ ଚାଷୀମାନଙ୍କ ଠାରୁ ଧାନ କିଣିବା ନିମନ୍ତେ ହୋଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ   ଦତ୍ତାତ୍ରୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ୱ. କୀର୍ତ୍ତୀ ୱାସନ , ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମାଶଙ୍କର ପତି , ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା , ଏଫସିଆଇ ବ୍ରହ୍ମପୁର ଶାଖା ଡିଭିଜିନାଲ ମ୍ୟାନଜର ନିତିନ ବର୍ମା, ମ୍ୟାନଜର ଏଫସିଆଇ ଏନ୍‌.ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ