ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସକୁ ବେଶ୍ ସମାରୋହରେ ପାଳନ କରାଯାଇଛି । ଗାଁର ବିକାଶ ହେଲେ ଓଡିଶା ରାଜ୍ୟର ବିକାଶ ହୋଇପାରିବ । ଗାଁର ବିକାଶ ଦିଗରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ବିଭିନ୍ନ ଯୋଜନାକୁ ହିତାଧିକାରୀଙ୍କ ନିମନ୍ତେ ସ୍ୱଚ୍ଛ ଭାବେ କାର୍ଯ୍ୟ କରାଯାଉଛି । ଜିଲ୍ଲାର ୯୦ ପ୍ରତିଶତ ବିକାଶ ମୂଳକ କାର୍ଯ୍ୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜରିଆରେ କରାଯାଉଛି । ସବୁ ବର୍ଗର ବିକାଶକୁ ଛୁଇଁ ପାରିଛି ଗଞ୍ଜାମ ଜିଲ୍ଲା । ମନରେଗା ଯୋଜନାରେ ଆଜି ଗଞ୍ଜାମ ଜିଲ୍ଲା ସର୍ବଭାରତୀୟ ସ୍ତରରେ ଶୀର୍ଷରେ ରହିଛି । ଆସନ୍ତାଦିନରେ ମଧ୍ୟ ଏହି ରୋଲ ମଡେଲ୍ ଗଞ୍ଜାମ ଜିଲ୍ଲା ବିକାଶର ଧାରା ବଜାୟ ରଖିବା ନିମନ୍ତେ ଜନପ୍ରତିନିଧିଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନର ପ୍ରାୟସ ଜାରି ରହିବ ବୋଲି ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ସମାରୋହରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି । ସେହିପରି ଓଡିଶା ସରକାର ତଥା ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ୯ଟି ଥିମ୍ ଉପରେ ଉଲ୍ଲେଖନୀୟ କରିଥିବା ଶ୍ରେଷ୍ଠ ପଞ୍ଚାୟତ ଗୁଡିକର ସରପଞ୍ଚ ଓ ପିଇଓମାନଙ୍କୁ ମାନପତ୍ର ସହ ୧ ଲକ୍ଷ ଟଙ୍କା ଲେଖାଁଏ ପୁରୁସ୍କାର ରାଶି ପ୍ରଦାନ କରାଯାଇଛି । ଖଲ୍ଲିକୋଟ ବ୍ଲକ ଡିମିରିଆ ପଞ୍ଚାୟତକୁ ଶ୍ରେଷ୍ଠ ଦାରିଦ୍ରମୁକ୍ତ ପଞ୍ଚାୟତ ଭାବେ ସରପଞ୍ଚ ସବିତା ଗୌଡ ଓ ପିଇଓ ଅଜୟ କୁମାର ଦୋରାଙ୍କୁ, ସୁସ୍ଥ ପଞ୍ଚାୟତ ଭାବେ ପୋଲସରା ବ୍ଲକ ହାତୀଓଟ ପଞ୍ଚାୟତ ସରପଞ୍ଚ ରଶ୍ମିତା ସାହୁ ଓ ପିଇଓ କିଶୋର ଚନ୍ଦ୍ର ସାହୁଙ୍କୁ, ଶିଶୁ ଅନୁକୂଳ ପଞ୍ଚାୟତ ଭାବେ ରଙ୍ଗେଇଲୁଣ୍ଡା ବ୍ଲକ ଚନ୍ଦନପୁର ପଞ୍ଚାୟତ ସରପଞ୍ଚ ସିଏଚ୍. ରଶ୍ମିତା ପାତ୍ର ଓ ପିଇଓ ରୂପକ ରଞ୍ଜନ ସାମନ୍ତରାୟଙ୍କୁ, ଜଳ ପର୍ଯ୍ୟାପ୍ତ ପଞ୍ଚାୟତ ଭାବେ ହିଞ୍ଜିଳି ବ୍ଲକ ନନ୍ଦିକ ପଞ୍ଚାୟତ ସରପଞ୍ଚ କୃଷ୍ଣଚନ୍ଦ୍ର ଭୋଳ ଓ ପିଇଓ ବିଜୟ କୁମାର ସେଠୀଙ୍କୁ, ସୁସ୍ଥ ଓ ସବୁଜ ପଞ୍ଚାୟତ ଭାବେ ଛତ୍ରପୁର ବ୍ଲକ ଚମାଖଣ୍ଡି ପଞ୍ଚାୟତ ସରପଞ୍ଚ ସିଏଚ୍.ମନୋଜ ରେଡ୍ଡୀ ଓ ପିଇଓ ଦଣ୍ଡପାଣି ପ୍ରଧାନଙ୍କୁ, ଆତ୍ମନିର୍ଭର ଭିତ୍ତିଭୂମି ସଂପନ୍ନ ପଞ୍ଚାୟତ ଭାବେ ହିଞ୍ଜିଳି ବ୍ଲକ ସାରୁ ପଞ୍ଚାୟତ ସରପଞ୍ଚ ନିଳାଞ୍ଚଳ ସାହୁ ଓ ପିଇଓ ବୈଷ୍ଣବ ମଣ୍ଡଳଙ୍କୁ, ସାମାଜିକ ଭାବେ ସୁରକ୍ଷିତ ପଞ୍ଚାୟତ ପୁରୁଷୋତ୍ତମ ବ୍ଲକ ବଡଖରିଡା ପଞ୍ଚାୟତ ସରପଞ୍ଚ କାମା ଦଳାଇ ଓ ପିଇଓ ପାଣ୍ଡବ ରାଉତଙ୍କୁ, ଶୁଶାସିତ ପଞ୍ଚାୟତ ଭାବେ ହିଞ୍ଜିଳିକାଟୁ ବ୍ଲକ ଦୁର୍ବନ୍ଧ ପଞ୍ଚାୟତ ସରପଞ୍ଚ ବିକାଶ କୁମାର ସେଠୀ ଓ ପିଇଓ କାଳୁ ଚରଣ ବେହେରାଙ୍କୁ ଏବଂ ମହିଳା ଅନୁକୂଳ ପଞ୍ଚାୟତ ଭାବେ ସାନଖେମୁଣ୍ଡି ବ୍ଲକ ପାଟିଗୁଡା ପଞ୍ଚାୟତ ସରପଞ୍ଚ ସିମାଞ୍ଚଳ ଗୌଡ ଓ ପିଇଓ ବି.ରାମପ୍ରସାଦ ପୃଷ୍ଟିଙ୍କୁ ମାନପତ୍ର ସହ ଆର୍ଥିକ ରାଶି ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଏସ୍.ରାଜେଶ୍ୱରୀ ଦୋରା, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାଷନ୍, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ ଉପସ୍ଥିତ ରହି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବ୍ଲକ ଓ ପଞ୍ଚାୟତ ଗୁଡିକୁ ପୁରସ୍କାର ବିତରଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରା, ଏପିଡି(ତାମିଲ) ବାଣି ସୁକାନ୍ତ ପଟ୍ଟନାୟକ, ଜିଲ୍ଲା ପ୍ରୋଗ୍ରାମର ଦୀପକ କୁମାର ପାତ୍ରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ ଜିଲ୍ଲାର ବ୍ଲକ, ପଞ୍ଚାୟତ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପ୍ରତିନିଧି ଓ କର୍ମଚାରୀଙ୍କୁ ଜିଲ୍ଲାପାଳ କୃତଜ୍ଞତା ଜଣାଇଛନ୍ତି । ଗଞ୍ଜାମ ଜିଲ୍ଲାର ବିକାଶ ଧାରାକୁ ବଜାୟ ରଖିବା ନିମନ୍ତେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବ୍ଲକ ଓ ପଞ୍ଚାୟତ ଗୁଡିକୁ ବିଜୁ ପଟ୍ଟନାୟକ ସଶକ୍ତିକରଣ ପୁରସ୍କାର ପ୍ରଦାନ କରାଯାଇଛି । ବ୍ଲକ ଓ ପଞ୍ଚାୟତ ଗୁଡିକର ବିକାଶ ଲାଗି ଓଡିଶା ସରକାରଙ୍କ ତରଫରୁ ୯ଟି ବିଷୟକୁ ନେଇ ପୁରୁସ୍କାର ପ୍ରାଦନ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଥିଲା । ସବୁ ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ହିଞ୍ଜିଳି ବ୍ଲକକୁ ଜିଲ୍ଲାର ଶ୍ରେଷ୍ଠ ବ୍ଲକ ଭାବେ ଘୋଷଣା କରାଯାଇଥିବା ବେଳେ ବିଡିଓ ସୁବ୍ରତ କୁମାର ଜେନାଙ୍କୁ ମାନପତ୍ର ସହ ୩ ଲକ୍ଷ ଟଙ୍କା ପୁରୁସ୍କାର ରାଶି ପ୍ରଦାନ କରାଯାଇଛି । ଦ୍ୱିତୀୟ ଶ୍ରେଷ୍ଠ ବ୍ଲକ ସାନଖେମୁଣ୍ଡି ବ୍ଲକ ବିଡିଓ ଗାୟତ୍ରୀଦତ୍ତ ନାୟକଙ୍କୁ ମାନପତ୍ର ସହ ୨ ଲକ୍ଷ ଟଙ୍କା ଆର୍ଥିକ ରାଶି ଏବଂ ତୃତୀୟ ଶ୍ରେଷ୍ଠ ଚିକିଟି ବ୍ଲକ ବିଡିଓ ଜଳଧର ଶବରଙ୍କୁ ମାନପତ୍ର ସହ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ସବୁ ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସାନଖେମୁଣ୍ଡି ବ୍ଲକ ପୁଡାମାରି ପଞ୍ଚାୟତକୁ ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର ପାଇଥିବା ବେଳେ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ଓ ପିଇଓ ଏ.ରଘୁନାଥଙ୍କୁ ମାନପତ୍ର ସହ ୩ ଲକ୍ଷ ଟଙ୍କା ପୁରୁସ୍କାର, ରଙ୍ଗେଇଲୁଣ୍ଡା ବ୍ଲକ କେଳୁଆପଲ୍ଲୀ ପଞ୍ଚାୟତକୁ ଦ୍ୱିତୀୟ ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର ଭାବେ ସରପଞ୍ଚ ଅରୁଣ ନାୟକ ଓ ପିଇଓ ସମୀର କୁମାର ମିଶ୍ରଙ୍କୁ ମାନପତ୍ର ସହ ୨ ଲକ୍ଷ ଟଙ୍କା ଏବଂ ଗଞ୍ଜାମ ବ୍ଲକ ହୁମ୍ମା ପଞ୍ଚାୟତକୁ ତୃତୀୟ ଶ୍ରେଷ୍ଠ ପଞ୍ଚାୟତ ଭାବେ ସରପଞ୍ଚ ଜାନକୀ ଦାସଲ ଓ ପିଇଓ ଦିଲ୍ଲୀପ ନାୟକଙ୍କୁ ମାନପତ୍ର ସହ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।