ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ୨୦୨୪ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ -୨୦୨୪ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଓଡିଶା ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାନ ଜନ ନାୟକ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ସାହସିକତା ଏବଂ ଓଡିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ତାଙ୍କର ବିଶେଷ ଅବଦାନ ଉପରେ ଆଲୋକପାତ କରିଥିଲେ । ମାନ୍ୟବର ବାଲେଶ୍ୱର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା ଗ୍ରାମାଂଚଳରେ ରାସ୍ତାଘାଟ ଠାରୁ ଆରମ୍ଭ କରି ପକ୍କା ଘର, ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହେଉଥିବା କହିଥିଲେ । ଏହି ସବୁ କାର୍ଯ୍ୟର ସଫଳତା ଗ୍ରାମରେ ଅନେକ ପରିବର୍ତନ ଆଣିପାରିଛି ଏବଂ ଗାଁର ରୂପାନ୍ତର ହୋଇଛି । ଗ୍ରାମ ବିକାଶରେ ଆଜି ମହିଳାମାନେ ସାମିଲ ହୋଇଛନ୍ତି । ଗ୍ରାମରେ ବିକାଶର ଛବି ଉଜ୍ଜ୍ୱଳ ହୋଇଛି । ଅନ୍ୟତମ ସମ୍ମାନିତ ଅତିଥି ମାନ୍ୟବର ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା ଦୁଇ ଦଶନ୍ଧି ତଳେ ଆମ ଗ୍ରାମମାନଙ୍କର ଯେଉଁ ଚିତ୍ର ଦେଖିବାକୁ ମିଳୁଥିଲା ଆଜି ସେଥିରେ ବିରାଟ ପରିବର୍ତନ ଆସିଥିବା ନେଇ ବକ୍ତବ୍ୟ ରଖିଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା ହିଁ ଏହା ସମ୍ଭବ ହୋଇପାରିଥିବା ସେ କହିଥିଲେ ।
ସମ୍ମାନିତ ଅତିଥି ଜ଼ିଲ୍ଲା ପରିଷଦ ମାନ୍ୟବର ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ଭାରତୀୟ ଗଣତନ୍ତ୍ର ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା ଆହୁରି ସୁଦୃଢ ହୋଇପାରିଥିବା ମତପୋଷଣ କରିଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରକୃତ ସୁଫଳ ପାଇବା ପାଇଁ ଗ୍ରାମାଂଚଳରେ ଏ ସମ୍ପର୍କରେ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।ସମ୍ମାନିତ ଅତିଥି ଜ଼ିଲ୍ଲା ପରିଷଦ ମାନ୍ୟବର ଉପାଧ୍ୟକ୍ଷା ଶ୍ରୀମତୀ ଅନସୂୟା ପ୍ରଧାନ ଓଡିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରଚଳନ ଏବଂ ଶିଳ୍ପ ଭିତିଭୂମିର ପ୍ରତିଷ୍ଠା କ୍ଷେତ୍ରରେ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଏ ଜାତି ସବୁଦିନ ମନେ ରଖିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ତୃଣମୂଳ ସ୍ତରରେ ବିକାଶକୁ ପହଂଚାଇବାରେ ପଞ୍ଚାୟତିରାଜ ବ୍ୟବସ୍ଥାର ଅନେକ ଅବଦାନ ରହିଥିବା କହିଥିଲେ । ତେବେ ଆଜିର ଦିବସକୁ ଲୋକସେବା ଦିବସ ଭାବେ ମଧ୍ୟ ପାଳନ କରାଯାଉଛି । ଲୋକମାନଙ୍କ ନିକଟରେ ସରକାରୀ ସୁବିଧା ଓ ସେବା ପହଂଚାଇବା ପାଇଁ ସରକାରୀ ଅଧିକାରୀମାନେ ସମର୍ପିତ ମନୋଭାବ ନେଇ ନିଜକୁ ଜନସେବାରେ ନିୟୋଜିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ତୃଣମୂଳ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଗ୍ରାମ ପଂଚାୟତ ଏବଂ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ପୁରସ୍କାର ସହିତ ଅର୍ଥ ରାଶି ପ୍ରଦାନ କରିଥିଲେ I ଜିଲ୍ଲା ପରିଷଦ ସଦସ୍ୟ-ସଦସ୍ୟା, ବିଭାଗୀୟ ଅଧିକାରୀମାନଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ