ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ସମାରୋହ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜ୍ୟ ସରକାର କୃଷି ତଥା କୃଷକମାନଙ୍କ ଉନ୍ନତି ଓ କ୍ରମବର୍ଦ୍ଧିଷ୍ଣୁ ଜନ ସମୁଦାୟର ଖାଦ୍ୟ ସୁରକ୍ଷା ନିମନ୍ତେ ଜଳ ସଂପଦର ବିକାଶ ଓ ପରିଚାଳନା ଉପରେ ଗୁରୁତ୍ୱାରୋପ କରୁଛନ୍ତି ବୋଲି ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ସମାରୋହର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମତବ୍ୟକ୍ତ କରିଥିଲେ । ବୁଧବାର ପୂର୍ବାହ୍ନରେ ଡେରାବିଶର ଛତାସ୍ଥିତ ଜଳସେଚନ ଉପବିଭାଜନ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜାତୀୟ ସ୍ତରରେ ପ୍ରଥମ ରାଜ୍ୟ ଭାବେ କୃଷିକର୍ମଣ ପୁରସ୍କାର ଓ ଆମ ରାଜ୍ୟ ଖାଦ୍ୟଶସ୍ୟ ଉତ୍ପାଦନରେ ଏକ ବଳକା ରାଜ୍ୟ ଭାବେ ପରିଗଣିତ ହେବା କେବଳ କୃଷକମାନଙ୍କ ନିରନ୍ତର ଉଦ୍ୟମ ଓ ପାଣି ପଞ୍ଚାୟତର ସଫଳ କାର୍ଯ୍ୟକାରିତା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । କୃଷକ ଓ ପାଣି ପଞ୍ଚାୟତର ସଭ୍ୟମାନଙ୍କ ସମସ୍ୟାକୁ ଗଣତାନ୍ତ୍ରିକ ଉପାୟରେ ଆପୋଷ ସମାଧାନ କରିବା ଓ ଏହାର ଆଶୁ ସମାଧାନ ପାଇଁ ଉପସ୍ଥିତ ଉଚ୍ଚ ପଦସ୍ଥ ଅଧିକାରୀମାନେ ଚେଷ୍ଟିତ ହେବାକୁ ସେ ପରାମର୍ଶ ଦେଇଥିଲେ । ଆବଶ୍ୟକ ହେଲେ ସେ ନିଜେ ରାଜ୍ୟ ସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବେ । ବୈଜ୍ଞାନିକ ଜ୍ଞାନ କୌଶଳ ପ୍ରୟୋଗ କରି କୃଷିର ଉନ୍ନତି ପାଇଁ ବିଧାୟକ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ । କୃଷିର ଉନ୍ନତି ପାଇଁ ରାଜ୍ୟ ସରକାର ୨୦୨୧-୨୨ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ସେଚାଞ୍ଚଳର ବିକାଶ ପାଇଁ ପ୍ରାୟ ୬୦୦କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ସେ କହିଥିଲେ । ପାଣିପଞ୍ଚାୟତର କାର୍ଯ୍ୟକ୍ରମକୁ ଆହୁରି ଗତିଶୀଳ କରାଇ ଜଳ ସମ୍ପଦର ସୁପରିଚାଳନା ସହିତ କୃଷକମାନଙ୍କର ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ସମସ୍ତଙ୍କ ସହଯୋଗ ଓ ସହଭାଗୀତାର ଆବଶ୍ୟକତା ରହିଛି ବୋଲି ସମାରୋହର ସଭାପତିତ୍ୱ କରୁଥିବା ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ମତବ୍ୟକ୍ତ କରିଥିଲେ । ଗତ ଫେବୃୟାରୀ ୧ ତାରିଖରୁ ଜିଲ୍ଲାର ସମସ୍ତ ୯ଟି ବ୍ଲକରେ ପାଣିପଞ୍ଚାୟତ ସଚେତନତା ରଥ ପରିଭ୍ରମଣ କରି ସଚେତନତା ବାର୍ତ୍ତା ପ୍ରଦାନ କରୁଛି । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭା କାର୍ଯ୍ୟକୁ ବିଧାୟକ ଶ୍ରୀ ସାହୁ ଶୁଭ ଉଦ୍‌ଘାଟନ ପରେ ଭାବଗ୍ରାହୀ କଳା ନିକେତନର କଳାକାରମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ସହିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା । ଭାବଗ୍ରାହୀ କଳା ନିକେତନର ସଂପାଦକ ବିମଳ ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସମାରୋହରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡଃ. ସୂର୍ଯ୍ୟନାରାୟଣ ମିଶ୍ର, ଡେରାବିଶ ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ଜିଲ୍ଲା ପରିଷଦର ସଭ୍ୟ ପ୍ରମୋଦ ରଥ, ସଭ୍ୟ ରଶ୍ମୀରଞ୍ଜନ ରାଉତ, ଲିଲିତା ଦାସ, ସଭ୍ୟା ନିର୍ମଳା ମହାନ୍ତି ଏବଂ ଜିଲ୍ଲା ପରିଷଦର ସଭ୍ୟ/ସଭ୍ୟା, ପାଣିପଞ୍ଚାୟତର ସଭ୍ୟ/ସଭ୍ୟା, ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ଏବଂ ଅଗ୍ରଣୀ କୃଷକମାନେ ଯୋଗ ଦେଇଥିଲେ । ଏହି ସମାରୋହରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସମରେଶ ଚନ୍ଦ୍ର ବେହେରା, ଉଠାଜଳସେଚନର ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ପ୍ରଧାନ, ଯୋଗ ଦେଇଥିଲେ । ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଶରତ କୁମାର ମଲ୍ଲିକଙ୍କ ସଂଯୋଜନାରେ ମଞ୍ଚ ପରିଚାଳନା କରାଯାଇଥିଲା । ପାଣିପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଆୟୋଜିତ ବକ୍ତୃତା, କୁଇଜ୍‌, ଚିତ୍ରକଳା ଓ ପ୍ରବନ୍ଧ ପ୍ରତିଯୋଗୀତାର ୨୫ଜଣ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । କେନ୍ଦ୍ରାପଡା ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ ଉମେଶ ଚନ୍ଦ୍ର ସେଠୀ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ