ଜିଲ୍ଲାସ୍ତରୀୟ ପି-ଏମ କିଷାନ ଉତ୍ସବ ଦିବସ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ୱାସିମ ସହରଠାରେ ଆୟୋଜିତ ପି-ଏମ କିଷାନ ସମାରୋହରେ ଦେଶର ୯କୋଟି ୪୦ ଲକ୍ଷ ଚାଷୀଙ୍କୁ ୨୦୦୦୦ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି I ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପି-ଏମ କିଷାନ ଉତ୍ସବ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶାସକ ଦଳର ଉପମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ, ରେମୁଣା ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ Iଏହି ଅବସରରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ଅତିଥିବୃନ୍ଦ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀମାନେ ୱାସିମ ଠାରୁ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ତତ୍ୱାବଧାନରେ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବାଲେଶ୍ୱର ଜିଲ୍ଲାର ୨,୧୦,୯୬୩ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ହସ୍ତାନ୍ତର ହେବ ବୋଲି ସୂଚନା ଦିଆଯାଇଛି I କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଲଖ୍ମଣ ଚନ୍ଦ୍ର ମୁର୍ମୁ ସ୍ୱାଗତ ଭାଷଣ ଦେଇଥିଲେ।ଏଠାରେ ସୂଚନା ଥାଉ କି, କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ପି-ଏମ କିଷାନ ଯୋଜନା ଏକ କଲ୍ୟାଣକାରୀ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ଭାବରେ ବର୍ଷକୁ ୬୦୦୦ ଟଙ୍କା ତିନି ଗୋଟି କିସ୍ତି ମାଧ୍ୟମରେ ପ୍ରଦାନ କରାଯାଇ ଥାଏ।