ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ପୂର୍ବାହ୍ନ ଘ. ୯ ସମୟରେ କଲେକ୍ଟୋରେଟ ପରିସରଠାରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସମ୍ପର୍କରେ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିରଞ୍ଜନ ବେହେରା ବାଲେଶ୍ୱର ଜିଲ୍ଲା ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମୁଖୀନ ହେଉଥିବାରୁ ଏଥିପାଇଁ ସମସ୍ତଙ୍କ ଅଭିଜ୍ଞତା ଓ ଅନୁଭବ ଆଧାରରେ ସତର୍କ ରହିବାକୁ ମତପ୍ରକାଶ କରିଥିଲେ I ପ୍ରାକୃତିକ ବିପର୍ଯ୍ୟୟ ଯଥା ବାତ୍ୟା ଓ ବନ୍ୟାକୁ ରୋକାଯାଇ ପାରିବ ନାହିଁ କିନ୍ତୁ ସତର୍କତା, ସଚେତନତା ଓ ପ୍ରାକ୍ ପ୍ରସ୍ତୁତି ଦ୍ୱାରା ଧନଜୀବନ କ୍ଷୟକ୍ଷତିକୁ ରୋକିବା ସହ ବିପର୍ଯ୍ୟୟକୁ ପ୍ରଶମିତ କରିବାରେ ସହାୟକ ହୋଇଥାଏ ବୋଲି ଶ୍ରୀ ବେହେରା ଦୃଢୋକ୍ତି ରଖିଥିଲେ I ଏଥିରେ ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡିଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର ଆଗ୍ନିକମାନେ ଯୋଗ ଦେଇ ସୃଷ୍ଟି ହେଉଥିବା ବିଭିନ୍ନ ବିପର୍ଯ୍ୟୟର ମୁକାବିଲା ପାଇଁ ଗ୍ରହଣ କରିବାକୁ ଥିବା ପଦକ୍ଷେପ ସମ୍ପର୍କରେ ବିଷଦ ଭାବେ ମକଡ୍ରିଲ ମାଧ୍ୟମରେ ପ୍ରଦର୍ଶନ ସହ ଅବଗତ କରାଇଥିଲେ I ଦୈନନ୍ଦିନ ଜୀବନରେ ଘଟୁଥିବା ଛୋଟ ବଡ ଦୁର୍ଘଟଣାକୁ କିପରି ମୁକାବିଲା କରାଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ମକଡ୍ରିଲ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇକୃଷ୍ଣ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନେକ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ଥିଲେ I