ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ପୁରୀ(ଜୁଗାବ୍ଦ ନ୍ୟୁଜ୍‍): ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଶନିବାର ପୂର୍ବାହ୍ନରେ ସଦ୍ଭାବନା ଗୃହରେ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୫ ପର୍ଯ୍ୟନ୍ତ ସଂପୃକ୍ତ ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ନଦୀଗୁଡିକରେ ଜଳ ନିଷ୍କାସନ ପାଇଁ ପ୍ରସ୍ତୁତ ଥିବା ଅଧିକାରୀମାନେ ବୈଠକରେ ଅବଗତ କରିଛନ୍ତି । ବାତ୍ୟା ଫାନି ଦ୍ୱାରା ଗଛ ଭାଙ୍ଗି ବିଭିନ୍ନ ଅଞ୍ଚଳର ନାଳରେ ପଡିଥିବାରୁ ନିଷ୍କାସନ ପାଇଁ ଅବରୋଧ କରିବା ଆଶଙ୍କା ଥିବାରୁ ଗଛ ହଟେଇବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାରେ ଆଗକୁ ଅଧିକ ସଂଖ୍ୟାରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଉଦ୍ୟମ କରାଯାଉଛି । ଜିଲ୍ଲାରେ ୧ଲକ୍ଷ ୬୦ ହଜାର ବିଦ୍ୟୁତ୍ ଉପଭୋକ୍ତାଙ୍କ ମଧ୍ୟରୁ ୧ଲକ୍ଷ ୧୦ ହଜାର ଉପଭେକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି । ପିପିଲିରେ ଗୋଟିଏ ଓ ଛଇତନାରେ ଗୋଟିଏ ଫିଡର କାର୍ଯ୍ୟ ଚାଲିଛି । ଜିଲ୍ଲାରେ ବନ୍ୟା ଆଶଙ୍କା ଥିବା ୯୦୦ଟି ଗ୍ରାମରେ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଥିବା ସିଡିଏମ୍ଓ ସୂଚନା ଦେଇଛନ୍ତି । ଜିଲ୍ଲାକୁ ୬ଟି ଜୋନ୍ରେ ବିଭକ୍ତ କରାଯାଇ ବିପର୍ଯ୍ୟୟ ବେଳେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ସଦର ମହକୁମାରେ ୫ଟି ଓ ଅନ୍ୟ ସ୍ଥାନରେ ୪ଟି ସରକାରୀ ଆମ୍ବୁଲାନ୍ସ ସେବା ଉପଲଧ୍ୱ । ସେହିଭଳି ୧୮ଟି ୧୦୮ ଏବଂ ୧୯ଟି ୧୦୨ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି । ସେହିଭଳି ଗତ ବାତ୍ୟାରେ ଜିଲ୍ଲାର ୬୦ ହଜାର ୯୮୩ ଜଣ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲା ବେଳେ କ୍ଷୟକ୍ଷତି ୨୫ କୋଟି ୪୧ ଲକ୍ଷ ଆକଳନ କରାଯାଇଛି । ୧୪୭୫୫ କୁଇଣ୍ଟାଲ ଧାନ ବିହନ ୨ଶହ କୁଇଣ୍ଟାଲ ଗଛିତ କରାଯାଇଛି । କାଜୁ, ପାନ, ଓ ନଡ଼ିଆ ବଗିଚା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ମହଜୁଦ୍ ଥିବା ବେଳେ ଗତ ବାତ୍ୟାରେ ପ୍ରାୟ ୫୦୦୦ ରୁ ଅଧିକ ଗୁହାଳ ଭାଙ୍ଗି ଯାଇଛି । ବନ୍ୟା ସମୟରେ ନଦୀପଥରେ ଗମନାଗମନ ପାଇଁ ଡଙ୍ଗା ପ୍ରସ୍ତୁତ ରଖିବାକୁ ସଂପୁକ୍ତ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଜିଲ୍ଲାରେ ପ୍ରାୟ ୨୦୦ଜଣ ବିପଦମିତ୍ର କାର୍ଯ୍ୟରତ ଅଛନ୍ତି । ଜରୁରୀବେଳେ ଶୁଖିଲା ଖାଦ୍ୟ ମହଜୁଦ୍ ରହିଥିବା ଜିଲ୍ଲା ଯୋଗାଣ ଅଧିକାରୀ ଅବଗତ କରାଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପିନାକୀ ମିଶ୍ର, ଜଗତ୍ସିଂହପୁର ସାଂସଦ ରାଜଶ୍ରୀ ମଳ୍ଲିକ୍, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ପ୍ରଦୀପ୍ତ କୁମାର ମହାରଥି, ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାସଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମସ୍ତ ବ୍ଲକ୍ର ବିଡିଓ ଓ ତହସିଲଦାର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ