ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ବୈଠକ
ବାଲେଶ୍ୱର,(ସରୋଜ ପଣ୍ଡା):ଆଜି ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଓସୱାନ ହଲରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିବା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଏବଂ ସହରାଂଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହିତ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ବର୍ଷା ଋତୁକୁ ଆଖିରେ ରଖି ଜିଲ୍ଲାକୁ କିପରି ଭାବେ ବିପର୍ଯ୍ୟୟରୁ ରକ୍ଷା କରାଯାଇପାରିବ ସେ ନେଇ ଏଥିରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ ଦୁର୍ବଳ ନଦୀବନ୍ଧ ଚିହ୍ନଟ ଏବଂ ମରାମତି, କେନାଲ ମରାମତି, ଡ୍ରେନେଜ ସଫେଇ ପ୍ରଭୃତି ଉପରେ ଅଧିକାରୀମାନେ ସୂଚନା ଦେଇଥିଲେ । ବନ୍ୟାଜଳ ଅବାଧରେ ଯେପରି ନିଷ୍କାସନ ହୋଇପାରିବ ସେଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ନିର୍ବାହୀ ଯନ୍ତ୍ରୀ ଡ୍ରେନେଜ ଡିଭିଜନକୁ କୁହାଯାଇଛି । ବୃଷ୍ଟିପାତର ସଠିକ ମାପ ଏବଂ ଏହାର ସୂଚନା ଜିଲ୍ଲା କାର୍ଯ୍ୟାଳୟକୁ ତ୍ୱରିତ ସୂଚୀତ କରିବା ପାଇଁ ବି.ଡି.ଓ.ମାନେ ଯତ୍ନବାନ ହେବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଖରାପ ହୋଇ ପଡିଥିବା ବୃଷ୍ଟିପାତ ମାପକ ଯନ୍ତ୍ର ତୁରନ୍ତ ମରାମତି ପାଇଁ ପରାମର୍ଶ ଦିଆଯାଇଥିଲା । ବନ୍ୟା ବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ବି.ଡି.ଓ. ଓ ତହସିଲଦାରମାନେ ମିଳିତ ଭାବେ ନିଜର ଦାୟିତ୍ୱ ସମ୍ପାଦନ କରିବେ ବୋଲି କୁହାଯାଇଛି । ବର୍ତମାନ ଜିଲ୍ଲାରେ ୧୨୮ଟି ବହୁମୁଖୀ ବାତ୍ୟା ଏବଂ ବନ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟ କରୁଛି । ସେଥିମଧ୍ୟରୁ କିଛି ଆଶ୍ରୟସ୍ଥଳୀ ବର୍ତମାନ କ୍ୱାରାଂଟାଇନ ସେଂଟର ଭାବେ ବ୍ୟବହୃତ ହେଉଥିବାରୁ ଏଥିପାଇଁ ଅନ୍ୟତ୍ର ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା,ବାତ୍ୟାର ଆଗୁଆ ସତର୍କ ସୂଚନା ଲୋକଙ୍କ ନିକଟରେ ପହଂଚାଇବା ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ମଧ୍ୟ କୁହାଯାଇଛି । ଜିଲ୍ଲାର ବନ୍ୟାପ୍ରବଣ ସ୍ଥାନଗୁଡିକରେ ଆଗୁଆଭାବେ ମୋଟର ବୋଟ, ଦେଶୀ ଡଙ୍ଗା, ଉଦ୍ଧାରକାରୀ ଡଙ୍ଗା ମୁତୟନ ପାଇଁ ବ୍ୟବସ୍ଥା କରିବା ପାଇଁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁତୟନ ହେବାକୁ ଥିବା ବୋଟ୍ଗୁଡିକୁ ପଞ୍ଜୀକୃତ କରିବା ଏବଂ ଲାଇସେନ୍ସ ଥିବା ସୁନିଶ୍ଚିତ କରିବାକୁ କୁହାଯାଇଛି । ଜିଲ୍ଲାର ଚୂଡାକଳ ଓ ମିଲ୍ମାଲିକଙ୍କୁ ଚିହ୍ନଟ କରି ଯୋଗାଯୋଗ ସ୍ଥାପନ କରିବା, ଆବଶ୍ୟକସ୍ଥଳେ ତାଙ୍କଠାରୁ ଅତିରିକ୍ତ ଶୁଖିଲା ଖାଦ୍ୟସାମଗ୍ରୀ ମଗାଇବା ବ୍ୟବସ୍ଥା କରିବାକୁ ଜିଲ୍ଲା ଯୋଗାଣ ବିଭାଗକୁ କୁହାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଦ୍ୱାରା ବନ୍ୟାବାତ୍ୟା ନିମନ୍ତେ ଯୋଜନା ପ୍ରସ୍ତୁତ କରି ଆବଶ୍ୟକ ଔଷଧ, ଔଷଧ କିଟ, କର୍ମଚାରୀଙ୍କୁ ସଜାଗ ରଖିବା ସହ ସାପକାମୁଡା ଇଞ୍ଜେକସନ, ହଇଜା ଓ ମ୍ୟାଲେରିଆ ମୁକାବିଲା ପାଇଁ ଓ.ଆର.ଏସ., ହେଲୋଜିନ, ବ୍ଲିଚିଂ, ଥଣ୍ଡା, କାଶ ଭଳି ରୋଗ ପାଇଁ ଔଷଧ ଆଗୁଆ ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ର, ଅଙ୍ଗନଓାଡି କେନ୍ଦ୍ରରେ ମହଜୁଦ ରଖିବାକୁ କୁହାଯାଇଛି । ତା ଛଡା ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓଭରହେଡ୍ ପାଣିଟାଙ୍କି ମରାମତି ଲାଗି ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ଜିଲ୍ଲା ପ୍ରାଣୀଧନ ଚିକିତ୍ସା ବିଭାଗ ଗୃହପାଳିତ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ ପ୍ରତି ଚିକିତ୍ସାସେବା ଯୋଗାଇଦେବା ପାଇଁ କୁହାଯାଇଛି । କୃଷି ବିଭାଗ ତରଫରୁ ସମନ୍ୱିତ ଯୋଜନା ପ୍ରସ୍ତୁତ କରି ବନ୍ୟାବାତ୍ୟା ପ୍ରଭାବିତ କୃଷିର ଭରଣା, ବିହନ ଓ ସାର ଯୋଗାଣ ସହାୟତା ପାଇଁ ପଦକ୍ଷେପ ନେବେ । ରିଲିଫ ଯୋଗାଣ ସମୟରେ ଆବଶ୍ୟକ ଯାନବାହାନ ଯୋଗାଇ ଦେବାକୁ ଆଂଚଳିକ ପରିବହନ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟ ବେଳେ ପୋଲିସ ତରଫରୁ ରିଲିଫ ସାମଗ୍ରୀର ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରିବା ସହ ବାଲେଶ୍ୱରଠାରେ ଓଡ୍ରାଫ ଓ ଏନ.ଡି.ଆର.ଏଫ. ଟିମ ମୁତୟନ କରାଯିବା ନିମନ୍ତେ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ହେଲିପ୍ୟାଡ ଓ ଏୟାରଷ୍ଟ୍ରିପ ଚିହ୍ନଟ କରି ତାର ସଠିକ ଅବସ୍ଥିତି, ଅକ୍ଷାଂଶ ଓ ଦ୍ରାଘିମା ସୂଚୀତ କରି ରାଜ୍ୟ କାର୍ଯ୍ୟାଳୟକୁ ଜଣାଇବା ଏବଂ ବନ୍ୟାଜନିତ ରିପୋର୍ଟ ନିୟମିତଭାବେ ପ୍ରେରଣ କରିବା ପ୍ରଭୃତି ପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି । ନେସକୋ ତରଫରୁ ବିଦ୍ୟୁତ ସରବରାହକୁ ବ୍ୟବସ୍ଥିତ କରିବାକୁ ପରାମର୍ଶ ଦିଆଯାଇଛି । ଜରୁରୀ ପରିସ୍ଥିତିବେଳେ ସ୍ଥାନୀୟ ଅଂଚଳରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହଯୋଗ ନିଆଯିବା ପାଇଁ ମଧ୍ୟ କୁହାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ବି.ଡି.ଓ., ତହସିଲଦାର ଓ ଉପଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟରେ ଯେପରି ସୂଚାରୁଭାବେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ ସେଥିପାଇଁ ସମ୍ପୃକ୍ତ ଅଧିକାରୀମାନେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରମୋଦ କୁମାର ଷଡଙ୍ଗୀ, ସିଡିଏମଓ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ, ଓସଡାମା ଅଧିକାରୀ ଶ୍ରୀ ଅବନୀକାନ୍ତ ଭୂୟାଁ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।