ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ବୈଠକ
ବାଲେଶ୍ୱର (ସରୋଜ ପଣ୍ଡା) : ସଦଭାବନା ସଭାଗୃହରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମାନ୍ୟବର ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଅନନ୍ତ ଦାସ, ମାନ୍ୟବର ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ମାନ୍ୟବର ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ମାନ୍ୟବର ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ମାନ୍ୟବର ବାଲେଶ୍ୱର ଲୋକସଭା ସାଂସଦଙ୍କ ପ୍ରତିନିଧି ଉମାକାନ୍ତ ମହାପାତ୍ର, ମାନ୍ୟବର ବାଲେଶ୍ୱର ସଦର ବିଧାୟକଙ୍କ ପ୍ରତିନିଧି ଗୌରାଙ୍ଗ ଚନ୍ଦ୍ର ଦାସ ପ୍ରମୁଖ ଏଥିରେ ଯୋଗ ଦେଇଥିବା ବେଳେ ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷା ଋତୁକୁ ଆଖି ଆଗରେ ରଖି ଜିଲ୍ଲାକୁ କିପରି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରାଯାଇପାରିବ ସେ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଦୁର୍ବଳ ନଦୀବନ୍ଧ ଚିହ୍ନଟ ଏବଂ ସେଗୁଡିକର ମରାମତି, କେନାଲ ମରାମତି, ଡ୍ରେନେଜ ସଫେଇ ପ୍ରଭୃତି ଉପରେ ଅଧିକାରୀମାନେ ଗୃହରେ ତଥ୍ୟ ରଖିଥିଲେ । ବନ୍ୟାଜଳ ଅବାଧରେ ଯେପରି ନିଷ୍କାସନ ହୋଇପାରିବ ସେଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ନିର୍ବାହୀ ଯନ୍ତ୍ରୀ ଡ୍ରେନେଜ ଡିଭିଜନକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାନ୍ୟବର ମନ୍ତ୍ରୀ ଓ ବିଧାୟକମାନେ ସ୍ଥାନୀୟ ଅଂଚଳର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ସମସ୍ୟା ସମାଧାନ ଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ପ୍ରତିଶ୍ରୁତି ଦେଇଥିଲେ । ବୃଷ୍ଟିପାତର ସଠିକ ମାପ ଏବଂ ଏହାର ସୂଚନା ଜିଲ୍ଲା କାର୍ଯ୍ୟାଳୟକୁ ତ୍ୱରିତ ସୂଚୀତ କରିବା ପାଇଁ ବି.ଡି.ଓ.ମାନେ ଯତ୍ନବାନ ହେବା ଉପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଗୁରୁତ୍ୱାରୋପ କରିଥିଲେ । ଖରାପ ହୋଇ ପଡିଥିବା ବୃଷ୍ଟିପାତ ମାପକ ଯନ୍ତ୍ର ମରାମତି ପାଇଁ ପରାମର୍ଶ ଦିଆଯାଇଥିଲା । ବିପର୍ଯ୍ୟୟ ସମୟରେ ଟେଲି ଯୋଗଯୋଗ ସାଧାରଣତଃ ବାଧାପ୍ରାପ୍ତ ହେଉଥିବାରୁ ଗୃହର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଏବଂ ଅଚଳ ହୋଇ ପଡିରହିଥିବା ଜେନେରେଟର ଓ ବ୍ୟାଟେରୀ ସଜାଡିବାକୁ ବି.ଏସ.ଏନ.ଏଲ. ଡି.ଜି.ଏମଙ୍କୁ କୁହାଯାଇଥିଲା । ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ବି.ଡି.ଓ. ଓ ତହସିଲଦାରମାନେ ନିଜ ଦାୟିତ୍ୱ ସମ୍ପାଦନ କରିବେ ଏବଂ ବର୍ଷା ଋତୁ ପୂର୍ବରୁ ପାୱାର ବୋଟ୍ଗୁଡିକୁ ମରାମତି କରି ସେଗୁଡିକୁ ପ୍ରସ୍ତୁତ ରଖିବେ । ବନ୍ୟାପ୍ରବଣ ସ୍ଥାନଗୁଡିକରେ ଆଗୁଆଭାବେ ମୋଟର ବୋଟ, ଦେଶୀ ଡଙ୍ଗା, ଉଦ୍ଧାରକାରୀ ଡଙ୍ଗା ମୁତୟନ ପାଇଁ ବ୍ୟବସ୍ଥା କରିବା ପାଇଁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁତୟନ ହେବାକୁ ଥିବା ବୋଟ୍ଗୁଡିକୁ ପଞ୍ଜୀକୃତ କରିବା ଏବଂ ଲାଇସେନ୍ସ ଥିବା ସୁନିଶ୍ଚିତ କରିବାକୁ କୁହାଯାଇଛି । ସେହିପରି ବନ୍ୟାପ୍ରବଣ ଅଂଚଳ ଯେଉଁଠାରେ ପାୱାର ବୋଟ ମୁତୟନ ହେଉ ନାହିଁ ସେଠାରେ ଘରୋଇ ବୋଟକୁ ପ୍ରସ୍ତୁତ ରଖାଯିବ । ବିପର୍ଯ୍ୟୟର ମୁକାବିଲା ପାଇଁ ଯଥେଷ୍ଟ ପରିମାଣରେ ଖାଦ୍ୟ ମହଜୁଦ ରଖିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ଚୂଡାକଳ ଓ ମିଲ୍ମାଲିକଙ୍କୁ ଚିହ୍ନଟ କରି ଯୋଗାଯୋଗ ସ୍ଥାପନ କରିବା, ଆବଶ୍ୟକସ୍ଥଳେ ତାଙ୍କଠାରୁ ଅତିରିକ୍ତ ଶୁଖିଲା ଖାଦ୍ୟସାମଗ୍ରୀ ଆଗୁଆ ସଂଗ୍ରହ କରିବାକୁ ଯୋଗାଣ ବିଭାଗକୁ କୁହାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଦ୍ୱାରା ବନ୍ୟାବାତ୍ୟା ନିମନ୍ତେ ଆଗୁଆ ଯୋଜନା ପ୍ରସ୍ତୁତ କରି ଆବଶ୍ୟକ ଔଷଧ, କିଟ, ସାପକାମୁଡା ଇଞ୍ଜେକସନ, ହଇଜା ଓ ମ୍ୟାଲେରିଆ ମୁକାବିଲା ପାଇଁ ଓ.ଆର.ଏସ., ହେଲୋଜିନ, ବ୍ଲିଚିଂ, ଥଣ୍ଡା, କାଶ ଭଳି ରୋଗ ପାଇଁ ଔଷଧ ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ର, ଅଙ୍ଗନଓାଡି କେନ୍ଦ୍ରରେ ଗଚ୍ଛିତ ରଖିବାକୁ କୁହାଯାଇଛି । ଏଥି ସହିତ ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସମସ୍ତ ଅଚଳ ନଳକୂପ ମରାମତି ଏବଂ ଜଳକ୍ଳିଷ୍ଟ ଅଂଚଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରାଣୀଧନ ଚିକିତ୍ସା ବିଭାଗ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ । କୃଷି ବିଭାଗ ତରଫରୁ ସମନ୍ୱିତ ଯୋଜନା ପ୍ରସ୍ତୁତ କରି ବନ୍ୟାବାତ୍ୟା ପ୍ରଭାବିତ କୃଷିର ଭରଣା, ବିହନ ଓ ସାର ଯୋଗାଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ ଯୋଗାଣ ସମୟରେ ଆବଶ୍ୟକ ଯାନବାହାନ ଯୋଗାଇ ଦେବାକୁ ଆଂଚଳିକ ପରିବହନ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ବର୍ତମାନ ଜିଲ୍ଲାରେ ୧୪୦ଟି ବହୁମୁଖୀ ବାତ୍ୟା ଏବଂ ବନ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟ କରୁଛି । ବର୍ଷା ଋତୁ ପୂର୍ବରୁ ସେଗୁଡିକର ଆବଶ୍ୟକୀୟ ମରାମତି ସାରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କୁହାଯାଇଛି । କିଛି ଆଶ୍ରୟସ୍ଥଳୀ ଏବେ କ୍ୱାରାଂଟାଇନ ସେଂଟର ଭାବେ ବ୍ୟବହୃତ ହେଉଥିବାରୁ ଏଥିପାଇଁ ଅନ୍ୟତ୍ର ବିକଳ୍ପ ଆଶ୍ରୟସ୍ଥଳୀ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା, ବାତ୍ୟାର ଆଗୁଆ ସତର୍କ ସୂଚନା ଲୋକଙ୍କ ନିକଟରେ ପହଂଚାଇବା ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ମଧ୍ୟ କୁହାଯାଇଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟ ବେଳେ ପୋଲିସ ତରଫରୁ ରିଲିଫ ସାମଗ୍ରୀର ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରିବା ସହ ବାଲେଶ୍ୱରଠାରେ ଓଡ୍ରାଫ ଓ ଏନ.ଡି.ଆର.ଏଫ. ଟିମ ମୁତୟନ କରାଯିବା ନିମନ୍ତେ ପଦକ୍ଷେପ ନିଆଯାଇଛି । ନେସକୋ ତରଫରୁ ବିଦ୍ୟୁତ ସରବରାହକୁ ସୁବ୍ୟବସ୍ଥିତ କରିବାକୁ ପରାମର୍ଶ ଦିଆଯାଇଛି । ଜରୁରୀ ପରିସ୍ଥିତିବେଳେ ସ୍ଥାନୀୟ ଅଂଚଳରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହଯୋଗ ନିଆଯିବା ପାଇଁ ମଧ୍ୟ କୁହାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ବି.ଡି.ଓ., ତହସିଲଦାର ଓ ଉପଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟରେ ଯେପରି ସୂଚାରୁଭାବେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ ସେଥିପାଇଁ ସମ୍ପୃକ୍ତ ଅଧିକାରୀମାନେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ, ସିଡିଏମଓ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ, ଓସଡାମା ଅଧିକାରୀ ଅବନୀକାନ୍ତ ଭୂୟାଁ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଓସଡାମାର ଗୋଷ୍ଠୀ ପ୍ରବର୍ତକମାନେ ଉପସ୍ଥିତ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।