ଜିଲ୍ଲାସ୍ତରୀୟ ବନ୍ୟା ଉଦ୍ଧାର ଅଭ୍ୟାସ ଶିବିର ଅନୁଷ୍ଠିତ
ବାଲେଶ୍ୱର,(ୱାଇଏନ୍ଏସ୍): ଆଜି ନୀଳଗିରି ବ୍ଲକ ଅଯୋଧ୍ୟା ଗ୍ରାମ ପଞ୍ଚାୟତର ଖସାପଡିଆ ଗ୍ରାମ ସୋନ ନଦୀ ତଟରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ବନ୍ୟା ଉଦ୍ଧାର ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଏନ.ଡି.ଆର.ଏଫ., ଅଗ୍ନିଶମ, ଓଡ୍ରାଫ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଳିତ ଭାବେ ଅଂଶଗ୍ରହଣ କରିଥିଲେ । ନୀଳିଗିରି ବିଡିଓ ଶ୍ରୀମତୀ ଅନୀତା ନାୟକ ଏହି ଶିବିରକୁ ଉଦଘାଟନ କରିଥିଲେ । ବନ୍ୟା ଭଳି ବିପର୍ଯ୍ୟୟ ସମୟରେ କିପିର ସୁଚାରୁ ରୂପେ ଉଦ୍ଧାର କାର୍ଯ୍ୟକୁ ତ୍ୱରନ୍ୱିତ କରାଯିବ, ସେ ସମ୍ପର୍କିତ ବିଭିନ୍ନ କୌଶଳ ଏଥିରେ ପ୍ରଦର୍ଶିତ ହୋଇଥିଲା । ବନ୍ୟା ସମୟରେ ବିପଦର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କୁ କିଭଳି ବିଭିନ୍ନ ଅତ୍ୟାଧୁନିକ ଉପକରଣ ମାଧ୍ୟମରେ ଉଦ୍ଧାର କରାଯାଇପାରିବ ଏବଂ ଏହା ବିନା ମଧ୍ୟ କିଭଳି ନିଜସ୍ୱ ଘରୋଇ ଉପକରଣକୁ ବ୍ୟବହାର କରି ଉଦ୍ଧାର କାର୍ଯ୍ୟ କରିହେବ ସେ ବାବଦରେ ଯବାନମାନେ କୌଶଳ ପ୍ରଦର୍ଶନ କରିଥିଲେ । ପୂର୍ବ ପ୍ରସ୍ତୁତି ସହ ସଚେତନତା ସୃଷ୍ଟି କରାଯିବା ଲକ୍ଷ୍ୟ ନେଇ ଏଭଳି ମକଡ୍ରିଲ ଆୟୋଜିତ ହୋଇଥିଲା । ବନ୍ୟା ସମୟରେ ଗର୍ଭବତୀ ମହିଳା, ଦିବ୍ୟାଙ୍ଗ ବ୍ୟକ୍ତି, ବୃଦ୍ଧ-ବୃଦ୍ଧା ଏବଂ ଶିଶୁମାନଙ୍କୁ ପ୍ରାଥମିକତା ଦେଇ ଉଦ୍ଧାର କାର୍ଯ୍ୟ ସମ୍ପନ୍ନ କରିବା ନିମନ୍ତେ ଗୁରୁତ୍ୱ ଦେବାକୁ ଅଂଶ ଗ୍ରହଣକାରୀ ମାନଙ୍କୁ ଏଥିରେ ତାଲିମ ପ୍ରଦାନ କରାଯାଇଥିଲା । ଆଜିର ଅଭ୍ୟାସ ଶିବିରରେ ଏନ.ଡି.ଆର.ଏଫ. ଡେପୁଟୀ କମାଣ୍ଡଂଟ ଶ୍ରୀ ବର୍ଦ୍ଧମାନ ମିଶ୍ରା, ନୀଳଗିରି ତହସିଲଦାର ଶ୍ରୀ ଆଶିଷ କୁମାର ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ତାପସ କୁମାର ସେଠୀ, ଓସଡାମା ପ୍ରକଳ୍ପ ଅଧିକାରୀ ଶ୍ରୀ ଅବନୀକାନ୍ତ ଭୂୟାଁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ୟୁ.ଏନ.ଡି.ପି. ଶ୍ରୀ ଗୋପାଳ ବାରିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ବି.ଏସ.ଏସ.ଏସ୍., ବାଲେଶ୍ୱରର ନିର୍ଦ୍ଦେଶକ ଫାଦର ଲିଜୋ ଏବଂ ଆର.ଡି.ସି. ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଶ୍ରୀ ରତିକାନ୍ତ ନାୟକ ତଥା ଅନ୍ୟ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରି ସ୍ଥାନୀୟ ବାସିନ୍ଦାଙ୍କୁ ବିଭିନ୍ନ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସଚେତନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୋଭିଡ୍-୧୯ ମାର୍ଗଦର୍ଶିକା ଅନୁଯାୟୀ ସମ୍ପନ୍ନ ହୋଇଥିଲା । ଏନଡିଆରଏ‘ ଇନସପେକ୍ଟର ଶ୍ରୀ ମନୋରଞ୍ଜନ ମହାନ୍ତି, ଅଗ୍ନିଶମ ଅଧିକାରୀ ଶ୍ରୀ ପୂରନ ସୋରେନ, ଓଡ୍ରାଫ ହାବିଲଦାର ଶ୍ରୀ ମନୋରଞ୍ଜନ ବେହେରା ଏହି ଶିବିରକୁ ପରିଚାଳନା କରିଥିବା ବେଳେ ଓସଡାମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଅବନୀକାନ୍ତ ଭୂୟାଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


