ଜିଲ୍ଲାସ୍ତରୀୟ ବିକାଶ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲାସ୍ତରୀୟ ବିକାଶ ମେଳାର ଆୟୋଜନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ଘ. ୫ ଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଆସନ୍ତା ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ହେବାକୁ ଥିବା ବିକାଶ ମେଳା ଜିଲ୍ଲାର ସମସ୍ତ ବିଭାଗର ସମନ୍ୱୟରେ ସଠିକ ଭାବରେ ପରିଚାଳନା କରିବା ଦିଗରେ ଜିଲ୍ଲାପାଳ ଆଲୋଚନା କରିଥିଲେ I ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ, ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେସିର୍କେଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ I ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଉନ୍ନୟନମୂଳକ ଫଳପ୍ରସୂ ଯୋଜନା ଗୁଡିକୁ ଜନସାଧାରଙ୍କୁ ଅବଗତ ଓ ସଚେତନ କରିବା ପାଇଁ ଏହି ବିକାଶ ମେଳା ଆୟୋଜିତ କରାଯାଉଛି I ଓଡିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପୂର୍ତ୍ତ, ମିଶନ ଶକ୍ତି, ସୂଚନା ଓ ଲୋକସମ୍ପର୍କ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କୃଷି, ଉଦ୍ୟାନ କୃଷି, ପର୍ଯ୍ୟଟନ, ଶିକ୍ଷା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ସମସ୍ତ ବିଭାଗର ସମନ୍ବିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍ଥିର ହୋଇଛି I ୩ ଦିନ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଲୋକକଳା ଏବଂ ଅନ୍ୟାନ୍ୟ ସାଂସ୍କୃତିକ ଦଳ ମାଧ୍ୟମରେ ସାଂସ୍କୃତିକ ସ୍ପର୍ଦ୍ଧା ମଧ୍ୟ ଆୟୋଜନ କରାଯିବ I ୨୫ ଷ୍ଟଲ ବିଶିଷ୍ଟ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀର ଆୟୋଜନ କରାଯିବ I ୩ ରୁ ୫ ହଜାର ଜନସାଧାରଣଙ୍କ ସମାଗନ ହେବ I ପ୍ରାପ୍ତ ସୂଚନା ଅନୁଯାୟୀ ୨୨ ତାରିଖରେ ହେବାକୁ ଥିବା ଉଦ୍ଘାଟନ ସମାରୋହରେ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମାନ୍ୟବର ମନ୍ତ୍ରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ ବିଭାଗ, ଓଡିଶା ସରକାର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ I


