ଜିଲ୍ଲାସ୍ତରୀୟ ବିକାଶ ମେଳା ଆୟୋଜନ ଓ ସୁପରିଚାଳନା ନିମନ୍ତେ ଚୂଡାନ୍ତ ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ସଦର ମହକୁମାଠାରେ ଆଗାମୀ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ୧୦୦ ଦିନ ପୂର୍ତ୍ତି ଅବସରରେ ବିକାଶ ମେଳାର ଆୟୋଜନ ହେବାକୁ ଯାଉଅଛି Iଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଏହି ମହା ସମାରୋହର ଉଦ୍ଘାଟନୀ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ।ଏହି ବିକାଶ ମେଳାର ଆୟୋଜନ ଓ ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ମାନ୍ୟବର ସାଂସଦ, ବାଲେଶ୍ୱର ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶାସକ ଦଳର ମାନ୍ୟବର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ଓ ମାନ୍ୟବର ବିଧାୟକ ସଦର ଶ୍ରୀ ମାନସ ଦତ୍ତଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି Iଏହି ବୈଠକରେ ବିକାଶ ମେଳାକୁ ସଫଳ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁଚିନ୍ତିତ ଯୋଜନା ଏବଂ ନିରବଚ୍ଛିନ୍ନ ସମନ୍ୱୟ ଉପରେ ଜିଲ୍ଲାପାଳ ଶ୍ରୀ ବିକାଶ ଗୁରୁତ୍ୱାରୋପ କରିଥିଲେ। ଭିତ୍ତିଭୂମି, ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ପରିଚାଳନା ଏବଂ ଜନସାଧାରଣଙ୍କ ସୁବିଧା ଉପରେ ଆଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆୟୋଜନ ହେବାକୁ ଥିବା ବିକାଶ ମେଳା ୨୨ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି । ଏହି ତିନି ଦିନରେ ସମସ୍ତ ବିଭାଗୀୟ ଉନ୍ନତିମୂଳକ କାର୍ଯ୍ୟର ପ୍ରଦର୍ଶନୀ ହେବା ସହିତ ବିଭିନ୍ନ ସାଂସ୍କୃତିକ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଵ। ସମସ୍ତ ବିଭାଗର ସାମୁହିକ ଉଦ୍ୟମ ଫଳରେ ବିକାଶ ମେଳା ସଫଳ ହେବା ସହ ବାଲେଶ୍ୱର ଜନସାଧାରଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇପାରିବ ବୋଲି ମାନ୍ୟବର ସାଂସଦ ଶ୍ରୀ ଷଡ଼ଙ୍ଗୀ ଦୃଢୋକ୍ତି ପ୍ରକାଶ କରିଥିଲେ।ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ଓ ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେସିର୍କେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ