ଜିଲ୍ଲାସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଦୀର୍ଘ ୧୫ ବର୍ଷ ଧରି ପାଳିତ ହୋଇ ଆସୁଥିବା ‘ବିଶ୍ୱ ଦିବ୍ୟାଙ୍ଗ ଦିବସ’ ଚଳିତ ବର୍ଷ ଛତ୍ରପୁର ଷ୍ଟାଡିୟମ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପାଳିତ ହେଉଥିବା ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଲୀନା କୁମାରୀ ଖେସ୍ ଶୁଭ ଉଦ୍‌ଘାଟନ କରିଥିବା ବେଳେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ଶିକ୍ଷାଧିକାରୀ ତଥା ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନୀତା ସେନାପତି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ଓ ରାଜେଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଷ୍ଟାଡିୟମ ପରିସରରେ ପ୍ରଦର୍ଶିତ ହୋଇଥିବା ଭୌତିକ ଉପଚାର, ବ୍ରେଲ୍ ଲିଖନ ଓ ପଠନ,ଶିକ୍ଷଣ ସାମଗ୍ରୀ, ବାକ୍ ଓ ଭାଷା ପ୍ରଶିକ୍ଷଣ କେନ୍ଦ୍ର, ସହାୟକ ଉପକରଣ ବଣ୍ଟନ ଷ୍ଟଲ୍ ଆଦି ଉପସ୍ଥିତ ଅତିଥିଗଣ ପରିଦର୍ଶନ କରିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଖେସ୍ ଓ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ବିଭିନ୍ନ ବ୍ଲକରୁ ଯୋଗଦାନ କରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ଦ୍ୱାରା ନଗର ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ଶେଷ ପରେ ଉପସ୍ଥିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତା/ଅଭିଭାବକମାନଙ୍କୁ ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷିତ ଦାଶ ଓ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତି ସେନାପତି ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କ ଠାରେ ରହିଥିବା ଲୁକ୍କାୟିତ ପ୍ରତିଭା ପରିଫୁଟନ ଉଦ୍ଦେଶ୍ୟରେ ସେମାନଙ୍କ ମଧ୍ୟରେ କ୍ରୀଡା, ସଙ୍ଗୀତ, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରଙ୍ଗାରଙ୍ଗ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛତ୍ରପୁର ଷ୍ଟାଡିୟମ ଉତ୍ସବ ମୁଖରେ ହୋଇ ଉଠିଥିଲା ।
ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଓ ସମାରୋହ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷାର ଅଧ୍ୟକ୍ଷ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇବା ସହ ନିଜକୁ କୌଣସି କ୍ଷେତ୍ରରେ କମ୍ ନୁହଁ ବୋଲି ଭାବନା ଜାଗ୍ରତ ନକରିବାକୁ ପରାମର୍ଶ ଦେଇଛନ୍ତି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଅନ୍ୟ ସାଧାରଣ ଶିଶୁମାନଙ୍କ ଠାରୁ ଭିନ୍ନ ହୋଇ ମଧ୍ୟ ନିଜର ଅଧ୍ୟବସାୟ, ପ୍ରୟାସ, ପରିଶ୍ରମ, ଦୃଢ଼ ଆତ୍ମବିଶ୍ୱାସ ବଳରେ ଅଶେ ଉନ୍ନତି ସାଧନ କରୁଥିବାର ଜ୍ୱଳନ୍ତ ପ୍ରମାଣ ରହିଛି ଓ ସାମଜର ସହଯୋଗ, ପ୍ରେରଣା, ଉତ୍ସାହ ସେମାନଙ୍କ ପାଇଁ ଆଶୀର୍ବାଦ ସ୍ୱରୂପ । ଏଣୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ନିଜର ମନୋବଳକୁ ଦୃଢ କରି କାର୍ଯ୍ୟ କରନ୍ତୁ ସରକାର ଓ ଜିଲ୍ଲା ପ୍ରଶାସନ ସବୁବେଳେ ଆପଣମାନଙ୍କ ସହଯୋଗ କରି ଆସୁଛି ଏବଂ ଆସିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ତାଙ୍କରି ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାଷନ୍ ଆଜିର ଦିବସ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ତାଙ୍କରି ପାଇଁ ସରକାର ସବୁ ଦିଗରେ ପଦକ୍ଷେପ ନେଉଛନ୍ତି । ନିଜକୁ କେବେ ବି ଅକ୍ଷମ ବୋଲି ନ ଭାବି ଦୃଢ ସଙ୍କଳ୍ପରେ କାର୍ଯ୍ୟ କରି ଚାଲନ୍ତୁ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ପ୍ରମୋଦ ଭଗତକୁ ମନ ପକାଇ ସେ ଯେପରି ପାରା ଆଲମ୍ପିକ୍‌ରେ ସ୍ୱର୍ଣ୍ଣ ହାସଲ କରି ନିଜକୁ ସମଗ୍ର ବିଶ୍ୱରେ ପରିଚୟ ସୃଷ୍ଟି କରି ପାରିଛନ୍ତି ସେଭଳି ନିଜକୁ ପ୍ରସ୍ତୁତ କରିବାକୁ ଶ୍ରୀ ଭାଷନ୍ ପରାମର୍ଶ ଦେଇଛନ୍ତି । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତି ସେନାପତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଆୟୋଜନ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ହାସଲ କରିଥିବା ଅଭିଜ୍ଞତା ତଥା ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କର ଉଜ୍ୱଳ ଭବିଷ୍ୟତ ଜୀବନ ଉପରେ ଆଲୋକପାତ କରିଥିଲେ । ସମଗ୍ର ଶିକ୍ଷାର ବରିଷ୍ଠ ବୈଷୟିକ ପରାମର୍ଶଦାତା ତଥା ଜିଲ୍ଲା ପରିଷଦର ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ କୁମାର ବେହେରା, ଅର୍ଥପରାମର୍ଶଦାତା ମଧୁସୂଦନ ପରିଡା ପ୍ରମୁଖ ମଞ୍ଚାସୀନ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁ ପରିଚାଳନା କରିବା ସହ ଅନ୍ତର୍ନିବେଶୀ ଶିକ୍ଷା ବିଭାଗ ପକ୍ଷରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ଯୋଗାଇ ଦିଆଯାଉଥିବା ସହାୟତାର ବିବରଣୀ ରଖିଥିଲେ । ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତୀତ୍ୱ ହାସଲ କରିଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହାସହିତ ବିଭିନ୍ନ ବ୍ଲକରୁ ଯୋଗଦେଇଥିବା ଚଳନ ବାଧିତ, ମସ୍ତିଷ୍କ ପକ୍ଷାଘାତ, ବୌଦ୍ଧିକ ବାଧକ, ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ତିନିଚକିଆ ସାଇକେଲ, ହ୍ୱିଲ୍ ଚେୟାର, ଆଶାବାଡି, ରୋଲେଟର, ବୌଦ୍ଧିକ ବାଧକ ଶିକ୍ଷଣ ସାମଗ୍ରୀ, ବ୍ରେଲ୍ ଶିକ୍ଷଣ ସାମଗ୍ରୀ ଆଦି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ସମ୍ବଳ ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ବ୍ଲକରୁ ଆସିଥିବା ସିଆରସିସି, ସହକାରୀ ଶିକ୍ଷକ ତଥା ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ପୂର୍ଣ୍ଣ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ