ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ : ପୌରାଞ୍ଚଳ ପ୍ରାଣୀ ଚିକିତ୍ସା ଆମ୍ଭୁଲାନ୍ସ ସେବା ଆରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ ସହ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲାରେ ଦୁଗ୍ଧ, ଅଣ୍ଡା ଓ ମାଂସ ଉତ୍ପାଦନ ବୃଦ୍ଧି ପାଇଁ ସମସ୍ତଙ୍କ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଅବସରପ୍ରାପ୍ତ ସିଡିଭିଓ ଡା. ଦୟାନିଧି ପାତ୍ର, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବନମାଳୀ ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ରହି ଏହି ଦିବସ ପାଳନର ଯଥାର୍ଥତା ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳର ଅଗ୍ରଣୀ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଶ୍ରେଷ୍ଠ ପ୍ରାଣୀ ଚିକିତ୍ସକ/ଚିକିତ୍ସିକା ଏବଂ ପ୍ରାଣୀଧନ ନିରୀକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ‘ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୨’ ସମ୍ପର୍କିତ ଏକ ସ୍ମରଣିକାକୁ ଜିଲାପାଳ ତଥା ଅନ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ବାଲେଶ୍ୱର ପୌରାଞ୍ଚଳରେ ବୁଲା ଗୋରୁଗାଈ, କୁକୁର ସମେତ ଅନ୍ୟାନ୍ୟ ପ୍ରାଣୀ ଓ ବିକଳାଙ୍ଗ ପଶୁମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସ ସେବାକୁ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସେବା ଯୋଗାଇ ଦେବା ପାଇଁ ଏକ ଟୋଲ୍ ଫ୍ରି ନମ୍ବର ୧୮୦୦-୩୪୫-୭୧୪୭ ର ବ୍ୟବସ୍ଥା କରାଯାଇଛି । ସକାଳ ୬ଟାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ଏହି ସେବା ଯୋଗାଇ ଦିଆଯିବାକୁ ଥିବା ବେଳେ ଏହା କେବଳ ବୁଲା ଓ ଅସହାୟ ପ୍ରାଣୀ ପାଇଁ ଉଦ୍ଦିଷ୍ଟ । କୌଣସି ଘରୋଇ ପ୍ରାଣୀଙ୍କ ଚିକିତ୍ସା ପାଇଁ ଏହି ସେବା ଉପଲବ୍ଧ ହେବ ନାହିଁ । ଆଜିର କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ରଂଜନ କୁମାର ଦାସ ଉପସ୍ଥାପନା କରିଥିବା ବେଳେ ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ(ଜୀବ ମଙ୍ଗଳ) ଡା. ଅଜିତ୍ କୁମାର ସାମଲ ଏହାର ସଂଚାଳନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶିବପ୍ରସାଦ ଦାଶ, ବାଲେଶ୍ୱର ପ୍ରାଣୀ ଚିକିତ୍ସାଳୟ ଉପନିର୍ଦ୍ଦେଶକ ଡା. ସଦାଶିବ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ ।