ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ- ୨୦୨୩ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ସଂସ୍କୃତିଭବନ କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଦୀପ୍ତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ଦାସ ଓ ପ୍ରସନ୍ନ ପଟ୍ଟନାୟକ, ଏଲଡିଏମ୍ ମଳୟ ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନସ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଉଦ୍ୟାନକୃଷି ସହକାରୀ ନିର୍ଦ୍ଦେଶକ ଦେବଦାସ ଦତ୍ତ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଅଶୋକ କୁମାର ସାମଲ, ସହକାରୀ ଜିଲ୍ଲା ମତ୍ସ୍ୟ ଅଧିକାରୀ କୋକିଳ ମଞ୍ଜରୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲା ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରି ୫ମ ସ୍ଥାନରେ ରହିଛି ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରକାଶ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାର ଚାଷୀ ଭାଇମାନଙ୍କ ସହଭାଗୀତା ଓ ପଶୁ ଚିକିତ୍ସକମାନଙ୍କ ଆନ୍ତରିକ ନିଷ୍ଠା ଓ ପ୍ରଚେଷ୍ଟା ବଳରେ ରାଜ୍ୟ ସରକାର ଧାର୍ଯ୍ୟ କରୁଥିବା ଲକ୍ଷ୍ୟ ପୂରଣ କରି ଆଜି ଭଳି ପବିତ୍ର ଦିବସରେ ଅନ୍ୟ ଜିଲ୍ଲା ଭଳି ଆମେ ରାଜ୍ୟ ସ୍ତରରେ ପୁରସ୍କାର ପାଇପାରିବା ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆମ ନିକଟରେ ଉପଲବ୍ଧ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରି ପ୍ରାଣୀ ସଂସଦର ଉତ୍ତୋରତ୍ତର ଉନ୍ନତି କରିବା ସହ ପ୍ରାଣୀ ସମ୍ପଦ ସହ ଜଡିତ ଗ୍ରାମାଞ୍ଚଳ ଚାଷୀମାନଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ପ୍ରାଣୀଚିକିତ୍ସକ, ଚିକିତ୍ସା ସହାୟକ ଓ ଟେକନିସିଆନମାନଙ୍କ ଭୂମିକା ପ୍ରାଣୀ ଚିକିତ୍ସାରେ ଅନନ୍ୟ ଏବଂ ସେମାନଙ୍କର ଆନ୍ତରିକପ୍ରଚେଷ୍ଟାକୁ ମଞ୍ଚାସୀନ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ । ଏହି ଉପଲକ୍ଷେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ପାଇଁ ଗୋମିତ୍ର, ଏସ୍ଏଚ୍ଜି ଗ୍ରୁପ, ଚାଷୀ ଓ ପଶୁ ଚିକିତ୍ସା ସହ ଜଡିତ ସମସ୍ତ ଚିକିତ୍ସକ ଓ ଚିକିତ୍ସା ସହାୟକମାନେ ତିନିମୁହାଣୀଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଏକ ସଚେତନତା ରାଲିରେ ଯାଇଥିଲେ । ରାଜ୍ୟସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଟ ଓ ବିଭାଗୀୟ ନିର୍ଦ୍ଦେଶକ ଯୋଗ ଦେଇଥିଲେ ଓ ଏହା ଭର୍ଚୁଆଲ ମୋଡରେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ପ୍ରଦର୍ଶିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ବାର୍ତ୍ତା ପ୍ରଦର୍ଶନ ହୋଇଥିଲା । ଆଜିର ଦିବସର ପ୍ରସଙ୍ଗ ଥିଲା “ପ୍ରାଣୀପାଳଙ୍କ ଭିତରେ ରୂପାନ୍ତରିତ, ନିରପେକ୍ଷ ଓ ବିସ୍ତୃତ ପ୍ରାଣୀ ବିଜ୍ଞାନ ସେବା ” । ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରଣୀସମ୍ପଦର ସୁରକ୍ଷା ଓ ବୃଦ୍ଧି ଯୋଜନାରେ ଉତ୍ସାହିତ ହୋଇ ନିଜର ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିଥିବା ଓ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିବା ମହାକାଳପଡାର ରାମଚନ୍ଦ୍ରଙ୍କୁ କୁକୁଡା ଚାଷୀ ଜୟଶ୍ରୀ ବସ୍ତିଆ ଶ୍ରେଷ୍ଠ ଚାଷୀ ଭାବେ, କେନ୍ଦ୍ରାପଡା ବ୍ଲକର କଳପଡା ମା ମଙ୍ଗଳା ଏସଏଚଜି ଶ୍ରେଷ୍ଠ ଏସଏଚଜି ଭାବେ ପୁରସ୍କାର ପାଇଥିଲେ । ଏହାବ୍ୟତିତ ଶ୍ରେଷ୍ଠ ବି.ଭି.ଓ. ଭାବେ ରାଜନଗରର ଡାକ୍ଟର କିଶୋର ଚନ୍ଦ୍ର ସାହୁ ଓ ରାଜକନିକାର ଡାକ୍ତର ପ୍ରଭାତ କୁମାର ପାତ୍ର ମିଳିତ ଭାବେ, ଶ୍ରେଷ୍ଠ ପ୍ରାଣୀ ଚିକିତ୍ସକ ଭାବେ ରାଜନଗରରଡାକ୍ତର ପ୍ରକାଶ ଚନ୍ଦ୍ର ଜେନା,ଶ୍ରେଷ୍ଠ ଏଲଆଇ ଭାବେ ମହାକାଳପଡାର ମାଧବ କୁମାର ଗୋଏଲ, ଶ୍ରେଷ୍ଠ ଗୋମିତ୍ର ଭାବେ କେନ୍ଦ୍ରାପଡା ପୁରୁଷୋତ୍ତମପୁରର ପ୍ରମୋଦ କୁମାର ସାହୁଙ୍କୁ ଉପଢୌକନ, ପ୍ରମାଣ ପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । କେନ୍ଦ୍ରପଡା ଜିଲ୍ଲାରେ କାର୍ଯ୍ୟ କରୁଥିବାଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓଡିଶାର ପ୍ରଥମ ମହିଳା ପ୍ରାଣୀ ଚିକିତ୍ସକ ଓ ପ୍ରଥମ ମହିଳା ସିଡିଭିଓ ଭାବେ ପୁରସ୍କୃତ ହୋଇଥିଲେ । ଶ୍ରେଷ୍ଠ ଇଭେଣ୍ଟ ମ୍ୟାନେଜର ଭାବେ ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଏସଡିଭିଓ ଡାକ୍ଟର ମନୋଜ କୁମାର ପଟ୍ଟନାୟକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପୁରସ୍କୃତ କରିଥିଲେ । ଡାକ୍ତର ବସନ୍ତ କୁମାର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଏସଡିଭିଓ ଡାକ୍ତର ମନୋଜ କୁମାର ପଟ୍ଟନାୟକ ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ । ତାଙ୍କୁ ସ୍ମୃତି ରଞ୍ଜନ ରାଉତ ସହାୟତା କରିଥିଲେ । ଶେଷରେ ନାରାୟଣ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।