ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ମିଳିବ ସମ୍ମାନ, ବଢିବ ଉତ୍ସାହ, ଆଣିବ ଆଗ୍ରହ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର I ଏହି ଆହ୍ୱାନରେ ବାଲେଶ୍ୱରସ୍ଥିତ ପଦ୍ମାବତୀ ପାର୍କଠାରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକାଗ୍ରତା, କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସକୁ ପାଥେୟ କରିପାରିଲେ ଜଣେ ନିଶ୍ଚୟ ବଡ଼ ମଣିଷ ହୋଇପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ I ମାନ୍ୟବର ବିଧାୟକ ବାଲେଶ୍ୱର ସଦର ଶ୍ରୀଯୁକ୍ତ ସ୍ୱରୂପ ଦାସ, ମାନ୍ୟବର ବିଧାୟକ ସିମୁଳିଆ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଓ ପୂର୍ବତନ କୁଳପତି, ଏଫ.ଏମ ବିଶ୍ୱବିଦ୍ୟାଳୟ ପ୍ରଫେସର ମଧୁମିତା ଦାସ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ଶିକ୍ଷା କମିଟି ତଥା ସରପଞ୍ଚ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜରୀ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ I ଏହି ଅବସରରେ ୧୮୨ ଜଣଙ୍କୁ ଜିଲ୍ଲାସ୍ତରୀୟ ଛାତ୍ର ପୁରସ୍କାର, ୧୨୭୪ ଜଣଙ୍କୁ ବ୍ଲକସ୍ତରୀୟ ଛାତ୍ର ପୁରସ୍କାର, ୯୪୫ ଜଣଙ୍କୁ ଲିଡରସିପ ପୁରସ୍କାର, ୩୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର, ୨୯ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର, ୫ ଗ୍ରାମ ପଞ୍ଚାୟତ ପୁରସ୍କାର, ୧୦ ପୁରାତନ ଛାତ୍ରଛାତ୍ରୀ ପୁରସ୍କାର, ୧୨ ଏସ.ଏମ.ସି କମିଟି, ୮ ଉଚ୍ଚ ମାଧ୍ୟମିକ ସ୍ତରୀୟ ପ୍ରଧାନ ଶିକ୍ଷକ ପୁରସ୍କାର ତଥା ୧୨ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ଶିକ୍ଷକ ପୁରସ୍କାର ସମେତ ମୋଟ ୨୫୧୯ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା I ମଞ୍ଚାସୀନ ଅତିଥି ମାନେ ପୁରସ୍କାର ବିତରଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କର ସଫଳତା କାମନା କରିଥିଲେ I ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରାଚୀ ତନୟା ଗିରି, ଶ୍ରୀଯୁକ୍ତ ପବିତ୍ର ମୋହନ ବାରିକ ଓ ଶ୍ରୀଯୁକ୍ତ ଧରଣୀଧର ପାତ୍ର ସମେତ ସମସ୍ତ ବିଇଓ, ଏବିଇଓ, ସିଆରସିସି, ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସଙ୍ଗୀତ ପରିବେଷଣ କରିଥିବା ବେଳେ ସେମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା I ସୂଚନା ଯୋଗ୍ୟ କି, ରାଜ୍ୟର ୩୦ଟି ଜିଲ୍ଲା ଭିତରୁ ଶିକ୍ଷାକ୍ଷେତ୍ରରେ ଅନବଦ୍ୟ ଅବଦାନ ପାଇଁ ବାଲେଶ୍ୱର ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ବିଭାଗରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ