ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି- ୨୦୨୩” ମହାସମାରୋହ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି- ୨୦୨୩” ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଶିକ୍ଷା, ବାଲେଶ୍ୱର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୨ଟି ବ୍ଲକରୁ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ବାଲେଶ୍ୱର ଜିଲ୍ଲା ସ୍କୁଲରେ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା ଏବଂ ଗାନ୍ଧୀ ସ୍ମୃତି ଭବନଠାରେ ପୁରସ୍କାର ବିତରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିତର୍କ, ପ୍ରବନ୍ଧ ଲିଖନ, କୁଇଜ଼, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟାହ୍ନ ଭୋଜନ ଇତ୍ୟାଦିରେ ଜୁନିଅର (ଚତୁର୍ଥ ରୁ ସପ୍ତମ), ସିନିଅର (ଅଷ୍ଟମ ରୁ ଦଶମ), ସିନିଅର ଉଚ୍ଚ ମାଧ୍ୟମିକ (ଏକାଦଶ ଓ ଦ୍ୱାଦଶ) ଏବଂ ସି.ଡବ୍ଲୁ.ଏସ.ଏନ (ଅଷ୍ଟମ ରୁ ଦ୍ୱାଦଶ) ବର୍ଗରେ ୩୦ ରୁ ଉର୍ଦ୍ଧ୍ବ ଇଭେଣ୍ଟ ଓ ୧୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ l ଚଳିତ ବର୍ଷ ମିଲେଟ ବିଷୟରେ ମଧ୍ୟ ସ୍ୱତନ୍ତ୍ର ଭାବେ କୁଇଜ଼, ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା lସକାଳ ଘ. ୯.୩୦ ଟା ରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ପାତ୍ର, ମାନ୍ୟବର ମନ୍ତ୍ରୀ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଓ ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମାନ୍ୟବର ସାଂସଦ, ବାଲେଶ୍ୱର, ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମାନ୍ୟବର ବିଧାୟକ, ସିମୁଳିଆ, ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ, ମାନ୍ୟବର ବିଧାୟକ, ବାଲେଶ୍ୱର ସଦର, ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡା, ମାନ୍ୟବର ବିଧାୟକ, ରେମୁଣା ଓ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ମାନ୍ୟବର ସଭାପତି, ଜିଲ୍ଲା ପରିଷଦ, ବାଲେଶ୍ୱର ଉପସ୍ଥିତ ଥିଲେ Iସେହିପରି ଅପରାହ୍ନ ଘ. ୪ ଟା ରେ ଅନୁଷ୍ଠିତ ଉଦଯାପନୀ ସଭାରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ପ୍ରତିଭାର ବିକାଶ କରିବା ଏବଂ ସମସ୍ତ ଆହ୍ୱାନର ସାମ୍ନା କରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପ୍ରାଚୀତନୟା ଗିରି, ଶ୍ରୀଯୁକ୍ତ ପବିତ୍ର ମୋହନ ବାରିକ ଓ ଶ୍ରୀଯୁକ୍ତ ଧରଣୀ ଧାରା ପାତ୍ର ଯୋଗ ଦେଇ ଥିଲେ I ଉଭୟ ସଭାରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପ୍ରତିଭା ମଞ୍ଜରୀ ଦାସଙ୍କ ସଭାପତିତ୍ୱ କରିଥିଲେ Iଜିଲ୍ଲାର ଅଭିଜ୍ଞ ବିଚାରକମାନଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା । ଅତିଥିମାନେ ନିଜର ମୂଲ୍ୟବାନ ଉପଦେଶ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ସମଗ୍ର ଶିକ୍ଷା, ବାଲେଶ୍ୱର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ବିଭିନ୍ନ ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।ଜିଲ୍ଲାସ୍ତରରେ ସୁରଭି – ୨୦୨୩ ଓ ଓଡିଶା ମିଲେଟ ପ୍ରତିଯୋଗିତାରେ ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆସନ୍ତା ନଭେମ୍ବର ୧୪ ରୁ ୧୬ ପର୍ଯ୍ୟନ୍ତ ୟୁନିଟ- ୯ ବାଳକ ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସୁରଭି – ୨୦୨୩ ଏବଂ ଓଡିଶା ମିଲେଟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ପକ୍ଷରୁ ଅଂଶଗ୍ରହଣ କରିବେ l