ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୧” ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା) : ଆଜି ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୧” ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଦିବସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୨ଟି ବ୍ଲକରୁ ୫ଟି ବିଭାଗ ଯଥା- ବକ୍ତୃତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସଙ୍ଗୀତ ଓ ଏକ ଭାରତ, ଶ୍ରେଷ୍ଠ ଭାରତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ପବ୍ଲିକ ସରକାରୀ ବିଦ୍ୟାଳୟରେ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା ଏବଂ ଗାନ୍ଧୀ ସ୍ମୃତି ଭବନ ଠାରେ ପୁରସ୍କାର ବିତରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ଅଭିଜ୍ଞ ବିଚାରକମାନଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଷ୍ଣୁ ଚରଣ ସୂତାରଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ବରେଣ୍ୟ ଅତିଥି ଭାବେ ଡା.ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଧରଣୀଧର ପାତ୍ର ଓ ଶ୍ରୀ ପବିତ୍ରମୋହନ ବାରିକ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ପ୍ରତିଭାର ବିକାଶ କରିବା ଏବଂ ସମସ୍ତ ଆହ୍ୱାନର ସାମ୍ନା କରି ନିଜ ଲକ୍ଷ୍ୟସ୍ଥଳରେ ପହଂଚିବାକୁ ପରାମର୍ଶ ଦେଇଥିଲେ । ଅତିଥିମାନେ ନିଜର ମୂଲ୍ୟବାନ ଉପଦେଶ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ସମଗ୍ର ଶିକ୍ଷା, ବାଲେଶ୍ୱର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।