ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ ଓ ଉତ୍ସାହ’ -୨୦୨୩ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା) : ଶିଶୁ ହସିଲେ ଦେଶ ହସିବ, ଶିଶୁର ବିକାଶରେ ଦେଶ ବିକଶିତ ହେବ I ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ପରିପ୍ରକାଶ କରିବା ସହିତ ଶିଶୁମାନଙ୍କର ଦକ୍ଷତାକୁ ପ୍ରତିପାଦନ କରିବାର ମାଧ୍ୟମ ହେଉଛି ଶିଶୁ ମହୋତ୍ସବ- ‘ମହକ ଓ ଉତ୍ସାହ’ I ଏହା ଶିଶୁମାନଙ୍କର ଭବିଷ୍ୟତର ଧାରା ଓ ବିଭାଗ ଚୟନରେ ସହାୟ ହୋଇପାରିବ I ଆଜି ସକାଳ ୧୦ ଘଟିକାରେ ବାଲେଶ୍ୱର ସଦର ମହକୁମାସ୍ଥିତ ଉତ୍କଳ ବାଳାଶ୍ରମ ପରିସରରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ- ‘ମହକ ଓ ଉତ୍ସାହ’ ଉଦଘାଟିତ ହୋଇ ଯାଇଛି I ଚଳିତ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଲେଶ୍ୱର ସଦରର ମାନ୍ୟବର ବିଧାୟକ ସ୍ୱରୂପ କୁମାର ଦାସ ଉପସ୍ଥିତ ଶିଶୁମାନଙ୍କୁ ସରକାର ଯୋଗାଇ ଦେଇଥିବା ବିଭିନ୍ନ ଦକ୍ଷତା ବିକାଶ ତାଲିମ୍ ସଦୁପଯୋଗ କରି ଶ୍ରେଷ୍ଠତା ପ୍ରତିପାଦନ ପୂର୍ବକ ନିଜର ତଥା ଜିଲ୍ଲାର ଗୌରବ ବୃଦ୍ଧି କରିବାପାଇଁ ପରାମର୍ଶ ଦେଇଥିଲେ I ଉତ୍ସବର ଉଦ୍ଘାଟନୀ ସଭାରେ ସଭାପତିତ୍ୱ କରି ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଥିଲେ ଯେ, ସରକାର ଶିଶୁ ଯତ୍ନ ଅନୁଷ୍ଠାନକୁ ପ୍ରାଥମିକତା ଦେବା ସହ ସ୍ମାର୍ଟ ଲାବୋରେଟୋରୀ ଭଳି ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି I ଚଳିତ ବର୍ଷ ବାଳାଶ୍ରମର ପିଲାମାନେ ବିଭିନ୍ନ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ଯୋଗଦେବାରେ ସନ୍ତୋଷ ବ୍ୟକ୍ତ କରିବା ସହ ଉତ୍କଳ ବାଳାଶ୍ରମ ଭଳି ଜିଲ୍ଲାର ଅନ୍ୟ ଶିଶୁ ଯତ୍ନ ଅନୁଷ୍ଠାନମାନଙ୍କରେ ମଧ୍ୟ ସ୍ମାର୍ଟ ଲାବୋରେଟୋରୀ ଭଳି ସୁବିଧା ଶୀଘ୍ର ଯୋଗାଇ ଦିଆଯିବ ବୋଲି ଶ୍ରୀ ଶିନ୍ଦେ କହିଥିଲେ I ଏ ସମସ୍ତ ସୁବିଧାର ସୁଯୋଗ ନେଇ ପିଲାମାନେ ବିଭିନ୍ନ ବିଷୟରେ ଉଚ୍ଚ ଶିକ୍ଷା ନିମନ୍ତେ ନିଜକୁ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ I ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ଉପ ଜିଲ୍ଲାପାଳ କୁନାଲ ମୋତିରାମ ଚହ୍ୱାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶିଖାରାଣୀ ପୋଦ୍ଦାର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଶିଶୁ ମଙ୍ଗଳ କମିଟି ସଦସ୍ୟ ପ୍ରିୟରଞ୍ଜନ ମହାନ୍ତି, ଶତ୍ରୁଘ୍ନ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ I ଶିଶୁ ସୁରକ୍ଷା ୟୁନିଟର ସୁଶ୍ରୀ ସଂଯୁକ୍ତା ରାଉତ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ସୁଶ୍ରୀ ମନସ୍ବିନୀ ରାଉତ ସ୍ୱାଗତ ଭାଷଣ ଦେଇଥିଲେ I ପ୍ରକାଶ ଥାଉ କି, ବାଲେଶ୍ୱର ଜିଲ୍ଲାରେ ମୋଟ ୧୧ଟି ଶିଶୁ ଯତ୍ନ ଅନୁଷ୍ଠାନରେ ୭୮୧ ଜଣ ଶିଶୁ ଅନ୍ତେବାସୀ ରହିଛନ୍ତି I ବାଲେଶ୍ୱର ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନରୁ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଶିଶୁ ଏହି ଉତ୍ସବ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ, ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ମାନେ ରାଜ୍ୟସ୍ତରକୁ ଭାଗ ନେବା ପାଇଁ ଯିବେ I ଆଜି ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ବକ୍ତୃତା, ଚିତ୍ରାଙ୍କନ, ସଂଗୀତ, କୁଇଜ, ଚେସ୍, କ୍ୟାରମ ଏବଂ ୧୦୦ ମିଟର ଓ ୨୦୦ ମିଟର ଦୌଡ଼ ଆଦି ପ୍ରତିଯୋଗିତା ହେଉଥିବା ବେଳେ ଆସନ୍ତା କାଲି ଏହି ଶିଶୁ ମହୋତ୍ସବର ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ ଉପରାନ୍ତେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ