ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି
ବାଲେଶ୍ୱର, (ସରୋଜ କୁମାର ପଣ୍ଡା):ଚଳିତ ବର୍ଷ କଡା କଟକଣା ମଧ୍ୟରେ ପାଳନ ହେବ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ।କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ତରଫରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ଏଥରର ସ୍ୱାଧୀନତା ଦିବସ ପାଳନ କରାଯିବ।ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୪ଘଟିକା ସମୟରେ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି।ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ତରଫରୁ ରାମଧୁନ ପରିବେଷଣ କରାଯିବ।ସକାଳ ଘ୭.୩୦ ମିନିଟ ସୁଦ୍ଧା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ କୋଭିଡ ନିୟମ ପାଳନ କରାଯାଇ ଜାତୀୟ ପତାକା ଉତୋଳନ କରାଯିବ।ସ୍ଥାନୀୟ ପୋଲିସ ପଡିଆଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତୋଳନ କରିବେ।ଚଳିତ ବର୍ଷ ଆନୁଷ୍ଠାନିକ ପରେଡ/ମାର୍ଚ୍ଚପାଷ୍ଟ ହେବ ନାହିଁ।କେବଳ ପୋଲିସ ବାହିନୀ ଜାତୀୟ ପତାକାକୁ ସମ୍ମାନ ଜଣାଇ ସଲାମୀ ଦେବେ।ସ୍କୁଲ, କଲେଜ ଛାତ୍ରଛାତ୍ରୀ ଏଥିରେ ଭାଗ ନେବେ ନାହିଁ ।ସ୍ୱରାଷ୍ଟ୍ର ବିଭାଗର ମାର୍ଗଦର୍ଶିକା ଅନୁଯାୟୀ କୋଭିଡ ଯୋଦ୍ଧାଙ୍କ ସମେତ ସୀମିତ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ।ପଡିଆ ମଧ୍ୟକୁ ଦର୍ଶକମାନଙ୍କୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ।କୋଭିଡ କଟକଣା ଅନୁଯାୟୀ ପଡିଆ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।ସେହିପରି ମାର୍ଗଦର୍ଶିକା ଅନୁଯାୟୀ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ନିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନଲାଇନ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରିବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ କୁହାଯାଇଛି।ଏହି କାର୍ଯ୍ୟକ୍ରମ ନିମନ୍ତେ ମଂଚ ସଜ୍ଜା, ପରିମଳ, ଆଶୁ ଚିକିତ୍ସା, ଆଇନଶୃଙ୍ଖଳା, ପାନୀୟ ଜଳ, ଅତିଥି ବସିବା ସ୍ଥାନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନିଶ୍ଚିତ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।ସେହିପରି ବ୍ଲକ ଓ ପଂଚାୟତସ୍ତରରେ ସ୍ୱରାଷ୍ଟ୍ର ବିଭାଗର ମାର୍ଗଦର୍ଶିକାର ଅନୁପାଳନ କରି ସ୍ୱାଧୀନତା ଦିବସ ପାଳନ କରିବା ନିମନ୍ତେ ସ୍ଥିରୀକୃତ ହୋଇଛି।ଆଜିର ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ପିଡି ଡିଆରଡିଏ ଶ୍ରୀ ରାମଚନ୍ଦ୍ର ଜେନା, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଏସ.ପି ଶ୍ରୀ ଗୋବିନ୍ଦ ସେଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ବରିଷ୍ଠ ଅଧିକାରୀ ଯୋଗ ଦେଇ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।