ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲା ସଦର ମହକୁମାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ, ୨୦୨୨ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ୫ଘଟିକା ସମୟରେ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ତରଫରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଏବଂ କୋଭିଡ୍‌-୧୯ ଗାଇଡ୍‌ଲାଇନର ଅନୁପାଳନପୂର୍ବକ ସ୍ୱାଧୀନତା ଦିବସ ପାଳନ କରାଯିବାକୁ ନିଷ୍ପତି ନିଆଯାଇଛି । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ବାଲେଶ୍ୱର ପୌରାଂଚଳରେ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ତରଫରୁ ରାମଧୂନ ପରିବେଷଣ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ସକାଳ ଘ୭.୩୦ ମିନିଟ ସୁଦ୍ଧା କୋଭିଡ ନିୟମର ଅନୁପାଳନ ପୂର୍ବକ ଜାତୀୟ ପତାକା ଉତୋଳନ କରାଯିବ । ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ସକାଳେ ମାଲ୍ୟାର୍ପଣ କରାଯିବ । ସ୍ଥାନୀୟ ରିଜର୍ଭ ପୁଲିସ ପରେଡ୍ ପଡିଆଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତୋଳନ କରିବେ । ଚଳିତ ବର୍ଷ ଆନୁଷ୍ଠାନିକ ପରେଡ, ମାର୍ଚ୍ଚପାଷ୍ଟ ହେବ ନାହିଁ । କେବଳ ପୋଲିସ ବାହିନୀ ଜାତୀୟ ପତାକାକୁ ସମ୍ମାନ ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ । ସ୍ୱରାଷ୍ଟ୍ର ବିଭାଗର ମାର୍ଗଦର୍ଶିକା ଅନୁଯାୟୀ କୋଭିଡ ଯୋଦ୍ଧାଙ୍କ ସମେତ ସୀମିତ ସଂଖ୍ୟକ ଅତିଥିଙ୍କୁ ଏହି ସମାରୋହକୁ ନିମନ୍ତ୍ରଣ କରାଯିବ । ସ୍କୁଲ, କଲେଜ ଛାତ୍ରଛାତ୍ରୀ ଏଥିରେ ଭାଗ ନେବେ ନାହିଁ । କୋଭିଡ ନିୟମାବଳୀ ଅନୁଯାୟୀ ପଡିଆ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଉତ୍ସବ ପାଳନ ପୂର୍ବରୁ ପଡିଆକୁ ଭଲ ଭାବେ ସାନିଟାଇଜ୍ କରାଯିବ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧ ପ୍ରବନ୍ଧ, କୁଇଜ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରିବାକୁ ସ୍ଥିର କରାଯାଇଛି । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ଏତଦ୍ ବ୍ୟତୀତ ସ୍ୱାଧୀନତା ଦିବସ ସମାରୋହର ସୁପରିଚାଳନା ନିମନ୍ତେ ମଂଚ ସଜ୍ଜା, ପରିମଳ, ଆଶୁ ଚିକିତ୍ସା, ଆଇନଶୃଙ୍ଖଳା, ପାନୀୟ ଜଳ, ଅତିଥି ବସିବା ସ୍ଥାନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଶିନ୍ଦେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ ଓ ପଂଚାୟତସ୍ତରରେ ମଧ୍ୟ ସ୍ୱରାଷ୍ଟ୍ର ବିଭାଗର ମାର୍ଗଦର୍ଶିକାର ଅନୁପାଳନ କରି ସ୍ୱାଧୀନତା ଦିବସ ପାଳନ କରିବା ନିମନ୍ତେ ସ୍ଥିରୀକୃତ ହୋଇଛି । ଆଜିର ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଭବେଶ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ଡିଏଫଓ ଆୟୁଷ ଜୈନ୍‌, ବାଲେଶ୍ୱର ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ବରିଷ୍ଠ ଅଧିକାରୀ ଯୋଗ ଦେଇ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ ପୂର୍ବ ବର୍ଷର ବିବରଣୀ ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ