ଜିଲ୍ଲାସ୍ତରୀୟ ୧୫୫ ଗାନ୍ଧୀ ଜୟନ୍ତୀ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ୱର ଜିଲ୍ଲା ସଦର ମହକୁମାସ୍ଥିତ ସହିଦ ପାର୍କ ଓ ନୂତନ କଲେକ୍ଟୋରେଟଠାରେ ଜିଲ୍ଲାସ୍ତରୀୟ ଜାତିର ଜନକ ମହାତ୍ମାଗାନ୍ଧୀଙ୍କର ୧୫୫ ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ଶହୀଦ ପାର୍କ ଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ସକାଳ ୮ ଘଟିକା ୩୦ ମିନିଟ୍ ସମୟରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଏହା ପରେ ନୂତନ କଲେକ୍ଟୋରେଟ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମାନ୍ୟବର ସାଂସଦ, ବାଲେଶ୍ୱର ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ସଦର ଶ୍ରୀ ମାନସ ଦତ୍ତ ଯୋଗ ଦେଇଥିଲେ I ଏଥିସହିତ ବରଣ୍ୟେ ଅତିଥି ଭାବେ ଜିଲ୍ଲା ପରିଷଦର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ଯୋଗ ଦେଇଥିଲେ I ଏହି ଅବସରରେ ଗାନ୍ଧୀଜୀଙ୍କ ନୂତନ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବା ସହିତ ଉପସ୍ଥିତ ଅତିଥିମାନେ ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରିବା ସହ ସେମାନଙ୍କ ସ୍ମୃତିଚାରଣ କରିଥିଲେ। ଜିଲ୍ଲାପାଳ ଶ୍ରୀ ବିକାଶ ସଭା ଆରମ୍ଭରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ I ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଆମେ ନିଜ ଦୈନନ୍ଦିନ ଜୀବନରେ ପରିବର୍ତ୍ତନ ଆଣିପାରିଲେ ଦେଶର ବିକାଶ ସାଧିତ ହେବା ସହ ଗାନ୍ଧିଜୀଙ୍କ ପ୍ରତି ତାହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେହିପରି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସବୁ ବାଧାବିଘ୍ନ ସତ୍ୱେ କିଭଳି ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ପାରିଥିଲେ ଏବଂ ନିଜର ନୈତିକତା ଓ ଆଦର୍ଶ ପାଇଁ ଶାନ୍ତିର ଦୂତ ଭାବେ ପରିଚିତି ଲାଭ କରିପାରିଥିଲେ ସେ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ଆଲୋଚକ ଶ୍ରୀ ପ୍ରଶାନ୍ତ ଦାସ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଓ ବିଚାର ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ଚାରିଗାଁ ସଂସ୍କୃତ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ମନ୍ମଥ କୁମାର ମିଶ୍ର ଗୀତା ପାଠ କରିଥିବା ବେଳେ ବାଲେଶ୍ୱର ଜିଲ୍ଲା ସ୍କୁଲର ମସ୍କୂର ଅଲ୍ଲୀ ଖାଁ କୋରାନ ପାଠ କରିଥିଲେ । ଖ୍ରୀଷ୍ଟିଆନ ଉଚ୍ଚ ବିଦ୍ୟାଳୟର ଶ୍ରୀ ସଂଗ୍ରାମ କିଶୋର ସିଂ ବାଇବେଲ ପାଠ କରିଥିଲେ । ନୃତ୍ୟସଙ୍ଗୀତ କଳାମନ୍ଦିରର କଳାକାରବୃନ୍ଦ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ପରିବେଷଣ କରିଥିଲେ । ପୂର୍ବରୁ ବିଭିନ୍ନ ବର୍ଗରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା କୃତୀ ଛାତ୍ର-ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଏଥି ସହିତ ସ୍ୱଚ୍ଛତା ହିଁ ସେବା ଅଭିଯାନ ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କୃତି ପ୍ରତିଯୋଗୀ ଓ ପଞ୍ଚାୟତ ସମିତିଙ୍କୁ ମଧ୍ୟ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିରଞ୍ଜନ ବେହେରା, ଜ଼ିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ, ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେସିର୍କେଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ I ସଭା ଶେଷରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ଆୟୋଜିତ ହୋଇଥିବା ପ୍ରଦର୍ଶନୀକୁ ଅତିଥିମାନେ ପରିଦର୍ଶନ କରିଥିଲେ I ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଠାରେ ପ୍ରକାଶ କି ପ୍ରାତଃ ୪ଘଟିକା ୩୦ମିନିଟ୍ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ରାମଧୂନ ପରିବେଷଣ କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ