ଜିଲ୍ଲାସ୍ତରୀୟ ୮୭ତମ ଓଡିଶା ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୮୭ ତମ ଓଡିଶା ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ଆମ ରାଜ୍ୟ ଓଡିଶା ଆମେ ଓଡିଆ । ଓଡିଶା ରାଜ୍ୟରେ ଓଡିଆମାନଙ୍କ ମାତୃପ୍ରେମୀ ମନଭାବ ଜାଗ୍ରତ କରି ନିଜକୁ ଗର୍ବିତ ମନେ କରିବା ହେଉଛି ଆଜିର ଦିବସ ପାଳନର ମୂଳଲକ୍ଷ୍ୟ । ଓଡିଆ ମାଟିର କେତେକ ମହାନ୍ ପୁରୁଷଙ୍କ ବଳିଦାନରେ ଉତ୍କଳକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଇଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଗଞ୍ଜାମ ଜିଲ୍ଲାର ଅବଦାନ ଅତୁଳନୀୟ ବୋଲି ଏହି ସମାରୋହରେ ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଂଜଳି ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରୋକ୍ତ ମର୍ମରେ କହିଛନ୍ତି । ଉତ୍କଳ ଆଶ୍ରମ ସଂପାଦକ ତଥା ବ୍ରହ୍ମପୁର ଖଲିକୋଟ ସ୍ୱଂୟଶାସିତ ମହାବିଦ୍ୟାଳୟର ଓଡିଆ ବିଭାଗୀୟ ମୁଖ୍ୟ ଡ. ସିଦ୍ଧାର୍ଥ ଶଙ୍କର ପାଢୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ପିଲାଙ୍କ ପାଠପଢା ପାଇଁ ହାଇସ୍କୁଲ ଟ୍ରାନ୍ସଫରମେସନ୍ କରାଯାଇଛି । ଏହାର ଲାଭ ଉଠାଇବା ସହିତ ସମସ୍ତେ ଭଲ ପାଠ ପଢି ନିଜକୁ ବଡ ମଣିଷ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଓଡିଆ ମାନଙ୍କ ସ୍ୱାଭିମାନ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବିନାରାୟଣ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।